ଟାଙ୍ଗୀ: ଜମିରେ ବିଦ୍ୟୁତ୍ ଆଘାତରେ ବାପା- ପୁଅଙ୍କ ଅକାଳ ମୃତ୍ୟୁ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ମୃତକ ହେଲେ ହରିପୁର ଗ୍ରାମର ରବୀନ୍ଦ୍ର ଗୁରୁ ଏବଂ ତାଙ୍କ ପୁଅ ପବିତ୍ର ଗୁରୁ।
ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ ରବୀନ୍ଦ୍ର ଗୁରୁ ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ନିଜ ଫସଲକୁ ରକ୍ଷା କରିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଏମିତିରେ ବାପା ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ଦେଖି ପୁଅ ପବିତ୍ର ତାଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଦୌଡ଼ି ଯାଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ, ବାପାଙ୍କୁ ବଞ୍ଚାଇବା ଚେଷ୍ଟାରେ ପବିତ୍ର ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ମୃତ
ତେବେ ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ନାଚୁଣୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାପା-ପୁଅଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟାଙ୍ଗୀ ମେଡିକାଲକୁ ପଠାଇଛି। ବିଦ୍ୟୁତ୍ ତାର ବିଛାଯିବା ପଛର କାରଣ ଏବଂ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
