ଘର ବୁଡି ପାଣି ଆଣ୍ଠୁଏ, ସାଉଦି-ପାକିସ୍ତାନ-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବ ବାଂଲାଦେଶ ! ଭାରତ ପାଇଁ ବଢିଲା ବିପଦ
ଢାକା: ଭାରତର ୪ ପାଖରେ ବର୍ତ୍ତମାନ ଅଶନ୍ତୋଷର ନିଆଁ କୁହୁଳୁଛି। ଚୀନ, ପାକିସ୍ତାନ ଓ ବାଂଲାଦେଶ ସହିତ ସମ୍ପର୍କ ସେତେଟା ଭଲ ନାହିଁ। ସେପଟେ ଦୂର ଦେଶରୁ ତୁର୍କୀ ମଧ୍ୟ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି। ଆଉ ଏପଟେ ଆମେରିକାର ଦୋମୁହାଁ ଚେହେରାକୁ ଭରସା କରିବା ମାନେ, ମଝି ନଇଁରେ ବୁଡ଼ି ମରିବା ସହ ସମାନ। ଏକଥା ଆମେ ଏଥିପାଇଁ କହୁଛୁ, କାରଣ ଇସ୍ଲାମିକ ନୋଟା ଏବେ ଭାରତର ଦ୍ୱାରଦେଶରେ ପହଞ୍ଚିବ ପହଞ୍ଚିବ ହେଉଛି। ଅର୍ଥାତ ବାଂଲାଦେଶ, ଏବେ ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ମଧ୍ୟରେ ଗଠିତ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତିରେ ସାମିଲ୍ ହେବାକୁ ଇଚ୍ଛା କରୁଛି।
ଭାରତ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘଟଣା ଉପରେ କଡ଼ା ନଜର ରଖାଯାଇଛି। ତ୍ରିପକ୍ଷୀୟ ଇସ୍ଲାମିକ ନାଟୋରେ ସାମିଲ ହେବା ପାଇଁ ବାଂଲାଦେଶ ସମ୍ପୂର୍ଣ୍ଣ ଭାବେ ମୁକ୍ତ ବୋଲି ଦୁଇ ବାଂଲାଦେଶ ମନ୍ତ୍ରୀ କହିବା ପରେ ଚର୍ଚ୍ଚା ବଢ଼ି ଯାଇଛି। ବିଶେଷକରି ଭାରତର ପଡ଼ୋଶୀରେ ‘ଇସଲାମିକ୍ ନାଟୋ’ ସାମରିକ ମେଣ୍ଟର ଗଠନ ଭାରତ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।
ବାଂଲାଦେଶର ନୂଆ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ସରକାରୀ ଖବର ସଂସ୍ଥା ବାଂଲାଦେଶ ସଂବାଦ ସଂସ୍ଥା (BSS)କୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ନେତୃତ୍ୱାଧୀନ ସରକାର ‘ବାଂଲାଦେଶ ଫର୍ଷ୍ଟ’ ନୀତି ଉପରେ ଗୁରୁତ୍ୱ ଦେଉଛି। ଏଥିରେ ଦେଶର ଜାତୀୟ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।
ହୁମାୟୁନ କବୀର କହିଛନ୍ତି ଯେ, ସାଉଦି ଆରବ, ପାକିସ୍ତାନ ଓ ତୁର୍କୀକୁ ନେଇ ଗଠିତ କୌଣସି ଆର୍ଥିକ କିମ୍ବା ପ୍ରତିରକ୍ଷା ଢାଞ୍ଚାରେ ସାମିଲ ହେବାର ସମ୍ଭାବନାକୁ ନେଇ ବାଂଲାଦେଶର ମନୋଭାବ ସକାରାତ୍ମକ। ତେବେ ଏହି ନିଷ୍ପତ୍ତି ଦେଶର ନିଜସ୍ୱ ସ୍ୱାର୍ଥ ଓ ବଦଳୁଥିବା ବିଶ୍ୱ ଅର୍ଥନୀତି ଏବଂ ବାଣିଜ୍ୟିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାରିକ୍ ରହମାନ ଖୁବଶୀଘ୍ର ରିୟାଦ ଗସ୍ତ କରି ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିପାରନ୍ତି। ଏହା ବାଂଲାଦେଶର ଏହି ଚୁକ୍ତି ପ୍ରତି ଆଗ୍ରହର ଏକ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟ ଜଣେ ରାଷ୍ଟ୍ରମନ୍ତ୍ରୀ ଶାମା ଓବାଏଦ ଇସଲାମ ମଧ୍ୟ ହୁମାୟୁନ କବୀରଙ୍କ ବୟାନକୁ ସମର୍ଥନ କରିଛନ୍ତି। ଶୁକ୍ରବାର ଖବର ସରବରାହ ସଂସ୍ଥା ପିଟିଆଇକୁ ପ୍ରତିକ୍ରିୟା ଦେବା ବେଳେ ସେ କହିଛନ୍ତି ଯେ, କୌଣସି ମେଣ୍ଟ କିମ୍ବା ବହୁପକ୍ଷୀୟ ସଂଗଠନରେ ବାଂଲାଦେଶ ସାମିଲ ହେବ କି ନାହିଁ, ତାହା ମୁଖ୍ୟତଃ ଦେଶ ଓ ବାଂଲାଦେଶୀ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ରହୁଛି କି ନାହିଁ, ତାହା ଉପରେ ନିର୍ଭର କରିବ। ତେବେ ଆଗକୁ ବାଂଲାଦେଶ ଯେ ମେଣ୍ଟର ସାମିଲ ହୋଇପାରେ ଏହାକୁ ଅସ୍ୱୀକାର କରାଯାଇ ନପାରେ। ବର୍ତ୍ତମାନ ହୁଏତ ଭାରତର ଚାପରେ ବାଂଲାଦେଶ ଏମିତି କହୁଥାଇପାରେ। କିନ୍ତୁ ଭିତରେ ଭିତରେ ଯେ ସେ ମେଣ୍ଟରେ ସାମିଲ ନହେବ ସେ କଥା କିଏ କହିବ ?
