ନୂଆଦିଲ୍ଲୀ/ଭୁବନେଶ୍ଵର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ଓଡ଼ିଶା ପରି ଝାଡ଼ଖଣ୍ଡ ମାମଲାର ଶୁଣାଣି ହେବ। ସମାନ ମାମଲା ହୋଇଥିବାରୁ ଏହି ରାଜ୍ୟର ଶୁଣାଣି ପରେ ଓଡ଼ିଶା ଡିଜିପି ମାମଲାର ରାୟ ଦେଇ ପାରନ୍ତି ସୁପ୍ରିମକୋର୍ଟ। ଗତ ଶୁଣାଣିରେ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ନିଜ ନିଜର ତଥ୍ୟ ଓ ତର୍କ ରଖି ସାରିଛନ୍ତି। ଆଉ ଦୁଇଟି ପ୍ରଶ୍ନ ଉପରେ ରାଜ୍ୟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି।
ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ଦୁଇଟି ପ୍ରଶ୍ନ କରିଥିଲେ ଯେ, କାହିଁକି ଏକ୍ସ କ୍ୟାଡର ପୋଷ୍ଟ ଦରକାର ପଡ଼ିଲା ? ଅନ୍ୟଟି ୨ଏ ବଂ ୨ବି, ଯଦି ଆପଣଙ୍କ ପାଖରେ ଯୋଗ୍ୟ ତିନି ଜଣ କ୍ୟାଡରର ଆଇପିଏସ ଅଫିସର ଥିଲେ ଏବଂ ନାଁ ମଧ୍ୟ ସୁପାରିଶ ହୋଇ ସାରିଥିଲା, ତେବେ ପ୍ରକାଶ ସିଂ ଗାଇଡଲାଇନ ଅନୁସାରେ ନିଯୁକ୍ତ ନ ଦେଇ କାହିଁକି ପୁଣି ନାଁ ଯୋଡ଼ିଲେ। ଏହା ଉପରେ ନିଜର ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ କହିଛନ୍ତି ଯେ, ଏକ ଲାର୍ଜର ପୁଲ୍ ପାଇଁ ଏମିତି ନିଷ୍ପତ୍ତି ନିଆଯାଇଥିଲା। ସରକାର ଉଭୟ ଗହ ମନ୍ତ୍ରଣାଳୟ ଏବଂ ପ୍ରକାଶ ସିଂ ଗାଇଡଲାଇନର ଅନୁସରଣ କରିଛନ୍ତି।
Also Read: ଆସନ୍ତା ୮ରେ କଂଗ୍ରେସର ‘ଓଡ଼ିଶା ବନ୍ଦ’ ଡାକରା, MMDR ଆକ୍ଟ ସହ ଏସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ଦଳ
ଏହା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵ
ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା ଉପରେ ଗୁରୁତ୍ଵ ଦେଇଛନ୍ତି ଯେ, ପ୍ରକାଶ ସିଂ ଗାଇଡଲାଇନର ଅନୁସରଣ ହୋଇଛି କି ନାହିଁ ? ୟୁପିଏସସି ଏହା ଉପରେ ଠିକରେ ସମୀକ୍ଷା ଏବଂ ନିରୀକ୍ଷଣ କରିଛି କି ନାହିଁ ଏବଂ ରାଜ୍ୟ ସରକାର ଏହାର ଅନୁପାଳନ କରିଛନ୍ତି ନା ନାହିଁ ? ମୋଟାମୋଟି ଭାବେ ଓଡ଼ିଶା ଡିଜିପି ମାମଲାର ଶୁଣାଣି ଶେଷ ହୋଇଛି। ୮ ତାରିଖ ଝାଡ଼ଖଣ୍ଡ ମାମଲାର ଶୁଣାଣି ପରେ ଓଡ଼ିଶା ଉପରେ ରାୟ ଆସିପାରେ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ନିୟମ ଆଧାରରେ ଡିଜିପି ଚୟନ ପାଇଁ କିଛି କ୍ୟାଡର ବିବେଚିତ ଯୋଗ୍ୟ ଆଇପିଏସ୍ ଅଫିସରଙ୍କ ନାଁକୁ ୟୁପିଏସସି ନିକଟକୁ ପଠାଇଥାନ୍ତି ରାଜ୍ୟ ସରକାର। ଆଉ ୟୁପିଏସସି ଏହାର ସମୀକ୍ଷା କରିବା ପରେ ତିନି ଜଣ ବରିଷ୍ଠ ଏବଂ ଯୋଗ୍ୟ ଆଇପିଏସଙ୍କ ନାଁକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥାନ୍ତି। ୟୁପିଏସସି ତିନି ବରିଷ୍ଠ ଆଇପିଏସଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ତଥାପି ରାଜ୍ୟ ସରକାର ସୁପାରିଶ ହୋଇଥିବା ୩ ଆଇପିଏସଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତି ନ ଦେଇ ଏକ୍ସ କ୍ୟାଡର ପୋଷ୍ଟ କରି ୟୁପିଏସସିକୁ ପୁଣି ୮ଟି ନାଁ ପଠାଇଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।
