ସାଗର: ବହୁ ଚର୍ଚ୍ଚିତ ଫିଲ୍ମ ‘ହନୁମାନ ଅଂଶ’ର ସୁମଧୁର ଗୀତ ‘ଓ ମୈନେ ତେରେ ହି ଭରୋସେ ହନୁମାନ..’ର ଗାୟକ ସୁନିଲ ଲୋଧି ଏବେ ଚର୍ଚ୍ଚାରେ। ଜନ୍ମରୁ ଦୃଷ୍ଟିହୀନ ‘ବୁନ୍ଦେଲ’ ଲୋକ ଗାୟକ ସୁନିଲଙ୍କ ଗ୍ରାମୀଣ ସ୍ୱର ସାରା ଦେଶରେ ତାଙ୍କୁ ନୂଆ ପରିଚୟ ଦେଇଛି। ଏବେ ଏହି ପରିଚୟ ତାଙ୍କ ଆଖିର ଜ୍ୟୋତି ଫେରାଇବାର ଆଶାକୁ ବଢେଇ ଦେଇଛି। ଚଳଚିତ୍ର ହନୁମାନ ଅଂଶର ନିର୍ମାତ୍ରୀ ଅନୁପ୍ରିୟା ନାଗର ତାଙ୍କ ଚିକିତ୍ସା ପାଇଁ ଆଗକୁ ଆସିଛନ୍ତି।
ଏହା ପୂର୍ବରୁ ସୁନିଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ତାଙ୍କ ଚିକିତ୍ସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମୋହନ ଯାଦବ ପ୍ରତିଶ୍ରୁତି ଦେଇଥିଲେ। ମଧ୍ୟପ୍ରଦେଶ ସାଗର ଜିଲ୍ଲା ବାସିନ୍ଦା ସୁନିଲ କହିଛନ୍ତି ଯେ ଚଳଚିତ୍ର ନିର୍ମାତ୍ରୀ ଅନୁପ୍ରିୟା ନାଗର ତାଙ୍କ ଲାଗି ମୁମ୍ବାଇରେ ଜଣେ ନେତ୍ର ରୋଗ ବିଶେଷଜ୍ଞ ଙ୍କ ସହ ଆପଏଣ୍ଟମେଣ୍ଟ ନେଇଛନ୍ତି। ସେ ମୁମ୍ବାଇ ଗଲେ ବିଶେଷଜ୍ଞ ଡାକ୍ତର ତାଙ୍କ ନେତ୍ର ପରୀକ୍ଷା କରି ପରବର୍ତ୍ତି ଚିକିତ୍ସା ପଦକ୍ଷେପ ନେବେ।
ଯାଞ୍ଚ ରିପୋର୍ଟରୁ ଜଣାପଡିବ ତାଙ୍କ ଦୃଷ୍ଟି ଶକ୍ତିରେ ସୁଧାର ସମ୍ଭାବନା କେତେ ଓ ତାଙ୍କ ଲାଗି କେଉଁ ଉପଚାର ବିକଳ୍ପ ଉପଲବ୍ଧ ହୋଇ ପାରିବ? ଜନ୍ମରୁ ଦୃଷ୍ଟିହୀନ ସୁନୀଲ ତାଙ୍କ ସଙ୍ଗୀତ ସାଧନାରେ ଦୁର୍ବଳତାକୁ ବାଧା ହେବାକୁ ଦେଇ ନାହାନ୍ତି। ସେ ବୁନ୍ଦେଲୀ ଲୋକଗୀତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନୀମ କରୌରୀ ବାବାଙ୍କ ଉପରେ ଆଧାରିତ ହନୁମାନ ଅଂଶ ଫିଲ୍ମରେ ସୁନିଲଙ୍କ ସ୍ୱରରେ ଗାନ କରାଯାଇଥିବା ଭଜନ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ବୁନ୍ଦେଲୀ ଗାୟନ ଶୈଳୀ ତାଙ୍କ ଖାସ ପରିଚୟ ହୋଇ ପାରିଛି।
