ନୂଆଦିଲ୍ଲୀ: ଉତ୍ତର ଜର୍ମାନୀର ଷ୍ଟାଡେ ସହରରେ ସୋମବାର ଗୁଳିକାଣ୍ଡ ଘଟିଛି। ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୁଖ୍ୟ ଆକ୍ରମଣକାରୀ ସହ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୋଲିସ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥା AFP କୁ ସୂଚନା ଦେଇଛନ୍ତି। ପୋଲିସର ସୂଚନା ମୁତାବକ, ସହରର ଏକ ଯୁବ କଲ୍ୟାଣ କେନ୍ଦ୍ର ନିକଟରେ ହଠାତ୍ ଅନ୍ଧାଧୁନ ଗୁଳିମାଡ଼ ହୋଇଥିଲା । ଏହି ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ସହର ବାହାରେ ଏକ ବଡ଼ ଧରଣର ସୁରକ୍ଷା ଅପରେସନ ଆରମ୍ଭ କରାଯାଇଛି ।
ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି କହିଛି, ‘ଆପଣମାନଙ୍କ ନିଜ ସୁରକ୍ଷା ପାଇଁ ଏହି ଅଞ୍ଚଳ ତୁରନ୍ତ ଖାଲି କରନ୍ତୁ ଏବଂ ଏହି ସ୍ଥାନଠାରୁ ଦୂରରେ ରୁହନ୍ତୁ। ଯୁବ କଲ୍ୟାଣ କେନ୍ଦ୍ର ପରିସରରେ ଏହି ଗୁଳିକାଣ୍ଡ ଘଟିଛି, ଯେଉଁଥିରେ ୫ ଜଣ ନିରୀହ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ କେତେକ ବ୍ୟକ୍ତି ଆହତ ହୋଇଛନ୍ତି ।’ ସୂଚନାଯୋଗ୍ୟ ଯେ, ହାମବର୍ଗ ସହରର ପଶ୍ଚିମରେ ଅବସ୍ଥିତ ଏହି ଷ୍ଟାଡେ ସହରର ମୋଟ ଜନସଂଖ୍ୟା ପ୍ରାୟ ୫୦,୦୦୦।
ଆମେରିକା ତୁଳନାରେ ଜର୍ମାନୀରେ ବନ୍ଧୁକ ରଖିବା ସମ୍ପର୍କିତ ନିୟମ ଅତ୍ୟନ୍ତ କଠୋର, ଯେଉଁଥିପାଇଁ ଏଠାରେ ଗଣ-ଗୁଳିକାଣ୍ଡ ଭଳି ଘଟଣା ସାଧାରଣତଃ ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଜର୍ମାନୀରେ ୨୫ ବର୍ଷରୁ କମ୍ ବୟସର ଯେକୌଣସି ବ୍ୟକ୍ତି ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିବା ପୂର୍ବରୁ ଏକ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷାରେ ସମ୍ମୁଖୀନ ହୁଅନ୍ତି । ସେଥିରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ ।
ଏହା ପୂର୍ବରୁ ମାର୍ଚ୍ଚ ୨୦୨୩ ରେ ଜର୍ମାନୀରେ ଏକ ବଡ଼ ଗୁଳିକାଣ୍ଡ ଘଟିଥିଲା। ସେତେବେଳେ ହାମବର୍ଗଠାରେ ଜଣେ ଅସନ୍ତୁଷ୍ଟ ପୂର୍ବତନ ସଦସ୍ୟ ‘ଜେହୋଭାଜ୍ ୱିଟନେସ୍’ ଖ୍ରୀଷ୍ଟିଆନ ସଂଗଠନର ପ୍ରାର୍ଥନା ସଭାରେ ୬ ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲା। ଆଜିର ଏହି ଗୁଳିକାଣ୍ଡ ପଛର ପ୍ରକୃତ କାରଣ ଏବଂ ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଛି।
