Voice of Eastern India

କ୍ରିକେଟର ଅଖିଲେଶ ରେଡ୍ଡୀଙ୍କ କ୍ୟାରିୟର ଶେଷ ! ଦୁର୍ନୀତି ଅପରାଧ ପାଇଁ ୮ ବର୍ଷ ବ୍ୟାନ୍ କଲା ଆଇସିସି


ଦୁବାଇ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲର ଆଣ୍ଟି-କରପସନ୍ ଟ୍ରିବ୍ୟୁନାଲ କ୍ରିକେଟର ଅଖିଳେଶ ରେଡ୍ଡୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ଦୁର୍ନୀତି ନିରୋଧୀ ସଂହିତାର ତିନୋଟି ଧାରା ଭଙ୍ଗ କରିବାରେ ଦୋଷୀ ସାବ୍ୟସ୍ତ ହେବା ପରେ, ଆମେରିକୀୟ କ୍ରିକେଟର ଅଖିଲେଶ ରେଡ୍ଡୀଙ୍କୁ ସମସ୍ତ ପ୍ରକାର କ୍ରିକେଟରୁ ୮ ବର୍ଷ ପାଇଁ ବ୍ୟାନ୍ କରାଯାଇଛି ।

ଆଇସିସି ଅନୁଯାୟୀ, ୨୬ ବର୍ଷୀୟ ଅଖିଲେଶଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ୟୁଏଇରେ ଅନୁଷ୍ଠିତ ୨୦୨୫ ଆବୁଧାବି ଟ୍ରେଣ୍ଟି-୧୦ ଟୁର୍ଣ୍ଣାମେଣ୍ଟ ସମୟରେ ହୋଇଥିବା ଦୁର୍ନୀତି ସହ ଜଡ଼ିତ । ଏହି ବ୍ୟାନ ୨୧ ନଭେମ୍ବର ୨୦୨୫ ରୁ କାର୍ଯ୍ୟକାରୀ ହେବ । ଏହି ଟୁର୍ଣ୍ଣାମେଣ୍ଟର ଦୁର୍ନୀତି ନିରୋଧୀ ବ୍ୟବସ୍ଥାର ତଦାରଖ କରୁଥିବା ଆଇସିସି, ଅଖିଲେଶଙ୍କୁ ତିନୋଟି ଧାରାରେ ଦୋଷୀ ପାଇଛି ।

୧୯ ନଭେମ୍ବର ୨୦୨୫ରେ ଆସପିନ୍ ଷ୍ଟାଲିଅନ୍ସ ଟିମର ପ୍ରଥମ ମ୍ୟାଚ୍ ପୂର୍ବରୁ ଅଖିଲେଶ ତାଙ୍କର ଜଣେ ସାଥୀ ଖେଳାଳିଙ୍କୁ ବୋଲିଂ ସମୟରେ ରନ୍ ଦେବା ପାଇଁ କହିଥିଲେ । ଉକ୍ତ ସାଥୀ ଖେଳାଳି ଜଣକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତୁରନ୍ତ ଆଇସିସିର ଆଣ୍ଟି-କରପସନ୍ ୟୁନିଟକୁ ଏହି ବିଷୟରେ ରିପୋର୍ଟ କରିଥିଲେ ।

ତଦନ୍ତ ସମୟରେ ଅଖିଲେଶ ତାଙ୍କ ମୋବାଇଲରୁ ହ୍ୱାଟ୍ସଆପ୍, କଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ଡିଲିଟ୍ କରିଦେଇଥିବା ଜଣାପଡ଼ିଥିଲା, ଯାହା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲା । ନିଜର ଦୋଷ ସ୍ୱୀକାର ନ କରିବାରୁ ଏହି ମାମଲାଟି ଆଣ୍ଟି-କରପସନ୍ ଟ୍ରିବ୍ୟୁନାଲକୁ ପଠାଯାଇଥିଲା । ସେଠାରେ ଉଭୟ ପକ୍ଷର ପ୍ରମାଣ ଏବଂ ଯୁକ୍ତି ଶୁଣିବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୮ ବର୍ଷର ବ୍ୟାନ୍ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଅଖିଲେଶ ରେଡ୍ଡୀ ଆମେରିକା ଜାତୀୟ ଦଳ ପାଇଁ ୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

Source link



Source link

Leave A Reply

Your email address will not be published.