Voice of Eastern India

ଭାରତୀୟ ନୌସେନାକୁ ମିଳିଲା ‘MQ-9B ସି ଗାର୍ଡିୟାନ’ ରିମୋଟଲୀ ପାଇଲଟେଡ ଏୟାରକ୍ରାଫ୍ଚ, ଲିଜ ରାଜୀନାମା ସ୍ୱାକ୍ଷରିତ


ନୂଆଦିଲ୍ଲୀ: ଭାରତୀୟ ନୌସେନା ତାର ସମୁଦ୍ର ମନିଟରିଂ ଓ ଗୁଇନ୍ଦା ସୂଚନା ସଂଗ୍ରହ କ୍ଷମତା ବଢାଇବାକୁ ଯାଉଛି। ଏଥି ପାଇଁ ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନ-୨ରେ ସୋମବାର ଆମେରିକୀୟ କମ୍ପାନୀ ‘ଜେନେରାଲ ଏଟମିକ୍ସ ଏରୋନଟିକାଲ ସିଷ୍ଟମସ୍ ଇଂକ୍’ ସହ ଏକ ଗୁରୁତ୍ୱପୂର୍ଣ୍ଣ ଲିଜ୍ ଏଗ୍ରୀମେଣ୍ଟ ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁସାରେ ଭାରତୀୟ ନୌସେନାକୁ ୩୦ ମାସ ନିମନ୍ତେ ଦୁଇଟି ‘ଏମକ୍ୟୁ-୯ବି ସି ଗାର୍ଡିଆନ’ ହାଇଅଲ୍ଟିଟ୍ୟୁଡ ଲଙ୍ଗ ଏଣ୍ଡ୍ୟୋରେନ୍ସ (ଏଚଏଏଲଇ) ରିମୋଟଲି ପାଇଲଟେଡ (ବିନା ପାଇଲଟ) ଏୟାରକ୍ରାଫ୍ଟ ଲିଜରେ ମିଳିବ।

ପାଖାପାଖି ୧,୯୪୩ କୋଟି ଟଙ୍କାର ଏହି ରାଜିନାମାରେ ଅତିରିକ୍ତ ସଚିବ ଓ ମହାନିର୍ଦ୍ଦେଶକ (ଅଧିଗ୍ରହଣ) ଏ.ଅମ୍ବାରାସୁଙ୍କ ଉପସ୍ଥିତିରେ ସ୍ୱାକ୍ଷର କରାଯାଇଛି। ମିଳୁଥିବା ସୂଚନା ଅନୁସାରେ ଏହି ଡ୍ରୋନ ଲଗାତାର ୩୦-୪୦ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ରହି ପାରିବ। ଏହାର ମୋଟ ଉଡାଣ ରେଞ୍ଜ ୧୧,୦୦୦ କିଲୋମିଟରରୁ ବି ଅଧିକ। ଏହା ୪୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ କାମ କରିପାରିବ। ଏହାର ଅଧିକତମ ବେଗ ୩୮୮ରୁ ୪୪୦ କିଲୋମିଟର (୨୧୦-୨୪୦ନଟ୍) ଯାହା ଏହାକୁ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଓ ପାଟ୍ରୋଲିଂ ପାଇଁ ସକ୍ଷମ କରିଛି।

ଏହା ୨,୧୫୫ କେଜି ପର୍ଯ୍ୟନ୍ତ ପେ ଲୋଡ ନେଇ ଉଡି ପାରିବ। ଏଥିରେ ୨,୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ବାହ୍ୟ ପେ ଲୋଡ ମଧ୍ୟ ରହିବ। ଏହାର ୩୬୦ ଡିଗ୍ରି ମେରିଟାଇମ ସର୍ଚ୍ଚ ରାଡାର, ଇଲେକ୍ଟ୍ରୋଅପ୍ଟିକାଲ ଇନଫ୍ରାରେଡ କ୍ୟାମେରା, ଅଟୋମ୍ୟାଟିକ୍ ଆଇଡେଣ୍ଟି ଫିକେସନ ସିଷ୍ଚମ, ଆଣ୍ଟି ସବମେରିନ ୱେରଫେୟାର ଲାଗି ସୋନୋବୟ ଡିସ୍ପେନସର ଲାଗିଛି। ଏହାର ରାଡାର ଖରାପ ପାଗ ଓ ଘନ ବାଦଲରେ ମଧ୍ୟ ଜାହାଜଙ୍କ ସଠିକ୍ ମ୍ୟାପିଂ କରିପାରିବ। ଭାରତ ଲାଗି ହୀନ୍ଦ ମହାସାଗର କ୍ଷେତ୍ର ରଣନୈତି ଓ ବ୍ୟବସାୟୀକ ରୂପେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା କିଛି ବର୍ଷ ହେଲା ଚୀନ୍ ନୌସେନା ଓ ରିସର୍ଚ୍ଚ ଜାହାଜଙ୍କ ଉପସ୍ଥିତି ଯୋଗୁ ଆହ୍ୱାନପୂର୍ଣ୍ଣ ହୋଇପଡିଛି। ଏଭଳି ପରିସ୍ଥିତିରେ ୩୦ ମାସ ଲିଜରେ ମିଳିବାକୁ ଥିବା ଏହି ଡ୍ରୋନ ଏକ ଦୂରଦର୍ଶି ପଦକ୍ଷେପ ହେବ।

ଆମେରିକାଠାରୁ ଏପରି ଡ୍ରୋନ କ୍ରୟ ଲାଗି ପ୍ରକ୍ରିୟା ବେଶ୍ ଦୀର୍ଘ। ଏଣୁ ଲିଜ୍ ଏଗ୍ରିମେଣ୍ଟରେ ବିନା କୌଣସି ବିଳମ୍ବରେ ତୁରନ୍ତ ଅତ୍ୟାଧୁନିକ ସର୍ଭିଲାନ୍ସ କ୍ଷମତା ମିଳିଯାଇଛି। ଫାଇଟର ଜେଟ୍ ଅଥବା ପାଇଲଟ ଚଳାଉଥିବା ଗୁଇନ୍ଦା ବିମାନ ତୁଳନାରେ ଡ୍ରୋନରୁ ମନିଟରିଂ କରିବା ବେଶ୍ ସହଜ। ଏହାଛଡା ପାଇଲଟଙ୍କ ଜୀବନକୁ ବିପଦରେ ନ ପକାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଟ୍ରୋଲିଂ କରିବା ଏହାଦ୍ୱାରା ସହଜ। ଏହା ମଲ୍ଲକା ଷ୍ଟ୍ରେଟ୍ ରୁ ଆରମ୍ଭ କରି ଏଡେନ ଉପସଗାର ପର୍ଯ୍ୟନ୍ତ ସନ୍ଦିଗ୍ଧ ଜାହାଜ, ବୁଡ଼ାଜାହାଜ ଓ ଗୋପନ ଗତିବିଦ୍ଧି ସମ୍ପର୍କରେ ରିୟଲଟାଇମ ସୂଚନା ଭାରତୀୟ ନୌସେନା କମାଣ୍ଡ ସେଣ୍ଟରକୁ ପଠାଇ ପାରିବ।

Source link



Source link

Leave A Reply

Your email address will not be published.