ଓଲଟିଲା ବାଣିଜ୍ୟିକ ଦୃଶ୍ୟପଟ: ଚୀନକୁ ଭାରତୀୟ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ୭୫% ବୃଦ୍ଧି, ଆମେରିକା ବି ବହୁଳ ମାତ୍ରାରେ କିଣିଛି
India Engineering Exports: ଯେଉଁ ଚୀନ ଭାରତକୁ କେବଳ ରପ୍ତାନୀ କରୁଥିଲା ଏବେ ସିଏ ଭାରତ ଠାରୁ ବହୁ ସଂଖ୍ୟାର ଉତ୍ପାଦ ଆମଦାନୀ କରୁଛି। ଚୀନକୁ ଭାରତର ରପ୍ତାନୀ ବଢୁଛି।। ସବୁଠାରୁ ଖୁସୀର କଥା ହେଲା ଭାରତୀୟ ଇଞ୍ଜନିୟରିଂ ପ୍ରଡକ୍ଟକୁ ବହୁଳ ମାତ୍ରାରେ କିଣିବା ଆରମ୍ଭ କରିଛି ବେଜିଂ। ଜୁନ ମାସରେ ଭାରତର ଇଞ୍ଜିନିୟରିଂ ଏକ୍ସପୋର୍ଟ ୨୧% ବୃଦ୍ଧି ପାଇଥିବା ଇଞ୍ଜିନିୟରିଂ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ଅଫ୍ ଇଣ୍ଡିଆ(ଇଇପିସି ଇଣ୍ଡିଆ)ର ସୂଚନା ଦେଇଛି। ଚୀନ, ଆମେରିକା, ଜର୍ମାନୀ ଓ ଓମାନ ଭଳି ଦେଶରେ ଡିମାଣ୍ଡ ବଢ଼ିବାରୁ ଭାରତର ରପ୍ତାନୀ ଭଲ ହୋଇଛି।
ଇଇପିସି ଇଣ୍ଡିଆର ସୂଚନା ଅନୁସାରେ, ବାର୍ଷିକ ହାରରେ ଜୁନ୍ ମାସରେ ଭାରତର ଇଞ୍ଜିନିୟରିଂ ରପ୍ତାନି ୨୧% ବୃଦ୍ଧି ପାଇ ୧୧.୪୮ ବିଲିୟନ ଡଲାରରେ ପହଞ୍ଚିଛି। ଯୁଦ୍ଧ ଓ ଉତ୍ତେଜନା ଯୋଗୁ ରେଡ ସିଂ ବା ଲୋହିତ ସାଗର ଏବଂ ହର୍ମୁଜ୍ ପ୍ରଣାଳୀରେ ବାଧା ସୃଷ୍ଟି ଯୋଗୁ ଜାହାଜ ଚଳାଚଳ ମାର୍ଗ ପ୍ରଭାବିତ ହୋଇ ଭାରତର ବ୍ୟାପାର ଚାପ ବଢ଼ିଛି। ମାଲ ପରିବହନ ସମସ୍ୟା ସହ ବୀମା ଏବଂ ପରିବହନ ଖର୍ଚ୍ଚର ଚାପ ସତ୍ତ୍ୱେ ଇଞ୍ଜିନିୟରିଂ ରପ୍ତାନିର ଦୃଢ଼ ପ୍ରଦର୍ଶନ ଦେଶର ମୋଟ ସାମୁଦ୍ରିକ ରପ୍ତାନି ପାଇଁ ସାହାୟକ ଭାବରେ ଉଭା ହୋଇଛି।
ଲଗାତର ୩ ମାସ ଭଲ ପ୍ରଦର୍ଶନ
ସର୍ଭିସ୍ ସେକ୍ଟର ଭଳି ଭାରତରେ ଇଞ୍ଜିନିୟରିଂ ଏକ୍ସପୋର୍ଟର ଅଂଶ ବଢ଼ିବାର ଲାଗିଛି। ଇଇପିସି ଇଣ୍ଡିଆର ରିପୋର୍ଟ ଅନୁସାରେ, ଗତ ୩ ମାସ ହେଲା ଭାରତର ଇଞ୍ଜିନିୟରିଂ ଏକ୍ସପୋର୍ଟ ୧୦ ବିଲିଅନ ଡଲାର ପାର କରୁଛି। ଭାରତର ମୋଟ ସାମୁଦ୍ରିକ ରପ୍ତାନୀ ଏକ ତୃତୀୟାଂସ ଇଞ୍ଜିନିୟରିଂ ପ୍ରଡକ୍ଟର ଏକ୍ସପୋର୍ଟ ହୋଇଥାଏ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏପ୍ରିଲ-ଜୁନ ମଧ୍ୟରେ ଏହା ବର୍ଷକୁ ବର୍ଷ ଆଧାରରେ ୧୮.୦୯% ବୃଦ୍ଧିର ସହ ୩୪.୧ ବିଲିଅନ ଡଲାରରେ ପହଞ୍ଚିଛି। ପୂର୍ବ ବର୍ଷ ପ୍ରଥମ ତ୍ରୈମାସିକରେ ୨୮.୯୧ ବିଲିଅନ ଡଲାରର ଇଞ୍ଜିନିୟରିଂ ଏକ୍ସପୋର୍ଟ ହୋଇଥିଲା।
