କଟକ: ରାଜ୍ୟରେ ବର୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ । ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସୋମବାର କଟକ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସମେତ କଲେଜଗୁଡ଼ିକ ମଧ୍ୟ କାଲି ପାଇଁ ବନ୍ଦ ରହିବ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ଆସନ୍ତାକାଲି ପାଇଁ ବନ୍ଦ କରାଯାଇଛି ।
ପାଣିପାଗ ବିଭାଗର ସତର୍କ ସୂଚନା ପରେ ଜିଲ୍ଲା ପ୍ରଶାସନ ବେଶ୍ ତତ୍ପରତା ପ୍ରକାଶ କରିଛି । କୌଣସି ପ୍ରକାଶ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସାଧାରଣ ଲୋକଙ୍କୁ ଜଳାଶୟ, ନଦୀ କିମ୍ବା ନାଳ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ପିଲାମାନଙ୍କ ଉପରେ ନଜର ରଖିବାକୁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି । କୌଣସି ଅଘଟଣକୁ ରୋକିବା ପାଇଁ ଆସନ୍ତାକାଲି ବିଭିନ୍ନ ନଦୀଘାଟରୁ ବାଲି ଉଠାଣ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।
