Voice of Eastern India

ଅନୈତିକ ସଂପର୍କରୁ ଡବଲ ମର୍ଡର ମାମଲା; ଅଭିଯୁକ୍ତ ଭଣଜା ଓ ମାଇଁଙ୍କୁ ଆଜୀବନ କାରାଦଣ୍ଡ


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଚୁଡ଼ିଆଲାଞ୍ଜି ଗାଁରେ ଘଟିଥିବା ବହୁଚର୍ଚ୍ଚିତ ମାଆ–ପୁଅ ହତ୍ୟାକାଣ୍ଡ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ବୁଧବାର ବ୍ରହ୍ମପୁର ଓପିଆଇଡି ବିଚାରପତି ସଙ୍ଗୀତା ପାଣିଙ୍କ କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟ ମାମଲାର ଦୁଇ ଅଭିଯୁକ୍ତ ଭଣଜା ଜି.ଦେବେନ୍ଦ୍ର ରେଡ୍ଡି ଓ ତାଙ୍କ ସାନ ମାଇଁ ଡି.ଗୋନାମ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

୨୦୨୪ ଫେବ୍ରୁଆରୀ ୧୮ ମଧ୍ୟରାତ୍ରିରେ ଚୁଡ଼ିଆଲାଞ୍ଜି ଗାଁର ଡି.ନୀଳାବେଣୀ (୩୫) ଓ ତାଙ୍କର ନାବାଳକ ପୁଅ ଡି.ଋଷିଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଥିଲା । ଡି.ନୀଳାବେଣୀ ଥିଲେ ଅଭିଯୁକ୍ତ ଜି.ଦେବେନ୍ଦ୍ର ରେଡ୍ଡିଙ୍କ ବଡ଼ ମାଇଁ । ପ୍ରଥମେ ଘଟଣାଟି ଆତ୍ମହତ୍ୟା ପରି ଲାଗୁଥିଲେ ମଧ୍ୟ, ପୋଲିସର ତଦନ୍ତରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା ।

ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ଜି.ଦେବେନ୍ଦ୍ର ରେଡ୍ଡି ଓ ଡି.ଗୋନାମ୍ମାଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ପ୍ରଘଟ ହୋଇଯିବା ଭୟରେ ଉଭୟ ମିଶି ବଡ଼ ମାଇଁ ନୀଳାବେଣୀ ଓ ତାଙ୍କ ନାବାଳକ ପୁଅଙ୍କୁ ତଣ୍ଟି ଚାପି ହତ୍ୟା କରିଥିଲେ । ମୃତକ ନୀଳାବେଣୀ ଏହି ସମ୍ପର୍କକୁ ବିରୋଧ କରିବା ସହ ଏହାକୁ ପ୍ରକାଶ କରିବାକୁ କହିଥିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରେ ସାମ୍ନାକୁ ଆସିଥିଲା । ମାମଲାର ବିଚାର ସମୟରେ ୩୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଓପିଆଇଡି କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Source link



Source link

Leave A Reply

Your email address will not be published.