ନୀଳଗିରି ୨୭।୭: ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଟ୍ରଷ୍ଟବୋର୍ଡ ଏହି ନିଷ୍ପତ୍ତି ନେଇଛି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସ୍ପର୍ଶ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଦର୍ଶନ ପାଇଁ ଆସୁଥିବା ବେଳେ ଆଜି ଶ୍ରାବଣର ଦ୍ୱିତୀୟ ସୋମବାର । ଆଜି ମଧ୍ୟ ହଜାର ହଜାର କାଉଡ଼ିଆ ବାବାଙ୍କ ପୀଠକୁ ଯାଇ ରୀତିନୀତିରେ ପୂଜାର୍ଚ୍ଚନା କରି ଜଳାଭିଷେକ କରିଛନ୍ତି । ହେଲେ ଝରଣା ଭିତରେ ବାବାଙ୍କ ଲିଙ୍ଗ ସ୍ପର୍ଶ ସୁରକ୍ଷା ଦୃଷ୍ଟିକୋଣରୁ ବନ୍ଦ କରାଯାଇଛି ।
Also Read:- ଲଗାଣ ବର୍ଷାରେ ପୋଲ ଉପରେ ୩ ଫୁଟର ପାଣି, ବାଇକ୍ ସହ ଭାସିଯିବା ବେଳେ ଯୁବକ ଉଦ୍ଧାର
ଗତ କିଛି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଫଳରେ ଦେବଗିରି ପାହାଡ଼ରୁ ପ୍ରବାହିତ ଜଳର ପରିମାଣ ବଢ଼ିଯାଇଛି । ଏଥିଯୋଗୁଁ ଶିବଲିଙ୍ଗ ନିକଟକୁ ଯିବା ବିପଦଜନକ ହୋଇପଡ଼ିଥିବାରୁ ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟବୋର୍ଡ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶ ଦର୍ଶନ ବନ୍ଦ କରିଥିବା ଜଣାପଡିଛି ।
ରବିବାର ଛୁଟିଦିନ ଥିବାରୁ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସହିତ କାଉଡ଼ିଆ ମାନେ ପଞ୍ଚଲିଙ୍ଗେଶ୍ୱରକୁ ଜଳପ୍ରବାହ ଅତ୍ୟଧିକ ଥିବାରୁ ସେମାନେ ବାବାଙ୍କ ସ୍ପର୍ଶ ଦର୍ଶନ କରିପାରିନପାରି ନିରାଶ ହୋଇ ଫେରିଯାଇଥିବା ବେଳେ କେତେକ ଦୂରରୁ ପ୍ରଣାମ କରି ପୂଜାର୍ଚ୍ଚନା କରିଥିଲେ ।
ଜଳସ୍ଥର ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ପୁଣି ଥରେ ସ୍ପର୍ଶ ଦର୍ଶନ ଆରମ୍ଭ ହେବ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି । ସେପର୍ଯ୍ୟନ୍ତ ଭକ୍ତମାନଙ୍କୁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି ।