କେନ୍ଦ୍ର ସରକାରଙ୍କର ତ୍ୱିରତ ଆକଳନ ଆକଳନ ଅନୁଯାୟୀ, ଜୁନ୍ ମାସରେ ଭାରତର ମୋଟ ସାମୁଦ୍ରିକ ରପ୍ତାନିର ୨୮.୪% ଇଞ୍ଜିନିୟରିଂ ଉତ୍ପାଦ ଥିଲା ବୋଲି EEPC ଇଣ୍ଡିଆ ସୂଚନା ଦେଇଛି। ପଶ୍ଚିମ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ସଙ୍କଟ ଯୋଗୁ ବାଣିଜ୍ୟ ଧାରାରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ଏହି କ୍ଷେତ୍ର ସ୍ଥିର ରହିଛି ବୋଲି EEPC ଇଣ୍ଡିଆର ଅଧ୍ୟକ୍ଷ ପଙ୍କଜ ଚଢା କହିଛନ୍ତି। ରିସ୍କ ବଢ଼ୁଥିବାରୁ ଅଭିବୃଦ୍ଧି କାଏମ ରଖିବାକୁ ହେଲେ ସରକାରଙ୍କର ନିୟମିତ ସହଯୋଗ ଦରକାର ବୋଲି କହିଛନ୍ତି ଚଢା।
ଚୀନ, ଆମେରିକା- ଓମାନର ଡିମାଣ୍ଡରେ ଭାରତୀୟ ପ୍ରଡକ୍ଟର ଚାହିଦା
ଭାରତୀୟ ଇଞ୍ଜିନିୟରିଂ ରପ୍ତାନୀର ମୁଖ୍ୟ ବଜାରଗୁଡ଼ିକ ମଧ୍ୟରେ ଚୀନ ଏଥର ବଡ଼ କ୍ରେତା ଭାବେ ଉଭା ହୋଇଛି। ଗତ ବର୍ଷ ତୁଳନାରେ ଚୀନକୁ ଭାରତୀୟ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀ ୭୪% ବୃଦ୍ଧି ପାଇ ୩୬୧.୪୭ ନିୟୁତ ଡଲାରରେ ପହଞ୍ଚିଛି। କେବଳ ଇଞ୍ଜିନିୟରିଂ ପ୍ରଡକ୍ଟ ନୁହେଁ, ଚୀନକୁ ଭାରତର ସାମଗ୍ରିକ ରପ୍ତାନୀ ମଧ୍ୟ ବଢ଼ିଛି। ମାର୍ଚ୍ଚ ମାସରେ ଶେଷ ହୋଇଥିବା ଗତ ଆର୍ଥିକ ବର୍ଷରେ ଚୀନକୁ ଭାରତର ରପ୍ତାନୀ ପ୍ରାୟ ୩୭% ବୃଦ୍ଧି ପାଇ ପ୍ରାୟ ୨୦ ବିଲିୟନ ଡଲାରରେ ପହଞ୍ଚିଛି।
ସେହିପରି ଭାରତୀୟ ଇଞ୍ଜିନିୟରିଂ ସାମଗ୍ରୀ ପାଇଁ ଆମେରିକା ଏବେ ବି ଏକ ବଡ଼ ବଜାର ହୋଇଛି। ଏପ୍ରିଲ-ଜୁନ ମାସଗୁଡ଼ିକ ମଧ୍ୟରେ ଆମେରିକାକୁ ଭାରତୀୟ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀ ୧.୯୫ ବିଲିଅନ ଡଲାର ହୋଇଛି। ଓମାନକୁ ରପ୍ତାନି ଚାରିଗୁଣରୁ ଅଧିକ ବୃଦ୍ଧି ପାଇ ପ୍ରାୟ ୨୫୯ ମିଲିଅନ ଡଲାର ହୋଇଛି। ଜୁନ୍ ମାସରେ ସମସ୍ତ ଅଞ୍ଚଳରେ ରପ୍ତାନି ବୃଦ୍ଧି ପାଇଛି, ଯଦିଓ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ସାଉଦି ଆରବକୁ ରପ୍ତାନୀ ହ୍ରାସ ପାଇଛି।
ତେବେ ଇଇପିସି ଇଣ୍ଡିଆ କହିଛି ଯେ ଓମାନକୁ ରପ୍ତାନିରେ ତୀବ୍ର ବୃଦ୍ଧି ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳକୁ ଇଞ୍ଜିନିୟରିଂ ରପ୍ତାନିକୁ ସକାରାତ୍ମକ କ୍ଷେତ୍ରରେ ରଖିବାରେ ସାହାଯ୍ୟ କରିଛି। ଗତବର୍ଷର ବଡ଼ ହ୍ରାସ ପରେ ଚଳିତ ଆର୍ଥିକ ପର୍ଷର ପ୍ରଥମ ତ୍ରୈମିସକରେ ତୁର୍କୀଏକୁ ବି ଜବରଦସ୍ତ ରପ୍ତାନୀ ବଢ଼ାଇଛି ଭାରତ। EEPC ଇଣ୍ଡିଆ ଅନୁଯାୟୀ, ଜୁନ୍ ମାସରେ ୩୪ ଟି ଇଞ୍ଜିନିୟରିଂ ଉତ୍ପାଦ ବର୍ଗ ମଧ୍ୟରୁ ୨୭ଟିରେ ବାର୍ଷିକ ରପ୍ତାନୀ ଅଭିବୃଦ୍ଧି ବଢ଼ିଛି। ହେଲେ ସୀସା ଏବଂ ସୀସା ଉତ୍ପାଦ, ଆଭ୍ୟନ୍ତରୀଣ-ଦହନ ଇଞ୍ଜିନ୍(internal-combustion engines), କ୍ରେନ୍, ଲିଫ୍ଟ ଏବଂ ଅଫିସ୍ ଉପକରଣର ରପ୍ତାନି ହ୍ରାସ ପାଇଛି।
