Voice of Eastern India

ବିକାଶର ବିକଳ ଚିତ୍ର : ରାସ୍ତା ନାହିଁ, ରସ ହଣ୍ଡାରେ ଶିଶୁକୁ ହସ୍ପିଟାଲ ନେଲେ ପରିବାର ଲୋକେ, ବଢ଼ି ପାଣିରେ ପାର୍ କଲେ ନଦୀ


କନ୍ଧମାଳ, ୧୬|୦୭: ପଥୁରିଆ ରାସ୍ତାରେ କିଛି ବାଟ ଚାଲିଚାଲି ନଦୀକୂଳରେ ପହଞ୍ଚିଲେ ତିନି ଜଣ ମହିଳା ଓ ଜଣେ ପୁରୁଷ । ଜଣେ ମହିଳାଙ୍କ କାଖରେ ଅସୁସ୍ଥ ଶିଶୁ। ସାଙ୍ଗରେ ଅଛି ବଡ଼ ଆକାରର ଏକ ରସ ହଣ୍ଡା । ନଦୀ କୂଳରେ ପହଞ୍ଚିବା ପରେ ସମସ୍ତେ ପୋଷାକ ପରିବର୍ତ୍ତନ କଲେ। କେବଳ ଗାମୁଛା ଖଣ୍ଡେ ଖଣ୍ଡେ ଦେହରେ ବେଢ଼ାଇ ପୂର୍ବରୁ ପିନ୍ଧିଥିବା ପୋଷାକ, ଚପଲ, ମୋବାଇଲ୍ ଫୋନ୍ ଇତ୍ୟାଦି ରଖିଲେ ରସ ହଣ୍ଡାରେ। ରସ ହଣ୍ଡାରେ ବସିଲା ଶିଶୁ। ଏହାପରେ ଚାରିଜଣ ହଣ୍ଡାକୁ ଧରି ପଶିଲେ ନଦୀରେ। ଆଣ୍ଠୁଏରୁ ବଢ଼ି ବଢ଼ି ପାଣି ବେକ ଟପିଲା- ଏହାପରେ ଚାରିଜଣ ହଣ୍ଡାରେ ହାତ ପକାଇ ବିପଜ୍ଜନକ ଭାବେ ପହଁରି ପହଁରି ପାର ହେଲେ ନଦୀ। ହାତ ଖସିଲେ ହଣ୍ଡାରେ ବସିଥିବା ଶିଶୁର ଅବସ୍ଥା କ’ଣ ହେବ କହିହେବନି। ସେମାନେ ଅସୁସ୍ଥ ଶିଶୁର ଚିକିତ୍ସା ପାଇଁ ଯାଉଥିଲେ ଗୋଚ୍ଛାପଡ଼ା ।

ଏହି ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଛି। ପ୍ରାୟ ଚାରି ମିନିଟର ଏହି ଭିଡିଓ ଦେଖାଉଛି କନ୍ଧମାଳର ସଦର ମହକୁମା ଫୁଲବାଣୀଠାରୁ ୫୦ କିଲୋମିଟର ଦୂର ଏକ ଗାଁର ସ୍ବାସ୍ଥ୍ୟସେବା, ଗମନାଗମନ ବ୍ୟବସ୍ଥାର ଚିତ୍ର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ସଲାଗୁଡ଼ା ପଞ୍ଚାୟତର ଡୁମୁରିଗାଟା ନିକଟ ବାଘ ନଦୀ ଉପରେ ପୋଲ ନଥୁବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ପୁଣି ଥରେ ସାମ୍ନାକୁ ଆସିଛି। ଗ୍ରାମର ଭିବାନା ମଲିକ ତାଙ୍କୁ ଦୁଇ ବର୍ଷର ପୁଅର ଥଣ୍ଡାଜ୍ଵର ଚିକିତ୍ସା ପାଇଁ ନେଉଥିଲେ ଗୋଚ୍ଛାପଡ଼ା। ପୁଅକୁ ହଣ୍ଡାରେ ବସାଇ ଗଭୀର ନଦୀ ପାର କରାଇ କୂଳକୁ ଆଣିଥିଲେ, ତାପରେ ଚାଲି ଚାଲି ୫ କିମି ଦୂର ବଦାପାଜୁ ଗ୍ରାମକୁ ଆସିବା ପରେ ଦୁଇଟି ବାଇକ୍ ଯୋଗେ ସେମାନେ ଗୋଚ୍ଛାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଶିଶୁର ଚିକିତ୍ସା କରାଇ ପୁଣି ପାର୍ ହୋଇ ଗ୍ରାମକୁ ଫେରିଥିଲେ।

ଗୋଛାପଡ଼ାକୁ ଆଉ ଏକ ରାସ୍ତା ଅଛି, ଯାହା ପାହାଡ଼ ଯୋଗୁଁ ଏକପ୍ରକାର ଦୁର୍ଗମ। ଖରାଦିନେ କୌଣସି ପ୍ରକାରେ ଯାତାୟାତ ସମ୍ଭବ ହେଉଥିଲେ ମଧ୍ୟ ବର୍ଷା ଆସିଲେ ନଦୀରେ ପାଣି ବଢ଼ି ଗ୍ରାମଟି ସମ୍ପୂର୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଫଳରେ ରୋଗୀ, ଗର୍ଭବତୀ, ବୃଦ୍ଧ ଓ । ସ୍କୁଲ ପିଲାଙ୍କୁ ମଧ୍ୟ ଜୀବନକୁ ବାଜି ଲଗାଇ ନଦୀ ପାର ହେବାକୁ ପଡୁଛି। ଗ୍ରାମରେ ପ୍ରାୟ ୧୭ରୁ ୨୦ଟି ପରିବାର ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଲ, ବିଦ୍ୟୁତ୍ ଓ ପାନୀୟ ଜଳ ପରି ମୌଳିକ ସୁବିଧା ପହଞ୍ଚିନାହିଁ । ବର୍ଷ ବର୍ଷ ଧରି ପୋଲ ନିର୍ମାଣ ପାଇଁ ବ୍ଲକ୍, ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଦାବି କରାଯାଉଛି, ମାତ୍ର ସୁଫଳ ମିଳିନି। ସଲାଗୁଡ଼ା ସରପଞ୍ଚ ରୋହିତ କହଁର କହିଛନ୍ତି, ପଞ୍ଚାୟତ ପକ୍ଷରୁ ବାଘ ନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ବ୍ଳକ୍ ଓ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ମହାନ୍ତିଙ୍କ ଉତ୍ତର ଥିଲା ଗତାନୁଗତିକ, ‘ବଡ଼ପାଜୁ-ଡୁମୁରିଗାଟା ବାଘ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଶୀଘ୍ର କାମ ଆରମ୍ଭ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Source link



Source link

Leave A Reply

Your email address will not be published.