ହକି ବିଶ୍ୱକପରେ ଭାରତ ଭାଙ୍ଗିଲା ୫୨ ବର୍ଷ ପୁରୁଣା ରେକର୍ଡ, ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇ ହାସଲ କଲା ସବୁଠାରୁ ବଡ଼ ବିଜୟ
ନୂଆଦିଲ୍ଲୀ: ଏଫ୍ଆଇଏଚ୍ ମହିଳା ୱାର୍ଲ୍ଡ କପ୍ ୨୦୨୬ର ପୁଲ୍-ଡି ମ୍ୟାଚ୍ରେ ଭାରତୀୟ ମହିଳା ହକି ଟିମ୍ ଏକ ଐତିହାସିକ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାକୁ ୬-୧ ବଡ଼ ବ୍ୟବଧାନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଛି । ମହିଳା ହକି ବିଶ୍ୱକପ୍ ଇତିହାସରେ ଏହା ଭାରତର ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବିଜୟ । ଏହାପୂର୍ବରୁ ଭାରତର ଶ୍ରେଷ୍ଠ ରେକର୍ଡ ୧୯୭୪ରେ ସ୍ପେନ୍ ବିପକ୍ଷରେ ୪-୧ରେ ବିଜୟ ଥିଲା ।
ପ୍ରଥମ ହାଫ୍ରେ ୩-୦ରେ ଅଗ୍ରଣୀ
ଭାରତୀୟ ଫରୱାର୍ଡ ଲାଇନ୍ ମ୍ୟାଚ୍ର ପ୍ରଥମ ମିନିଟ୍ରୁ ହିଁ ବିପକ୍ଷ ଟିମ୍ ଉପରେ କ୍ରମାଗତ ଚାପ ବଜାୟ ରଖିଥିଲେ । ପ୍ରଥମ କ୍ୱାର୍ଟରରେ ସାକ୍ଷୀ ରାଣାଙ୍କ ପାସରେ ସୁନେଲିତା ଟପ୍ପୋ ସହଜ ଟ୍ୟାପ୍-ଇନ୍ କରି ଭାରତର ଖାତା ଖୋଲିଥିଲେ । ପରେ ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି କର୍ଣ୍ଣରରେ ଷ୍ଟାର ଷ୍ଟ୍ରାଇକର ନବନୀତ କୌର ଜୋରଦାର ସ୍ଲାପ୍ ଶଟ୍ ମାଧ୍ୟମରେ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ଏହାର କିଛି ସମୟ ପରେ ସୁଶୀଳା ଚାନୁ ରିବାଉଣ୍ଡରେ ବଲକୁ ନେଟ୍ ଭିତରକୁ ପଠାଇ ସ୍କୋର ୩-୦ କରିଦେଇଥିଲେ ।
𝗪𝗵𝗮𝘁 𝗮 𝗵𝗶𝘀𝘁𝗼𝗿𝗶𝗰 𝘀𝘁𝗮𝘁𝗲𝗺𝗲𝗻𝘁 𝗳𝗿𝗼𝗺 𝘁𝗵𝗲 𝗜𝗻𝗱𝗶𝗮𝗻 𝗪𝗼𝗺𝗲𝗻’𝘀 𝗧𝗲𝗮𝗺!
India put on a dominant show to beat South Africa 6-1 and climb to the top of Pool D at the FIH Hockey World Cup Belgium & Netherlands 2026.
A big win. A big… pic.twitter.com/eTaG332IQO
— Hockey India (@TheHockeyIndia) August 18, 2026
ତୃତୀୟ କ୍ୱାର୍ଟରରେ ମାରିଲେ ୩ଟି ଗୋଲ୍
ହାଫ୍-ଟାଇମ୍ ପରେ ଭାରତୀୟ ଷ୍ଟ୍ରାଇକରମାନେ ନିଜର ଦ୍ରୁତ ରିଭର୍ସ-ଷ୍ଟିକ୍ ଶଟ୍ସ ମାଧ୍ୟମରେ କମାଲ କରିଥିଲେ। ଦୀପିକା ସେହରାୱତ, ଲାଲରେମସିଆମି ଏବଂ ସାକ୍ଷୀ ରାଣା ଗୋଟିଏ ପରେ ଗୋଟିଏ ଧୂଆଁଧାର ଗୋଲ୍ ଦେଇ ୬-୦ରେ ଆଗୁଆ କରିଥିଲେ । ମ୍ୟାଚର ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାୟଲା ଡି ୱାଲ୍ ପେନାଲ୍ଟି କୋର୍ନର ଡିଫ୍ଲେକ୍ସନରେ ଏକମାତ୍ର ଗୋଲ୍ କରିଥିଲେ, କିନ୍ତୁ ସେତେବେଳକୁ ଭାରତ ନିଜର ବିଜୟ ପକ୍କା କରିସାରିଥିଲା ।



