Voice of Eastern India

ପୁଣି ବିପଦ : ୧୧ରେ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ, ୧୫ ତାରିଖରେ ଅବପାତ !


ଭୁବନେଶ୍ୱର, ୬/୧୧ : ବଙ୍ଗୋପସାଗରରେ ପୁଣି ଲଘୁଚାପ ଦାନା ବନ୍ଧିବା ନେଇ ଆକଳନ କରାଯାଉଛି। ବିଭିନ୍ନ ମଡେଲର ଆକଳନକୁ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବିସ୍ତାରିତ ପୂର୍ବାନୁମାନରେ ସୂଚାଇଛି, ସମ୍ଭବତଃ ୧୧ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ୧୩ରେ ଲଘୁଚାପ ରୂପ ନେଇପାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ। ଅଳ୍ପ ସମ୍ଭାବନା ରହିଛି ଯେ ଏହା ୧୫ ତାରିଖବେଳକୁ ଏକ ଅବପାତରେ ପରିଣତ ହୋଇପାରେ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ।

ଏହାର ଗତିପଥ, ତୀବ୍ରତା ନେଇ ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ। ବିଶେଷଜ୍ଞଙ୍କ ମତରେ ସାଧାରଣତଃ ନଭେମ୍ବର ମାସରେ ସୃଷ୍ଟି ହେଉଥିବା ଅବପାତ କିମ୍ବା ବାତ୍ୟା ଓଡ଼ିଶା ଉପକୂଳ ଆସିବା ସମ୍ଭାବନା କମ୍ ରହିଥାଏ । ଅଧିକାଂଶ ସମୟରେ ଏହାର ଗତି ତାମିଲନାଡୁ କିମ୍ବା ଆନ୍ଧ୍ର ଉପକୂଳ ଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଆକଳନ କରାଯାଇଛି, ସେଥିରେ ଓଡ଼ିଶା ଆଡ଼କୁ ଏହାର ଗତିପଥ ରହିବା ସମ୍ଭାବନା କମ୍। ମାତ୍ର ଏତେ ଆଗରୁ ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ । ଏପରିକି ଏହା ମିଆଁମାର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ବର୍ତ୍ତମାନ ସ୍ଥିତିରେ ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ଦୁଇଦିନ (ଶୁକ୍ରବାର ଓ ଶନିବାର) ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । କେବଳ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୮ ତାରିଖରେ ଦୀପାବଳି ପର୍ବରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୩ ଦିନ ଭିତରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ।

Also Read :- ଭୁବନେଶ୍ୱରରେ ହୀରା ପେଣ୍ଡେଣ୍ଟ ଓ ସୁନା ଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ପୋଲିସ ଡ୍ରାଇଭର

ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ବା ଅବପାତ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ। ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ୭ ତାରିଖରୁ ରାଜ୍ୟରେ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ ଖସିପାରେ। କନ୍ଧମାଳ, ଗଜପତି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ। ଅନ୍ୟପଟେ ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ସେଲସିୟସ୍ ଭିତରେ ରହିପାରେ।

Source link



Source link

Leave A Reply

Your email address will not be published.