Voice of Eastern India

ମେଡିକାଲରୁ ଛୁଆ ଚୋରି ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି


ଉମରକୋଟ ୨୧।୬: ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ଆଣି ଜଣେ ଦମ୍ପତି ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପ୍ରସୂତି ମହିଳା ଜଣକ ହେଲେ ସୁଖୀଗାଁ ପଞ୍ଚାୟତ ଡାବରୀଗୁଡାର ଧନମତି ସାନ୍ତା ଓ ସ୍ୱାମୀ କମଳ ସାନ୍ତା ଗତ ଏପ୍ରିଲ ୨ ତାରିଖରେ ମହିଳାଙ୍କ ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଚିକିତ୍ସାଳୟରେ ପ୍ରସବ ପରେ ତାଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ କରାଯିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଧନମତି ସାନ୍ତା ନାମକ ମହିଳା ଏପ୍ରିଲ ୨ ତାରିଖ ଦିନ ସକାଳ ୭ଟା ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ପୂଜାରୀଗୁଡା ପରେ ଉମରକୋଟ ଚିକିତ୍ସାଳୟ ଆସିଥିଲେ ଏବଂ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ଶିଶୁପୁତ୍ର ଜନ୍ମ ହୋଇଛି ବୋଲି ଧନମତିକୁ ଜଣାଇଥିଲେ । ପରେ ଶିଶୁଟିକୁ ମାଆକୁ ଧରାଇ ପରେ ନେଇ ଯାଇଥିଲେ ବୋଲି ପ୍ରସୂତି ମହିଳା ଜଣଙ୍କ କହିଛନ୍ତି । ପରେ ଧନମତିଙ୍କ ସ୍ୱାମୀଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇ ଆମ୍ବୁଲାନ୍ସ ଯୋଗେ ମୋତେ କୋରାପୁଟ ମେଡିକାଲକୁ ଅଧିକ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ ବୋଲି ପ୍ରସୂତି ମହିଳା ଜଣକ କହିଛନ୍ତି ।

ଅନ୍ୟପଟେ କୋରାପୁଟରୁ ଫେରିବା ପରେ ଶିଶୁ ପୁତ୍ରର ମୃତ୍ୟୁ ହେଇଛି ବୋଲି କହିଥିଲେ । ମୃତ ଶିଶୁଟିର ମୃତ ଶରୀର ମଧ୍ୟ ଦେଇ ନଥିଲେ ବୋଲି ପ୍ରସୂତି ମହିଳା ଜଣକ ପ୍ରକାଶ କରିଛନ୍ତି । ମୁଁ ନିଜେ ମେଡିକାଲ ବେଡ୍ରେ ଛୁଆକୁ ଦେଖିଛି ବୋଲି ଲୁହ ଭିଜା ଆଖିରେ କାନ୍ଦି କାନ୍ଦି କହିଛନ୍ତି ମହିଳା ଜଣଙ୍କ । ଆମ ପିଲା ବଞ୍ଚିଛି ଆଉ ଆମ ପିଲାକୁ ସେମାନେ ଲୁଚେଇ ଦେଇଛନ୍ତି ବୋଲି କହିଛନ୍ତି । ଚିକିତ୍ସାଳୟର ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏ ସମ୍ପର୍କରେ ଜାଣି ଉଭୟଙ୍କୁ ନ୍ୟାୟ ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସନ୍ତୁଳା ଦୁରିଆ ମଧ୍ୟ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

ଅନ୍ୟପଟେ ଏ ସମ୍ପର୍କରେ ଉମରକୋଟ ମେଡିକାଲ ଇନଚାର୍ଜ ପ୍ରମୋଦ କୁମାର ନାୟକ କହିଛନ୍ତି ମହିଳା ଜଣକ ଗୁରୁତର ଅବସ୍ଥାରେ ମେଡିକାଲ ଆସିଥିଲେ । ଛୁଆ ଜନ୍ମ ହେବା ସମୟରେ ନବଜାତ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା, ମହିଳାଙ୍କ ସ୍ୱାମୀଙ୍କୁ ଅବଗତ କରାଯାଇଥିଲା । ମୃତ ଶିଶୁଟିକୁ ନେବୁନାହିଁ କହି ମହିଳାଙ୍କ ସ୍ୱାମୀ ଦସ୍ତଖତ ମଧ୍ୟ କରିଛନ୍ତି । ଅନ୍ୟପଟେ ମହିଳା ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ପଠାଯାଇଥିଲା । ତେଣୁ ପରିବାର ପକ୍ଷରୁ ସେମାନେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି । ମେଡିକାଲ ଇନଚାର୍ଜ ପ୍ରମୋଦ କୁମାର ନାୟକ ଏବଂ ମେଡିକାଲରେ ଛୁଆ କିଏ କାହିଁକି ଲୁଚେଇବେ ବା ଚୋରି କରିବେ ବୋଲି କହିଛନ୍ତି।

Source link



Source link

Leave A Reply

Your email address will not be published.