ୱାଶିଂଟନ : ଖାଦ୍ୟରେ ସାଧାରଣତଃ ଅଧିକାଂଶ ଲୋକ ଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ଖାଦ୍ୟରେ ସ୍ୱାଦ ବଢ଼ାଇଥାଏ । କିନ୍ତୁ ଥରେ ଭାବନ୍ତୁ ଯଦି ସେହି ଲଙ୍କା ଖାଇ ୩00 ରୁ ଅଧିକ ଲୋକେ ଅସୁସ୍ଥ ହୋଇପଡନ୍ତି ବା ସଂକ୍ରମିତ ହୁଅନ୍ତି ତେବେ ଆପଣ କଣ କରିବେ ? ଆପଣ ହୁଏତ ଲଙ୍କା ଖାଇବା ଛାଡ଼ିଦେବେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଆମେରିକାରେ ବର୍ତ୍ତମାନ ଏହି ଲଙ୍କା ଖାଇ ଅଧିକାଂଶ ଲୋକେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଲଙ୍କାକୁ ନେଇ ଆମେରିକାରେ ଦେଖାଦେଇଛି ବଡ଼ ସ୍ୱାସ୍ଥ୍ୟ ସମସ୍ୟା । ଆମେରିକାରେ ମେକ୍ସିକୋରୁ ଆମଦାନି ହୋଇଥିବା ଜାଲାପେନୋ ଲଙ୍କା ଶହ ଶହ ଲୋକଙ୍କ ଅସୁସ୍ଥତାର କାରଣ ପାଲଟିଛି ।
ମେକ୍ସିକୋରୁ ଆମଦାନି ହୋଇଥିବା ଜାଲାପେନୋ ଲଙ୍କା ସହ ଜଡ଼ିତ ସାଲମୋନେଲା ସଂକ୍ରମଣ ୨୭ଟି ରାଜ୍ୟରେ ଚିନ୍ତା ବଢ଼ାଇଛି। ଏପର୍ଯ୍ୟନ୍ତ ୩୪୫ ଜଣ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ବେଳେ, ଶତାଧିକ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି । ଯଦିଓ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ଘଟିନାହିଁ, ତଥାପି ଆମେରିକାର ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ଏହାକୁ ନେଇ ସତର୍କତା ଜାରି କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସିଗୁଡ଼ିକ ତଦନ୍ତକୁ କରୁଛନ୍ତି । ସେଥିଲାଗି ଏବେ ଜାଲାପେନୋ ଲଙ୍କାକୁ ବଜାରରୁ ପ୍ରତ୍ୟାହାର କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।
ଆମେରିକାରେ ସାଲମୋନେଲା ସଂକ୍ରମଣର ଉତ୍ସ ଭାବେ ଚିହ୍ନଟ ହୋଇଛି ମେକ୍ସିକୋର ସିନାଲୋଆ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଜାଲାପେନୋ ଲଙ୍କା। ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଏବଂ ରୋଗ ନିୟନ୍ତ୍ରଣ କେନ୍ଦ୍ରର ତଦନ୍ତରେ ଜଣାପଡ଼ିଛି ଯେ, ଏହି ଲଙ୍କା ଏକ ବିତରକ ସଂସ୍ଥା ମାଧ୍ୟମରେ ଆମେରିକାକୁ ପହଞ୍ଚିଥିଲା । ତଦନ୍ତରେ ସାମିଲ ଅଧିକାଂଶ ସଂକ୍ରମିତ ବ୍ୟକ୍ତି କହିଛନ୍ତି ଯେ, ସେମାନେ ନିକଟରେ ମେକ୍ସିକାନ୍ ଶୈଳୀର ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇଥିଲେ। ଏହା ପରେ କିଛି ପ୍ରମୁଖ ରେଷ୍ଟୁରାଣ୍ଟ ସତର୍କତାମୂଳକ ପଦକ୍ଷେପ ଭାବେ ନିଜ ମେନୁରୁ ଜାଲାପେନୋ ଲଙ୍କାକୁ ହଟାଇ ଦେଇଛନ୍ତି। ସାଲମୋନେଲା ସଂକ୍ରମଣରେ ସାଧାରଣତଃ ଝାଡ଼ା, ଜ୍ୱର, ପେଟ ବ୍ୟଥା, ବାନ୍ତି ଓ ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଯାଏ। ଛୋଟ ପିଲା, ବୟସ୍କ ଓ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ ଏହି ସଂକ୍ରମଣ ଅଧିକ ବିପଦଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ଜାଲାପେନୋ ଲଙ୍କାକୁ ବଜାରରୁ ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
