Voice of Eastern India

କିଛି ସମୟ ପରେ ଖୋଲିବ ହୀରାକୁଦ୍ ଗେଟ୍, ମାଡ଼ି ଆସିବ ବନ୍ୟାଜଳ : ରୁହନ୍ତୁ ସାବଧାନ !


ସମ୍ବଲପୁର,|୦୭: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୁରୁବାର ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୧ଟାରେ ହୀରାକୁଦ ସ୍ପିଲ୍ୱେର ପ୍ରାୟ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ । ଏଥିପାଇଁ ନଦୀବନ୍ଧ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ମହାନଦୀ ଓ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ଅବବାହିକା ଓ ତଳମୁଣ୍ଡରେ ଥିବା ଲୋକଙ୍କୁ ମହାନଦୀରେ ପ୍ରବେଶ ନକରିବା ସହ ସତର୍କ ରହିବାକୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ସୂଚନା ଅନୁସାରେ, ପୂର୍ବବର୍ଷ ପରି ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ । ପରେ ପ୍ରର୍ଯ୍ୟାୟକ୍ରମେ ଆଉ ୩ଟି ଗେଟ୍ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ପରେ ସ୍ଥିତିକୁ ଦେଖି ଗେଟ୍ ଖୋଲିବା ସଂଖ୍ୟା ବୃଦ୍ଧି କରାଯିବ । ତେବେ ରୁଲ୍କଭ୍ର୍ ଅନୁସାରେ, ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୦୫ ଫୁଟ୍ ରହିବାର ନିୟମକୁ ଆଧାର କରି ବନ୍ୟାଜଳ ପରିଚାଳନା କରାଯାଉଛି ।

Also Read :- ହୀରାକୁଦ ଡ୍ୟାମ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା: ପ୍ରଶାସନର କଡ଼ା ନିର୍ଦ୍ଦେଶ, ବିନା ଅନୁମତିରେ ଉଡ଼ିପାରିବନି ଡ୍ରୋନ୍

ନଦୀବନ୍ଧର ମୁଖ୍ୟଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି, ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି । ଉପରମୁଣ୍ଡ ସମେତ ଇବ୍ ଓ ଭେଡେନ୍ ନଦୀରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ଅଢ଼େଇ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ସେହିପରି ବୁର୍ଲା ପାୱାର୍ କେନାଲ୍, ଶାସନ ଓ ବରଗଡ କେନାଲ୍ ମାଧ୍ୟମରେ ସେକେଣ୍ଡ ପ୍ରତି ପ୍ରାୟ ୩୦ ହଜାର୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ମହାନଦୀର ତଳମୁଣ୍ଡରେ ପ୍ରବାହିତ ବନ୍ୟାଜଳ ପରିମାଣ ଗତକାଲି ଠାରୁ ହ୍ରାସ୍ ପାଇଛି । ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳରାଶି ଓ ତଳମୁଣ୍ଡର ସ୍ଥିତିକୁ ଦେଖି ଜଳ ନିଷ୍କାସନ ପରିମାଣ ଓ ଗେଟ୍ ସଂଖ୍ୟା ସ୍ଥିର କରାଯିବ । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଥିବା ଇଂ ଚୌଧୁରୀ କହିଛନ୍ତି ।

Source link



Source link

Leave A Reply

Your email address will not be published.