ନୂଆଦିଲ୍ଲୀ,୨୦|୦୬:ଭାରତକୁ ଅନ୍ତର୍ଜାତୀୟ ମଞ୍ଚରେ ବଡ ସଫଳତା । ବଡ ଉପଲବ୍ଧି ହାସଲ କଲେ ଭାରତୀୟ ଅଧିକାରୀ । ପ୍ରଥମ ଥର ପାଇଁ ଭାରତକୁ ମନି ଲଣ୍ଡରିଂ ଏବଂ ଟେରର ଫାଇନାନସିଂ ବିରୋଧରେ ଲଢିବା ଦିଗରେ ସଫଳକା ମିଳିଛି । ୧୯୯୪ ବ୍ୟାଚର ଆଇଏଏସ ଅଧିକାରୀ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସଚିବ ବିବେକ ଅଗ୍ରଓ୍ୱାଲଙ୍କୁ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ ବା ଏଫଏଟିଏଫର ଉପାଧ୍ୟକ୍ଷ ପଦ ଦିଆଯାଇଛି ।
ପ୍ରଥମ ଥର ପାଇଁ ଭାରତକୁ ଏଫଏଟିଏଫ ଭଳି ବୈଶ୍ୱିକ ସଂସ୍ଥାରେ ଉପାଧ୍ୟକ୍ଷ ପଦ ମିଳିଛି । ତାଙ୍କୁ ସଂସ୍ଥାର କୋର୍ ସଦସ୍ୟମାନେ ଚୟନ କରିଛନ୍ତି । ସେ ସଂସ୍ଥାକୁ ଆଗକୁ ବଢାଇବା ଦିଗରେ ସଭାପତି ବା ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବେ । ପ୍ୟାରିସ ସ୍ଥିତ ଏଫଏଟିଏଫରେ କୌଣସି ଭାରତୀୟଙ୍କୁ ସମ୍ମାନଜନକ ପଦ ମିଳିବା ଦେଶ ପାଇଁ ଗୌରବର ବିଷୟ ଅଟେ ।
ଭାରତ ପାଇଁ ଖାସ୍
ଏଫଏଟିଏଫର ଗ୍ଲୋବାଲ୍ ନେଟଓ୍ୱର୍କରେ ୨୦୦ରୁ ଅଧିକ ପ୍ରାବଧାନ ରହିଛି । ଏହି ଫୋରମରେ ଉପ ସଭାପତି ହେବା ଦେଶର କ୍ଷମତାକୁ ଦର୍ଶାଉଛି । ଭାରତ ଆତଙ୍କବାଦ ଏବଂ ଆତଙ୍କୀ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସଫଳ ହୋଇଥିବାରୁ ଏହି ପଦ ମିଳିଛି । ଆତଙ୍କବାଦ ରୋକିବା ପାଇଁ ମଧ୍ୟ ସରକାର ଲଗାତାର ଭାବେ ନୂଆ ଆଇନ୍ ଆଣୁଛନ୍ତି ।
ଏଫଏଟିଏଫ୍ କ’ଣ ?
ଫାଇନାନସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ । ଏହାର ମୁଖ୍ୟାଳୟ ପ୍ୟାରିସରେ ରହିଛି । ଏହା ମନି ଲଣ୍ଡରିଂ, ଆତଙ୍କବାଦ ଗତିବିଧି ପାଇଁ ଟଙ୍କା କାରବାର ରୋକିବା ଦିଗରେ କାର୍ଯ୍ୟ କରେ । ଏହାର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ହୋଇଥାଏ । ଏହାର ଉପାଧ୍ୟକ୍ଷ ବା ଉପସଭାପତି ଅଧ୍ୟକ୍ଷଙ୍କୁ ସଂସ୍ଥାର ଲକ୍ଷ୍ୟ ପୂରଣରେ ସହାୟତା ପ୍ରଦାନ କରିଥାନ୍ତି ।
