Voice of Eastern India

ଖଟି କରିବାକୁ ଡାକି ସାଙ୍ଗକୁ ମାରିଦେଲା ସାଙ୍ଗ, ସନ୍ଦେହ ଯୋଗୁ ରଚିଥିଲା ହତ୍ୟା ଷଡଯନ୍ତ୍ର


ବୌଦ୍ଧ: ଦୁହେଁ ଥିଲେ ଖୁବ୍ ଭଲ ସାଙ୍ଗ। ଏକାଠି ହେଉଥିଲା ଉଠାବସା, ଖଟି ମଜା… ସବୁ କିଛି। ହେଲେ ସାମାନ୍ୟ ସନ୍ଦେହକୁ ନେଇ ଭୁଲିଗଲେ ସବୁ କିଛି। ବନ୍ଧୁ ସାଜିଲା ବଇରୀ। ସାଙ୍ଗକୁ ଜୀବନରୁ ହଟାଇଦେବାକୁ ପଛାଇଲାନି ଆଉ ଜଣେ ସାଙ୍ଗ। ଯୋଜନା କରି ଖଟିକୁ ଡାକି, ମଦ ପିଆଇ ଅତି ନିର୍ମମ ଭାବେ ବେକ କାଟି ହତ୍ୟା କରିଦେଲା। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଡିଗି ଗ୍ରାମରେ।ମୃତକ ରୁଷିବନ୍ଧ ଗ୍ରାମର କପିଲ ନାୟକ (୩୦)।

ସୂଚନା ଅନୁସାରେ, ଡିଗି ଗ୍ରାମ ନିକଟରେ ଥିବା ଏକ ଫାଷ୍ଟଫୁଡ ଦୋକାନ ପାଖରୁ ଶନିବାର ସକାଳେ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ସେହି ମୃତଦେହ ଥିଲା ରୁଷିବନ୍ଧ ଗ୍ରାମର ୩୦ ବର୍ଷୀୟ କପିଲ ନାୟକଙ୍କର। କପିଲ ବୃତ୍ତିରେ ଜଣେ ଟ୍ରାକ୍ଟର ଚାଳକ। ସେ ବିବାହିତ ଥିବା ସହ ତାଙ୍କର ତିନୋଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତିରେ ସେ ମାଲିକଙ୍କ ପାଖରୁ ବକେୟା ଟଙ୍କା ଆଣିବାକୁ କହି ଘରୁ ବାହାରିଥିଲେ। ହେଲେ ରାତିରେ ଆଉ ଘରକୁ ଫେରିନଥିଲେ । କିନ୍ତୁ ଶନିବାର ସକାଳୁ ଫାଷ୍ଟଫୁଡ୍ ଦୋକାନ ନିକଟରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଓ ପୋଲିସକୁ ଖବର ଦେଇଥିଲେ। କପିଲଙ୍କ ମୁଣ୍ଡ ଏବଂ ବେକରେ ଗଭୀର ଆଘାତର ଚିହ୍ନ ଥିବା ବେଳେ ଘଟଣାସ୍ଥଳରେ ରକ୍ତଭିଜା ପଥର ଓ ଭଙ୍ଗା ମଦ ବୋତଲ ପଡ଼ି ରହିଥିଲା। ପୁଅର ଏଭଳି ନିର୍ମମ ମୃତ୍ୟୁକୁ ନେଇ ବାପା ରମେଶ ନାୟକ ଥାନାରେ ହତ୍ୟା ଏତଲା ଦେଇଥିଲେ ।

Also Read: ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ ୧୩ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟଣାକୁ ପୂରିଲା ୧୦ ଦିନ, କୋହଭରା ପରିବେଶର ସରିଲା ଦଶାହ

ଅଭିଯୋଗ ପରେ ହତ୍ୟାକାଣ୍ଡକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିଲା ପୋଲିସ। ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନାଙ୍କ ନିର୍ଦ୍ଦେଶକ୍ରମେ SDPO ଲରେନ୍ ରାଉତରାୟ ଏବଂ ମନମୁଣ୍ଡା ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶୁଆପାବିଲି ଗ୍ରାମର ୧୯ ବର୍ଷୀୟ ବାଲ୍ମୀକି ପୋଢ଼କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସର ଘନ ଘନ ଜେରା ଆଗରେ ଅଭିଯୁକ୍ତ ବାଲ୍ମୀକି ନିଜର ଦୋଷ ସ୍ୱୀକାର କରିଛି।

ପୋଲିସର କହିବା ଅନୁସାରେ, ମୃତ କପିଲ ଓ ଅଭିଯୁକ୍ତ ବାଲ୍ମୀକି ଦୁହେଁ ଘନିଷ୍ଠ ବନ୍ଧୁ । ମାତ୍ର ବାଲ୍ମୀକିର ଜଣେ ସମ୍ପକୀୟଙ୍କ ସହ କପିଲଙ୍କ ପ୍ରେମ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲା। ଏହାକୁ ନେଇ ପୂର୍ବରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଶେଷରେ ପରିବାରର ସମ୍ମାନ ରକ୍ଷା ଆଳରେ କପିଲକୁ ରାସ୍ତାରୁ ହଟାଇବାକୁ ବାଲ୍ମୀକି କରିଥିଲା ଯୋଜନା। ଶୁକ୍ରବାର ରାତିରେ ମଦ ପିଇବା ବାହାନାରେ ସେ କପିଲକୁ ଡାକି ନେଇ ପ୍ରଚୁର ମଦ ପିଆଇ ଥିଲା। ଏହାପରେ ପ୍ରଥମେ କାଠ ଫାଳିଆ ଓ ପଥରରେ ମୁଣ୍ଡକୁ କ୍ଷତବିକ୍ଷତ କରିବା ପରେ, ମଦ ବୋତଲ ଭାଙ୍ଗି କପିଲଙ୍କ ବେକକୁ କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲା। ତେବେ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବାଲ୍ମୀକିକୁ କୋର୍ଟ ଚାଲାଣ କରିଛି ପୋଲିସ।

ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜଣେ ବିଶ୍ବସ୍ତ ସାଙ୍ଗ କେମିତି କ୍ଷଣିକ ସନ୍ଦେହ ଆଉ ଆକ୍ରୋଶ ପାଇଁ ସୈତାନ ସାଜି ନିଜ ବନ୍ଧୁଙ୍କ ଜୀବନ ନେଇଗଲା। ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ।

Source link



Source link

Leave A Reply

Your email address will not be published.