Voice of Eastern India

ଲଳିତ ମୋଦୀଙ୍କୁ ବଡ଼ ଆଶ୍ଵସ୍ତି, ଜରିମାନା ରଦ୍ଦ କଲା ଟ୍ରିବ୍ୟୁନାଲ, ୧୬ ବର୍ଷ ପରେ ଫେରିବେ ଭାରତ


ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ପ୍ରଥମ କମିଶନର ତଥା ପ୍ରତିଷ୍ଠାତା ଲଲିତ ମୋଦୀଙ୍କ ପାଇଁ ଆସିଛି ଏକ ବଡ଼ ଆଇନଗତ ଆଶ୍ୱସ୍ତି। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ୱାରା ଲଗାଯାଇଥିବା ବହୁ କୋଟି ଟଙ୍କାର ଜୋରିମାନାକୁ SAFEMA (ସେଫ୍ମା) ଆପିଲେଟ୍ ଟ୍ରିବ୍ୟୁନାଲ୍ ରଦ୍ଦ କରିଦେଇଛନ୍ତି। ଏହି ରାୟ ପରେ ୧୬ ବର୍ଷ ଧରି ବିଦେଶରେ ରହିଆସୁଥିବା ଲଲିତ ମୋଦୀ ପୁଣି ଭାରତ ଫେରିବାକୁ ଘୋଷଣା କରିଛନ୍ତି।

ସତ୍ୟର ହେଲା ଜୟ, ଆଇପିଏଲ୍ ଥିଲା ମୋର ପ୍ରାଥମିକତା

ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ପରେ ନିଜର ପ୍ରତିକ୍ରିୟା ରଖି ଲଲିତ ମୋଦୀ କହିଛନ୍ତି, “ମୁଁ ଦୀର୍ଘ ୧୬ ବର୍ଷ ଧରି ଯେଉଁ କଥା କହିଆସୁଥିଲି, ଆଜି ଅଦାଲତ ତାହା ଉପରେ ମୋହର ମାରିଛନ୍ତି। ମୋର କେବଳ ଆଇପିଏଲ୍କୁ ସଫଳ କରିବା ଏବଂ ଏହାର ଉନ୍ନତି ସହ ସଂପର୍କ ଥିଲା, ଅନ୍ୟ କୌଣସି ବ୍ୟକ୍ତିଗତ ଫାଇଦା ନ ଥିଲା। ଏବେ ଏହି ପୁରୁଣା ମାମଲାର ଅନ୍ତ ଘଟିଛି ଏବଂ ମୁଁ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛି। ଖୁବଶୀଘ୍ର ମୁଁ ଭାରତ ଫେରିବି।”

୨୦୦୯ ଆଇପିଏଲକୁ ନେଇ ଉଠିଥିଲା ବିବାଦ

ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ଭାରତରେ ସାଧାରଣ ନିର୍ବାଚନ ଥିବା ହେତୁ ସୁରକ୍ଷା କାରଣରୁ ଆଇପିଏଲରେ ଦ୍ୱିତୀୟ ସଂସ୍କରଣକୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ବିସିସିଆଇ ଦ୍ୱାରା କରାଯାଇଥିବା ବିଦେଶୀ ମୁଦ୍ରା କାରବାରରେ ରିଜର୍ଭ ବ୍ୟାଙ୍କ (RBI) ର ଅନୁମତି ନନେଇ FEMA ନିୟମ ଭଙ୍ଗ କରାଯାଇଥିବା ED ଅଭିଯୋଗ କରିଥିଲା। ୨୦୧୮ରେ ED ଲଲିତ ମୋଦୀଙ୍କ ଉପରେ ୧୦ କୋଟିରୁ ଅଧିକ ଟଙ୍କାର ଜୋରିମାନା ଲଗାଇଥିଲା।

ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି

SAFEMA ଆପିଲେଟ୍ ଟ୍ରିବ୍ୟୁନାଲ୍ ନିଜ ଶୁଣାଣିରେ କହିଛନ୍ତି ଯେ, ଏହି କାରବାରଗୁଡ଼ିକ ଚାଲୁ ଖାତା (Current Account) ସମ୍ବନ୍ଧୀୟ ଥିଲା, ଯେଉଁଥିପାଇଁ ପୂର୍ବରୁ ଆରବିଆଇର ସ୍ୱତନ୍ତ୍ର ସ୍ୱୀକୃତି ଆବଶ୍ୟକ ନଥିଲା। ଏହାବ୍ୟତୀତ ବିସିସିଆଇର ବାଧ୍ୟତାମୂଳକ ଆଇନଗତ ପ୍ରକ୍ରିୟା ପାଇଁ ଲଲିତ ମୋଦୀ ବ୍ୟକ୍ତିଗତ ଭାବେ ଦାୟୀ ନଥିଲେ। ୨୦୧୦ ମସିହାରୁ ଲଣ୍ଡନରେ ରହୁଥିବା ଲଲିତ ମୋଦୀଙ୍କ ପାଇଁ ଏହି ରାୟ ଏକ ବଡ଼ ସଫଳତା ସାବ୍ୟସ୍ତ ହୋଇଛି ଏବଂ ତାଙ୍କର ସ୍ୱଦେଶ ଫେରିବା ବାଟ ଏବେ ସୁଗମ ହୋଇଛି।

Source link



Source link

Leave A Reply

Your email address will not be published.