Voice of Eastern India

ବ୍ରିଟେନର ୩ ଏୟାରପୋର୍ଟ ଉପରେ ବଡ଼ ଧରଣର ସାଇବର ଆକ୍ରମଣ, ଲିକ୍ ହୋଇଗଲା ୮୭ଲକ୍ଷ ଯାତ୍ରୀଙ୍କ ପର୍ସନାଲ ଡାଟା


ଲଣ୍ଡନ: ବ୍ରିଟେନର ୩ ମୁଖ୍ୟ ଏୟାରପୋର୍ଟ ମଞ୍ଚେଷ୍ଟର, ଲଣ୍ଡନ ଷ୍ଟେନଷ୍ଟେଡ ଓ ଇଷ୍ଟ ମିଡଲ୍ୟାଣ୍ଡସ୍ ଉପରେ ଏକ ବଡ଼ ସାଇବର ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସୁଛି। ‘ଦି ଗାର୍ଡିଆନ’ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ହ୍ୟାକର୍ସ ୮୭ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ଡାଟା ଚୋରାଇ ନେଇଛନ୍ତି। ଏହି ୩ଟିଯାକ ଏୟାରପୋର୍ଟକୁ ସଞ୍ଚାଳନ କରୁଥିବା ମଞ୍ଚେଷ୍ଟର ଏୟାରପୋର୍ଟ ଗ୍ରୁପ (ଏମଏଜି) ଏହି ଘଟଣା ପୁଷ୍ଟି କରିଛନ୍ତି। ଏମଏଜିଙ୍କ ଅନୁସାରେ ଯେଉଁ ସୂଚନା ଲିକ୍ ହୋଇଛି ସେଥିରେ ଗ୍ରାହକଙ୍କ ଇ-ମେଲ, ଫୋନ ନମ୍ବର, ଗାଡି ରେଜିଷ୍ଟ୍ରେସନ ନମ୍ବର ଓ ପୋଷ୍ଟ କୋଡ ରହିଛି।

ଏହି ପ୍ରଭାବିତ ଡାଟା ମୁଖ୍ୟ ରୂପେ କାର ପାର୍କିଂ, ଏୟାରପୋର୍ଟ ଲାଉଞ୍ଜ, ଫାଷ୍ଟଟ୍ରାକ୍ ବୁକିଂ ଓ ଇନ-ଏୟାରପୋର୍ଟ ୱାଇ-ଫାଇ ଉପଯୋଗ ଲାଗି ସାଇନଅଫ କରିବା ସମୟରେ ଦିଆଯାଇଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଏହି ସିଷ୍ଟମରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଅଥବା ପେମେଣ୍ଟ ସୂଚନା ସେଭ ନଥିଲା। ଏଣୁ ଯାତ୍ରୀଙ୍କ ଆର୍ଥିକ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ସେହିପରି ଅନ୍ୟ ଏକ ଆଶ୍ୱସ୍ତିର କଥା ହେଉଛି ଏହି ସାଇବର ଆକ୍ରମଣରେ ଏଭିଏସନ ସୁରକ୍ଷାର କୌଣସି କ୍ଷତି ହୋଇ ନାହିଁ। ଏଣୁ ଏୟାରପୋର୍ଟ ଗ୍ରୁପ ସ୍ପଷ୍ଟ କରିଛି ଯେ ଏହି ସାଇବର ଆକ୍ରମଣରେ ଯାତ୍ରୀ ସୁରକ୍ଷା ଅଥବା ଏଭିଏସନ ସୁରକ୍ଷା ଉପରେ କୌଣସି ପ୍ରଭାବ ପଡିନାହିଁ।

ଏୟାରପୋର୍ଟ କାମ ସମ୍ପୂର୍ଣ୍ଣ ସ୍ୱଭାବିକ ଚାଲିଥିବା ବେଳେ ଉଡାଣରେ ମଧ୍ୟ କୌଣସି ବାଧା ଉପୁଜି ନାହିଁ। ପାର୍କିଂ ଓ ଅନ୍ୟ ଗ୍ରାହକ ସେବା ମଧ୍ୟ ସ୍ୱଭାବିକ ରହିଛି। ଏମଏଜି କହିଛି ଯେ ଏହି ଘଟଣା ଗତ ୱିକେଣ୍ଡରେ ହୋଇଥିଲା ଓ ଜଣାପଡିବା ମାତ୍ରେ ସ୍ଥିତିକୁ ନିୟନ୍ତ୍ରଣକୁ ନିଆଯିବା ସହ ବିପଦ ଟଳା ଯାଇଥିଲା। କମ୍ପାନୀ ସାଇବର ସୁରକ୍ଷା ବିଶେଷ ବିଶେଷଜ୍ଞଙ୍କ ସହ ମିଶି ନିଜ ସିଷ୍ଟମ ସୁରକ୍ଷିତ କରିବା ସାଙ୍ଗକୁ ଗ୍ରାହକଙ୍କ ସୂଚନା ସୁରକ୍ଷିତ କରିବାକୁ ପଦକ୍ଷେପ ନେଇଛି।

ଏମଏଜି ମୁଖପାତ୍ର ଗୁରୁବାର କହିଛନ୍ତି ଯେ ସେ ସମ୍ପର୍କିତ ଅଧିକାରୀଙ୍କୁ ଏ ବାବଦେ ସୂଚନା ଦେଇଛନ୍ତି ଓ ସେମାନେ ଯାଞ୍ଚରେ ସହଯୋଗ କରୁଛନ୍ତି। ତେବେ ଏଥି ପାଇଁ କମ୍ପାନୀ ଗ୍ରାହକଙ୍କ ଚିନ୍ତା ଲାଗି କ୍ଷମାଯାଚନା କରିଛି। ତେବେ ଲଣ୍ଡନ ଷ୍ଟେନଷ୍ଟେଡ ଏୟାରପୋର୍ଟ ଏ ବାବଦେ ଏକ ପୃଥକ ଚେତାବନୀ ଜାରି କରି ଗ୍ରାହକଙ୍କୁ ଚୋରି ହୋଇଥିବା ସୂଚନା ଉପଯୋଗ କରି ଠକେଇରୁ ନିଜକୁ ରକ୍ଷା କରନ୍ତୁ ବୋଲି ସତର୍କ କରିଛନ୍ତି।

Source link



Source link

Leave A Reply

Your email address will not be published.