ଶ୍ରୀନଗର: ଜମ୍ମୁକାଶ୍ମୀରର ଶାସକ ଦଳ ‘ନ୍ୟାସନାଲ କନଫରେନ୍ସ’ (NC) ର ଜଣେ ପ୍ରଭାବଶାଳୀ ତଥା ବରିଷ୍ଠ ନେତା ଡାକ୍ତର ମୁସ୍ତାଫା କମାଲଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ସାନ ଭାଇ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମ୍ପର୍କୀୟ ଦାଦା । ଶ୍ରୀନଗରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ମାସ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା ଏବଂ ଗତ ଚାରି ଦିନ ହେବ ତାଙ୍କ ସ୍ଥିତି ଗୁରୁତର ହୋଇପଡ଼ିଥିଲା।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ (ଟ୍ୱିଟର) ରେ ଦୁଃଖ ପ୍ରକାଶ କରି ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ସେ ସାହସର ସହ ରୋଗ ସହ ଲଢ଼ିଥିଲେ। ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କର ଉପଯୁକ୍ତ ଚିକିତ୍ସା କରୁଥିଲେ, କିନ୍ତୁ ଆଲ୍ଲା ତାଙ୍କୁ ଶେଷ ଯାତ୍ରା ପାଇଁ ଡାକିନେଲେ। ଆଲ୍ଲା ଦାଦା ମୁସ୍ତାଫାଙ୍କୁ ଜନ୍ନତରେ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରନ୍ତୁ।’
ମୁସ୍ତାଫା କମାଲଙ୍କ ରାଜନୈତିକ ଯାତ୍ରା
ସେ ନ୍ୟାସନାଲ କନଫରେନ୍ସର ପ୍ରତିଷ୍ଠାତା ତଥା ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ମହମ୍ମଦ ଅବଦୁଲ୍ଲାଙ୍କ ପୁଅ । ମୁସ୍ତାଫା ପେଶାରେ ଜଣେ ଡାକ୍ତର ଥିଲେ। ତେବେ ଚିକିତ୍ସା ଛାଡ଼ି ଜନସେବାକୁ ଆପଣେଇଥିଲେ ଏବଂ ୧୯୮୦ ଦଶକର ପ୍ରାରମ୍ଭରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ସେ ପ୍ରଥମେ ୧୯୮୩ ମସିହାରେ ତତ୍କାଳୀନ ଜମ୍ମୁକାଶ୍ମୀର ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ଏହାପରେ ୧୯୮୭ ମସିହାରେ ଗୁଲମର୍ଗ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୦୨ ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ସହ ୧୯୮୩, ୧୯୮୭ ଏବଂ ୧୯୯୬ ମସିହାର ନ୍ୟାସନାଲ କନଫରେନ୍ସ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଜଣେ ସ୍ପଷ୍ଟବାଦୀ ନେତା ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା। ନିକଟ ଅତୀତରେ ସେ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଜୋରଦାର ବିରୋଧ କରିବା ସହ ଦଳର ଆଭିମୁଖ୍ୟକୁ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ। ବୟସାଧିକ କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ସେ ଦଳର ‘ଅତିରିକ୍ତ ସାଧାରଣ ସମ୍ପାଦକ’ ଭାବରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ତାଙ୍କର ଏହି ବିୟୋଗରେ ଦେଶର ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିବା ସହ ଅବଦୁଲ୍ଲା ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
