ନୂଆଦିଲ୍ଲୀ: ସଂସଦରେ ପେପର ଲିକ୍ ନିରୋଧୀ ବିଲ୍ ପାସ୍ ହେବା ପରେ ଗୁରୁବାର ଏହାକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇନଷ୍ଟାଗ୍ରାମରେ ଏକ ଭିଡିଓ କରି ବିଲକୁ ସ୍ୱାଗତ କରିବା ସହିତ ଭାରତର ପରୀକ୍ଷା ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଏହା ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ଏବଂ ଯେଉଁମାନେ ପେପର ଲିକ୍ରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।
ସଂସଦର ଉଭୟ ସଦନ (ଲୋକସଭା ଓ ରାଜ୍ୟସଭା)ରେ ବିଲ ପାସ୍ ହେବା ପରେ ମୋଦି କହିଛନ୍ତି “ ଗତ ଦସନ୍ଧୀ ଦଶନ୍ଧୀ ଧରି ପ୍ରତି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପେପର ଲିକର ସମ୍ମୁଖୀନ ହୋଇଛନ୍ତି। ପରିଣାମ ସ୍ୱରୂପ ପିଲାଙ୍କ ଭବିଷ୍ୟତ ବିପଦରେ ପଡ଼ିଛି” ତେବେ ଆମେ ପରୀକ୍ଷାରେ କ୍ଷେତ୍ରରେ ସୁଧାର ଆଣିବାକୁ ନିୟମିତ ପ୍ରୟାସ କରୁଛୁ ବୋଲି କହି ମୋଦୀ କହିଛନ୍ତି “ଆମେ ନିରନ୍ତର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ହେଉ, ଫାଷ୍ଟ-ଟ୍ରାକ୍ ପଦକ୍ଷେପ ପ୍ରଣୟନ ହେଉ, କିମ୍ବା ରାଜ୍ୟଗୁଡ଼ିକର ପରାମର୍ଶକୁ ବିଚାରକୁ ନେଇ, ଆମେ ଆଗକୁ ବଢ଼ୁଛୁ।”
ମୋଦୀ ଆହୁରି କହିଛନ୍ତି ଯେ ଶିକ୍ଷାରେ ସଂସ୍କାର ଆସିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ଜରୁରୀ। ତେବେ ଠକେଇ ରୋକିବା ପାଇଁ ଟେକ୍ନୋଲୋଜୀର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ମୋଦୀ ଆହ୍ୱାନ ଦେଇଛନ୍ତି।
ଯେଉଁମାନେ ପେପର ଲିକ୍ରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଚେତାବନୀ ଦେଇ ମୋଦୀ କହିଛନ୍ତି “ପେପର ଲିକ୍ରେ ଜଡିତ କାଗଜ ମାଫିଆ ଏବଂ ଗ୍ୟାଙ୍ଗ, ଯେଉଁମାନେ ଦେଶର ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୁଦ୍ଧରେ କଠୋର ଆଇନର ଆବଶ୍ୟକତା ରହିଛି।”
ଦେଶରେ ପେପର ଲିକ୍ ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧିତ ଆଇନକୁ ସଂସଦର ଉଭୟ ସଦନ ମଞ୍ଜୁରି ଦେଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ସେ କହିଛନ୍ତି ଯେ, ସଂସଦର ଉଭୟ ସଦନରେ ଦୁଇ ଦିନ ଧରି ଏହି ବିଲ୍ ଉପରେ ବିସ୍ତୃତ ଆଲୋଚନା ପରେ ଏହାକୁ ପାରିତ କରାଯାଇଛି। “ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାରେ ଏହା ଏକ ମାଇଲଖୁଣ୍ଟ। ଆମର କାମ ଜାରି ରହିବ। ଏଭଳି ପରିସ୍ଥିତିକୁ ଆଉ ଦୀର୍ଘ ସମୟ ଚାଲିବାକୁ ଦିଆଯିବ ନାହିଁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପବ୍ଲିକ୍ ଏଗଜାମିନେସନ୍ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍-୨୦୨୬’କୁ ରାଜ୍ୟସଭାରେ ଧ୍ୱନିମତ ଭୋଟ୍ରେ ପାରିତ କରାଯାଇଛି। ଏହାପୂର୍ବରୁ ଲୋକସଭା ବୁଧବାର ଏହି ବିଲକୁ ମଞ୍ଜୁରି ଦେଇଥିଲା। ରାଜ୍ୟସଭାରେ ଭୋଟ୍ ପୂର୍ବରୁ ଇଣ୍ଡିଆ ମେଣ୍ଟର କିଛି ବିରୋଧୀ ଦଳ ୱାକ୍ଆଉଟ୍ କରିଥିଲେ।
ନୂଆ ସଂଶୋଧନ ଅନୁସାରେ, ପେପର ଲିକ୍ କିମ୍ବା ପରୀକ୍ଷାରେ ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୫ ବର୍ଷରୁ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦିଆଯିବ। ଏହାସହ ସର୍ବାଧିକ ୫୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ ହେବ।
ସେହିପରି, ସଂଗଠିତ ଭାବେ ପେପର ଲିକ୍ କିମ୍ବା ପରୀକ୍ଷା ଠକେଇ ରାକେଟ୍ ଚଳାଉଥିବା ଗ୍ୟାଙ୍ଗ ବିରୋଧରେ ଆହୁରି କଡ଼ା ବ୍ୟବସ୍ଥା କରାଯାଇଛି। ଏଭଳି ମାମଲାରେ ସର୍ବନିମ୍ନ ୭ ବର୍ଷ ଜେଲ୍ ସହ ୧୦ କୋଟି ଟଙ୍କାରୁ କମ୍ ନୁହେଁ ଜରିମାନା ଲାଗୁ କରିବାକୁ ବିଲ୍ରେ ପ୍ରସ୍ତାବ ରହିଛି।
କେନ୍ଦ୍ର ସରକାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏହି କଡ଼ା ଆଇନ ଅଣାଯାଇଛି। ଏହା ମାଧ୍ୟମରେ ପେପର ଲିକ୍ ଏବଂ ପରୀକ୍ଷା ଦୁର୍ନୀତି ଉପରେ କଡ଼ା ଅଙ୍କୁଶ ଲାଗିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
