Voice of Eastern India

ଓଡ଼ିଶାରେ ସ୍ଥାପନ ହୋଇପାରେ ମହାକାଶ ସାଟେଲାଇଟ୍ ଲଞ୍ଚ ପ୍ୟାଡ୍: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର


ଭୁବନେଶ୍ୱର: ମହାକାଶ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଓଡ଼ିଶା ପାଇଁ ଆସିବାକୁ ଯାଉଛି ଏକ ବଡ଼ ସଫଳତା। ରାଜ୍ୟରେ ଏକ ସେଟଲାଇଟ୍ ଲଞ୍ଚ ପ୍ୟାଡ୍ ଷ୍ଟେସନ (ଉତକ୍ଷେପଣ କେନ୍ଦ୍ର) ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

ଜାତୀୟ ମହାକାଶ ଦିବସ ଅବସରରେ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ORSAC) ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ଏହି ଉତକ୍ଷେପଣ କେନ୍ଦ୍ର ସ୍ଥାପନ ନେଇ କେନ୍ଦ୍ର ବିଜ୍ଞାନ, କାରିଗରୀ ଓ ଅର୍ଥ ସାଇନ୍ସ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ହୋଇଛି। କେନ୍ଦ୍ର ମନ୍ତ୍ରୀ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିବା ସହ ଓଡ଼ିଶାରେ ଡ୍ରୋନ୍ ତିଆରି (Drone Manufacturing) ଉପରେ ମଧ୍ୟ ପରାମର୍ଶ ଦେଇଛନ୍ତି। ଇସ୍ରୋ (ISRO) ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିବା ବେଳେ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେବେ। ରାଜ୍ୟ କ୍ୟାବିନେଟ୍ର ମୋହର ବାଜିବା ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ।

ଭୁବନେଶ୍ୱରରେ ନିର୍ମାଣ ହେବ ‘ବିଜ୍ଞାନ ଭବନ’

ଏହା ସହିତ ରାଜ୍ୟରେ ବିଜ୍ଞାନର ପ୍ରସାର ପାଇଁ ଭୁବନେଶ୍ୱରରେ ଏକ ବିଶାଳ ‘ବିଜ୍ଞାନ ଭବନ’ ନିର୍ମାଣ କରାଯିବ। ଅନ୍ୟପଟେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ଓରସାକ୍ (ORSAC)ର ନବକଳେବର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ମହାକାଶ ପ୍ରଯୁକ୍ତିବିଦ୍ୟା ଯୋଗୁଁ ବଞ୍ଚିଲା ୭୦୦୦ କୋଟି ଟଙ୍କା

ବିଜ୍ଞାନ ଓ ସେଟଲାଇଟ୍ ସର୍ଭେର ସଠିକ୍ ଉପଯୋଗ କରି ରାଜ୍ୟ ସରକାର କିପରି ସ୍ୱଚ୍ଛତା ଆଣିପାରିଛନ୍ତି, ତାହାର ଏକ ବଡ଼ ଉଦାହରଣ ଦେଇଛନ୍ତି ମନ୍ତ୍ରୀ। ଅଣ-ଚାଷୀମାନେ ଭାଗଚାଷୀ ନାମରେ ଏବଂ ଅଣ-ଚାଷଜମିକୁ ଚାଷଜମି ଦର୍ଶାଇ ସରକାରୀ ଯୋଜନାରେ ପଞ୍ଜୀକରଣ କରୁଥିଲେ।  ଉପଗ୍ରହ ଚିତ୍ର ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଏହି ପ୍ରକାରର ଜାଲିଆତିକୁ ଧରାଯାଇପାରିଛି, ଯାହା ଫଳରେ ସରକାରଙ୍କ କୋଷାଗାରରୁ ପ୍ରାୟ ୭,୦୦୦ କୋଟି ଟଙ୍କା ବଞ୍ଚାଯାଇ ପାରିଛି। ଆଗାମୀ ଦିନରେ ଗଭୀର ସମୁଦ୍ର ଗବେଷଣା, ସମୁଦ୍ରଜାତ ଉଦ୍ଭିଦ, ତୈଳ ଏବଂ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।

Source link



Source link

Leave A Reply

Your email address will not be published.