ସୋରୋ: ଅଙ୍ଗନବାଡ଼ିରେ ପିଲାଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟରେ ପଡ଼ିଗଲା ଝିଟିପିଟି। ଆଉ ସେହି ବିଷାକ୍ତ ଖାଦ୍ୟ ଖାଇ ଏବେ ୭ରୁ ଅଧିକ ଗୁରୁତର। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତରେ।
ସୂଚନା ଅନୁସାରେ, ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ପାଇଁ ରନ୍ଧାଯାଇଥିବା ଖାଦ୍ୟ ଖାଇ ୭ ଶିଶୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣାପଡ଼ିଛି ଖାଦ୍ୟ ବଣ୍ଟନ ସରିବା ପରେ ଜଣେ ଶିଶୁ ଯେତେବେଳେ ଡାଲି ଗୋଳାଇଥିଲେ ସେଥିରେ ଏକ ଝିଟିପିଟି ଦେଖିବାକୁ ମିଳିଥିଲା। ହେଲେ ସେତେବେଳକୁ ଅନେକ ପିଲା ଖାଦ୍ୟ ଖାଇସାରିଥିଲେ। ଏମିତିରେ ପ୍ରାୟ ୭ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା।
Also Read: ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ, ବ୍ଲକ୍ ଘେରିଲେ ଲୋକେ
ଖବର ପାଇ ଅଭିଭାବକମାନେ ସଙ୍ଗେ ସଙ୍ଗେ ପିଲାଙ୍କୁ ସିମୁଳିଆ ମେଡିକାଲ ନେଇଥିଲେ। ସେଠାରେ ତୁରନ୍ତି ପିଲାମାନଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ବର୍ତ୍ତମାନ ପିଲାମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ସେପଟେ ଏଭଳି ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ।
