Voice of Eastern India

Colombia Quake: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା କଲମ୍ବିଆ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା


ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ଭୟଙ୍କର ଭୂମିକମ୍ପ। ଏହାର ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ଅନୁଭୂତ ଏହି ଭୂମିକମ୍ପ ଦେଶର ରାଜଧାନୀ ବୋଗୋଟା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଦୋହଲାଇ ଦେଇଛି । ୟୁରୋପୀୟ-ମେଡିଟେରେନିଆନ୍ ସିସମୋଲୋଜିକାଲ୍ ସେଣ୍ଟର ବା EMSC ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ୭.୪ ରହିଥିଲା ଏବଂ ଏହାର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୧୧୫ କିଲୋମିଟର ତଳେ ଥିଲା।

କଲମ୍ବିଆ ଭୂବୈଜ୍ଞାନିକ ସେବା ଅନୁସାରେ ଏହାର ତୀବ୍ରତା ୬.୭ ଏବଂ ଗଭୀରତା ୮୨ କିଲୋମିଟର ରହିଥିଲା। ପଶ୍ଚିମ ଚୋକୋ  ବିଭାଗର ‘ସାନ ଜୋସ୍ ଡେଲ୍ ପାଲମାର୍’ ନିକଟରେ ଏହାର କେନ୍ଦ୍ରବିନ୍ଦୁ ରହିଥିବା କୁହାଯାଇଛି। ସେପଟେ ଆମେରିକାର ସୁନାମୀ ସତର୍କତା ସଂସ୍ଥା ଏହାର ତୀବ୍ରତା ୭.୧ ରେକର୍ଡ କରିଛି। ତେବେ ଏହା ଯୋଗୁଁ କୌଣସି ସୁନାମି ଭୟ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୩୪ ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ବୋଗୋଟା, ଆଣ୍ଟିଓକିଆ, କୁଣ୍ଡିନାମାର୍କା ଏବଂ ମେଟା ସମେତ ଅନେକ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଭେନେଜୁଏଲା ସୀମାନ୍ତ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଚୋକୋ ରାଜ୍ୟର ଗଭର୍ଣ୍ଣର ନୁବିଆ କାରୋଲିନା କୋର୍ଡୋବା-କୁରୀ ସୋସିଆଲ ମିଡିଆ X ରେ ପୋଷ୍ଟ କରି କହିଛନ୍ତି ଯେ, କେନ୍ଦ୍ରବିନ୍ଦୁ ସାନ ଜୋସ୍ ଡେଲ୍ ପାଲମାର୍ ନିକଟରେ ଥିଲେ ମଧ୍ୟ ପ୍ରାଦେଶିକ ରାଜଧାନୀ କ୍ୱିବଡୋରେ ବହୁ ପ୍ରାସାଦ ଓ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ କିଛି ଲୋକ ଆହାତ ହୋଇଛନ୍ତି। Aftershocksର ଆଶଙ୍କା ଥିବାରୁ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ କଡ଼ାକଡ଼ି କରିଛି।

ଦକ୍ଷିଣ ଆମେରିକାର ଅନ୍ୟତମ ଭୂକମ୍ପ-ପ୍ରବଣ ଦେଶ ଭାବେ କଲମ୍ବିଆ ଜଣାଶୁଣା। ବିଭିନ୍ନ ଟେକ୍ଟୋନିକ୍ ପ୍ଲେଟ୍‌ର ସୀମାନ୍ତରେ ଅବସ୍ଥିତ ହୋଇଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ହୋଇଥାଏ। CGS ଅନୁଯାୟୀ, ଆଣ୍ଡିଆନ୍ ଅଞ୍ଚଳ, ଇଷ୍ଟର୍ଣ୍ଣ କୋର୍ଡିଲେରା ଏବଂ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ପୂର୍ବରୁ ୧୦୦ରୁ ଅଧିକ ବିନାଶକାରୀ ଭୂକମ୍ପ ରେକର୍ଡ କରାଯାଇଛି।


 

Source link





Source link

Leave A Reply

Your email address will not be published.