ଅଯୋଧ୍ୟା ରାମ ମନ୍ଦିରକୁ ୨୦୦ କେଜି ରୁପା ଦାନ କରିଥିଲା ସିନ୍ଧି ସମୂଦାୟ, ମାଗିଲା ଜବାବ, ଜାଣନ୍ତୁ କ’ଣ କହିଛି ଟ୍ରଷ୍ଟ?
ଅଯୋଧ୍ୟା : ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ୨୦୨୧ ମସିହାରେ ସିନ୍ଧି ସମୂଦାୟ ସଦସ୍ୟଙ୍କ ଦ୍ୱାରା ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ୨୦୦ କିଲୋଗ୍ରାମ ରୁପା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଛି। ଏ ନେଇ ଜାରି ସ୍ପଷ୍ଟିକରଣରେ ଟ୍ରଷ୍ଟ କହିଛି ଯେ ସବୁକିଛି ରେକର୍ଡ ରହିଥିବାବେଳେ ଉଲ୍ଲେଖିତ ମଧ୍ୟ କରାଯାଇଛି। ଏହି ଘଟଣା ବିଶ୍ୱ ସିନ୍ଧି ସେବା ସଙ୍ଗମ ଦ୍ୱାରା ଟ୍ରଷ୍ଟକୁ ପତ୍ର ଲେଖି ୨୬ ଜାନୁୟାରୀ ୨୦୨୧ରେ ଦାନ କରାଯାଇଥିବା ୨୦୦ କେଜି ରୁପା ସମ୍ପର୍କରେ ବିବରଣୀ ମାଗିବା ପରେ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ ସଙ୍ଗମ କହିଛି ଯେ ଦାନଦାତାଙ୍କୁ ସେମାନଙ୍କ ଯୋଗଦାନ ପାଇଁ ନା ତ ଅଧିକାରୀକ ରସିଦ ମିଳିଛି ନା ଦାନ ରୁପାକୁ କେଉଁ କାର୍ଯ୍ୟରେ କିପରି ଉପଯୋଗ କରାଯାଇଛି ସେ ସମ୍ପର୍କରେ କିଛି କୁହାଯାଇଛି। ମାମଲାକୁ ସ୍ପଷ୍ଟ କରି ଟେମ୍ପଲ ଟ୍ରଷ୍ଟ କହିଛନ୍ତି ଯେ ୨୦୦ ଇଟା ରୁପା ବାବଦେ ରେଜିଷ୍ଟରରେ ବିଧିବଦ୍ଧ ରେକର୍ଡ ରହିଛି। ଟ୍ରଷ୍ଟ ଏହା ଉପରେ ଆଲୋକପାତ କରି କହିଛି ଯେ ଦାନରେ ମିଳିଥିବା ରୁପାକୁ ଟ୍ରଷ୍ଟ ଅନ୍ୟ ରୁପା ସହ ତରଳାଇ ୯୯.୯୯% ଶୁଦ୍ଧତାର ୨୦ କେଜି ଲେଖାଏଁ ଛଡ ତିଆରି କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଉଚିତ ପ୍ରକ୍ରିୟା ପାଳନ କରି ଏହି ରୁପା ଛଡ ତିଆରି ହୋଇଥିଲା। ଏ ବାବଦେ ନିର୍ମାଣ ପ୍ରକ୍ରିୟାକୁ ସାବ୍ୟସ୍ତ କରୁଥିବା ଫଟୋଚିତ୍ରକୁ ଉତ୍ତରରେ ପ୍ରଦାନ କାରଯାଇଛି।
ଏଥିରେ ଏହା ବି କୁହାଯାଇଛି ଯେ ନବନିର୍ମିତ ରୁପା ଛଡକୁ ଅଯୋଧ୍ୟାସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଲକରରେ ସୁରକ୍ଷିତ ରଖା ଯାଇଛି। ଭବିଷ୍ୟତରେ ଆବଶ୍ୟକତା ପଡିଲେ ଟ୍ରଷ୍ଟ କାର୍ଯ୍ୟରେ ଏହି ରୁପା ଛଡ ଉପଯୋଗ ହେବ। ତେବେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବିଶ୍ୱ ସିନ୍ଧି ସେବା ସଙ୍ଗମକୁ ସମସ୍ତ ୨୦୦ ଦାତାଙ୍କ ନାମ, ଠିକଣା, ମୋବାଇଲ ନମ୍ବର, ପିଏଏନ ବିବରଣୀ ଓ ଇମେଲ ଠିକଣା ଉପଲବ୍ଧ କରାଇବାକୁ ମଧ୍ୟ ଅନୁରୋଧ କରିଛି। ଏହା ଦ୍ୱାରା ପ୍ରତ୍ୟେକ ଦାତାଙ୍କୁ ଅଧିକାରୀକ ରସିଦ ଜାରି ହୋଇ ପାରିବ। ସିନ୍ଧି ସଙ୍ଗମର ଏପରି ପ୍ରଶ୍ନ ସେହି ସମୟରେ ଆସିଛି ଯେତେବେଳେ ମନ୍ଦିର ଟ୍ରଷ୍ଟ ରାମ ମନ୍ଦିରରେ କଥିତ ଦାନଚୋରି ଯାଞ୍ଚର ସମ୍ମୁଖୀନ ହୋଇଛି।
