Voice of Eastern India

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ବାଭାବିକ ଠାରୁ ୨୯ ପ୍ରତିଶତ ଅଧିକ ବର୍ଷା, ବାଲେଶ୍ୱର ଓ ବୌଦ୍ଧ ଆଗରେ


ଭୁବନେଶ୍ୱର: ଦେଶରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ହେଲେ ବର୍ଷା ପରିମାଣରେ କିନ୍ତୁ ଦେଖିବାକୁ ମିଳିଛି ବଡ଼ ପାର୍ଥକ୍ୟ । ଜାତୀୟ ସ୍ତରରେ ମୋଟ ମୌସୁମୀ ବର୍ଷାରେ ୧୩ ପ୍ରତିଶତ ହ୍ରାସ ଘଟିଥିବା ବେଳେ, ଓଡ଼ିଶାରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଓଡ଼ିଶାରେ ଏଥର ସ୍ୱାଭାବିକଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଦେଶରେ ଏବର୍ଷ ହାରାହାରି ୮୬୮.୬ ମିଲିମିଟର ବଦଳରେ ମାତ୍ର ୭୫୯.୪ ମିଲିମିଟର ବର୍ଷା ହୋଇଛି, ଯାହା ନିଅଣ୍ଟିଆ । ବିଶେଷ କରି ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ପଶ୍ଚିମ ଓ ଦକ୍ଷିଣ ରାଜ୍ୟଗୁଡ଼ିକରେ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି । ଏହାର ବିପରୀତରେ, ଓଡ଼ିଶାରେ ସ୍ୱାଭାବିକ ଆକଳନ ୧,୧୫୦.୨ ମିଲିମିଟର ସ୍ଥାନରେ ୧,୪୮୨.୩ ମିଲିମିଟର ବର୍ଷା ହୋଇଛି । ଜାମ୍ମୁ-କାଶ୍ମୀର ସହ ଓଡ଼ିଶା ଦେଶର ସର୍ବାଧିକ ବର୍ଷା ପାଇଥିବା ଅଞ୍ଚଳ ମଧ୍ୟରେ ସ୍ଥାନ ପାଇଛି।

ଓଡ଼ିଶାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା

ରିପୋର୍ଟ ଅନୁସାରେ, ରାଜ୍ୟରେ ସବୁଠାରୁ ଅଧିକ ବାଲେଶ୍ବରରେ ୧,୯୦୭.୧ ମିଲିମିଟର ଏବଂ ବୌଦ୍ଧରେ ୧,୭୬୯.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ପରେ ମୟୂରଭଞ୍ଜ, କେନ୍ଦୁଝର ଓ ବରଗଡ଼ରେ ଯଥାକ୍ରମେ ୧,୮୬୨.୬ ମିଲିମିଟର, ୧,୭୬୫ ମିଲିମିଟର ଏବଂ ୧,୭୦୫.୨ ମିଲିମିଟରର ବର୍ଷା ରେକର୍ଡ ହୋଇଛି। ଗଜପତିରେ ସବୁଠାରୁ କମ୍ ଅର୍ଥାତ୍ ୮୯୬.୭ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୧ ପ୍ରତିଶତ କମ୍।

Also Read: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା ; କ୍ଷୟକ୍ଷତିର ଆକଳନ ଚାଲିଛି, ଦୁର୍ଗାପୂଜା ପୂର୍ବରୁ ମିଳିବ କ୍ଷତିପୂରଣ

ବନ୍ୟା ସ୍ଥିତି ଓ ପାଣିପାଗ ସତର୍କତା:

ଏହି ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟର ଅନେକ ସ୍ଥାନରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ସ୍ଥିତି ଉପୁଜିଥିଲା, ଯାହା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର ଓ ସହାୟତା କାର୍ଯ୍ୟ କରାଯାଇଛି। ବର୍ତ୍ତମାନ ମୌସୁମୀ ଅପସାରଣ ହେଉଥିଲେ ମଧ୍ୟ ଉତ୍ତର ମିଆଁମାର ଓ ବାଂଲାଦେଶ ଅଞ୍ଚଳରେ ଏକ ସକ୍ରିୟ ଗୁରୁଚାପ ବଳୟ ଯୋଗୁଁ ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାରେ ପାଣିପାଗ ବଦଳିବ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ବଜ୍ରପାତ ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ନେଇ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ପରେ ରାଜ୍ୟରେ ପାଣିପାଗ ସ୍ୱାଭାବିକ ହେବା ସହ ଖରା ପାଗ ପ୍ରକାଶ ପାଇବ ବୋଲି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି।

Source link



Source link

Leave A Reply

Your email address will not be published.