କଳାହାଣ୍ଡି, ୦୪/୧୧ : ଓଡ଼ିଶା ରାଜନୀତିର ଜଣେ ଅଭିଜ୍ଞ ରାଜନେତାଙ୍କ ପରଲୋକ। ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ରାସ ବିହାରୀ ବେହେରା। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା। ୮୮ ବର୍ଷ ବୟସରେ ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଆଖି ବୁଜିଛନ୍ତି।
ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ ରହିଥିଲେ । ୧୯୭୭ ଓ ୧୯୮୫ରେ କୋକସରାରୁ ଦୁଇ ଥର ବିଧାୟକ ଏବଂ ୧୯୮୦ରେ କଳାହାଣ୍ଡିରୁ ଲୋକସଭା ସାଂସଦ ହୋଇଥିଲେ। ତାଙ୍କ ବିୟୋଗରେ କଳାହାଣ୍ଡି ସମେତ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।ଜଣେ ଜନପ୍ରତିନିଧି ଭାବରେ ଲୋକଙ୍କ ସ୍ୱାର୍ଥ, ଅଞ୍ଚଳର ବିକାଶ ଏବଂ ସମାଜସେବା ପାଇଁ ତାଙ୍କର ଅବଦାନ ରହିଥିଲା। ରାଜନୀତି ସହ ସାହିତ୍ୟ ଓ ଭ୍ରମଣ ଲେଖାରେ ମଧ୍ୟ ଥିଲା ତାଙ୍କର ରୁଚି ରହିଥିଲା।
୧୯୩୮ ମସିହା ୧୨ ଏପ୍ରିଲରେ ରାସ ବିହାରୀ ଜନ୍ମ ଗ୍ରହଣ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ରାଜନୈତିକ କର୍ମୀ ଭାବରେ ସେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରହିବା ସହ ଲୋକଙ୍କ ସମସ୍ୟାକୁ ରାଜନୈତିକ ମଞ୍ଚରେ ଉଠାଇବା ଥିଲା ତାଙ୍କର ପରିଚୟ। ରାଜନୀତିରେ ତାଙ୍କର ଥିଲା ଲମ୍ବା ଅଭିଜ୍ଞତା। ୧୯୭୭ ମସିହାରେ କୋକସରା ବିଧାନସଭା ଆସନରୁ ନିର୍ବାଚିତ ହୋଇ ପହଞ୍ଚିଥିଲେ ଓଡ଼ିଶା ବିଧାନସଭାରେ। ପରେ ୧୯୮୦ ମସିହାରେ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇ ସଂସଦରେ ପହଞ୍ଚିଥିଲେ। ପୁଣି ୧୯୮୫ ମସିହାରେ କୋକସରାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
Also Read :- ନଭେମ୍ବର ୧୬ରେ ପୁଣି ଲଘୁଚାପ ! ବଙ୍ଗୋପସାଗରରେ ନୂଆ ସିଷ୍ଟମ୍, ଆସିବ କି ବାତ୍ୟା ?
କେବଳ ରାଜନୀତି ନୁହେଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ଥିଲା ତାଙ୍କର ସ୍ୱତନ୍ତ୍ର ରୁଚି। ତାଙ୍କ ରଚିତ ଉପନ୍ୟାସ ‘ବିଜୟୀ’ ତାଙ୍କ ସାହିତ୍ୟିକ ସୃଷ୍ଟିର ଏକ ନିଦର୍ଶନ।ସେହିପରି ଭ୍ରମଣ ସାହିତ୍ୟ ‘ଅନନ୍ୟସୃଷ୍ଟି କାନାଡ଼ା’ ମାଧ୍ୟମରେ ନିଜ ଅନୁଭୂତି ଓ ଭ୍ରମଣର ଅନୁଭବକୁ ପାଠକଙ୍କ ନିକଟରେ ପହଞ୍ଚାଇଥିଲେ। ଜଣେ ରାଜନେତା ଭାବରେ ତାଙ୍କର ରାଜନୈତିକ ଯାତ୍ରା, ଜଣେ ଜନପ୍ରତିନିଧି ଭାବରେ ତାଙ୍କର ଅବଦାନ ଏବଂ ଜଣେ ସାହିତ୍ୟପ୍ରେମୀ ଭାବରେ ତାଙ୍କର ସୃଷ୍ଟି—ସବୁକିଛି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତେବେ ରାସ ବିହାରୀ ବେହେରାଙ୍କ ବିୟୋଗ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।