କ’ଣ ଏହି ସାଉଦି-ପାକିସ୍ତାନ-ତୁର୍କୀ ପ୍ରତିରକ୍ଷା ଚୁକ୍ତି?
ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ମଧ୍ୟରେ ଅଗଷ୍ଟ ୭ରେ ମକ୍କାରେ ଏହି ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହାକୁ ‘ମକ୍କା ଜଏଣ୍ଟ ଡିଫେନ୍ସ ଏଗ୍ରିମେଣ୍ଟ’ ମଧ୍ୟ କୁହାଯାଉଛି। ଚୁକ୍ତିର ଏକ ପ୍ରମୁଖ ବ୍ୟବସ୍ଥା ନାଟୋ ଭଳି। ଅର୍ଥାତ୍, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ ତାହାକୁ ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ। ଚୁକ୍ତିର ଲକ୍ଷ୍ୟ ହେଉଛି ସାମୂହିକ ପ୍ରତିରୋଧ କ୍ଷମତାକୁ ମଜବୁତ କରିବା ଏବଂ ତିନି ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗର ସମସ୍ତ ଦିଗକୁ ବଢ଼ାଇବା।
ଇଜିପ୍ଟର ଆଗ୍ରହ, ଟ୍ରମ୍ପଙ୍କ ସମର୍ଥନ
ଏହି ଚୁକ୍ତିରେ ସାମିଲ ହେବା ପାଇଁ ଇଜିପ୍ଟ ମଧ୍ୟ ଆଗ୍ରହ ପ୍ରକାଶ କରିଥିବା ରିପୋର୍ଟ ଆସିଛି। ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୁକ୍ତିକୁ ସ୍ୱାଗତ କରି ଏହାକୁ ଦେଶଗୁଡ଼ିକ ନିଜ ସୁରକ୍ଷା ପାଇଁ ‘ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’ ବୋଲି କହିଛନ୍ତି।
ଭୂ ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ଏହି ଚୁକ୍ତି ପଛରେ ଇରାନର ପ୍ରଭାବକୁ ରୋକିବାର ଉଦ୍ଦେଶ୍ୟ ଥାଇପାରେ। ତେବେ ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଚୁକ୍ତି କୌଣସି ନିର୍ଦ୍ଦିଷ୍ଟ ଦେଶ ବିରୋଧରେ ନୁହେଁ। ନିଜ ଦେଶର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ମଜବୁତ କରିବା ହିଁ ଏହାର ଉଦ୍ଦେଶ୍ୟ ବୋଲି ସେମାନେ କହିଛନ୍ତି। ଏବେ ବାଂଲାଦେଶର ଏହି ସମ୍ଭାବ୍ୟ ଯୋଗଦାନ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସମୀକରଣକୁ କିପରି ପ୍ରଭାବିତ କରିବ, ତାହା ଉପରେ ପଡ଼ୋଶୀ ଦେଶଗୁଡ଼ିକର ନଜର ରହିଛି।
ଭାରତ ପାଇଁ ବିପଦ ବଢୁଛି
ନିକଟରେ ଭାରତୀୟ ଗୁଇନ୍ଦା ସଂସ୍ଥା ଏକ ବଡ଼ ଖବର ଜାଣିବାକୁ ପାଇଥିଲା। ଚୀନ ଓ ତୁର୍କୀ ପାକିସ୍ତାନରେ ଏକ ବଡ଼ ଧରଣରଣର ସାମରିକ କାର୍ଯ୍ୟକଳାପ କରିଥିଲେ। ଦୀର୍ଘ ୬୦ ଘଣ୍ଟା ଧରି ତୁର୍କୀଏ ଓ ଚୀନ ପାକିସ୍ତାନରେ ସାମରିକ ଉଡ଼ାଣ ଭରିଥିଲେ। ଏହି ସାମରିକ ବିମାନର ଅସାଧାରଣ ଚଳାଚଳକୁ ନେଇ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଛନ୍ତି। ସନ୍ଦେହ କରାଯାଉଛି ଯେ ପାକିସ୍ତାନ ଏହି ମିତ୍ର ରାଷ୍ଟ୍ର ଦ୍ୱୟ ଠାରୁ ବିପୁଳ ପରିମାଣରେ ଯୁଦ୍ଧାସ୍ତ୍ର ଆଣିଛି।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରେ ସୁରକ୍ଷା ସୂତ୍ରରୁ ଖବର ନେଇ କୁହାଯାଇଛି ଯେ ଏହି ବିମାନଗୁଡ଼ିକ ମାଧ୍ୟମରେ ପାକିସ୍ତାନକୁ ସାମରିକ ଉପକରଣ, ଡ୍ରୋନ୍ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀ ପହଞ୍ଚାଯାଇଥାଇପାରେ। ରିପୋର୍ଟ ଅନୁସାରେ, ଚୀନର ସାମରିକ ପରିବହନ ବିମାନଗୁଡ଼ିକ ରାୱଲପିଣ୍ଡି ନିକଟସ୍ଥ ନୁର ଖାନ୍ ଏୟାରବେସ୍ ଏବଂ କରାଚିର ମାସରୁର ଏୟାରବେସ୍ରେ ଅବତରଣ କରିଥିବା ଦେଖାଯାଇଥିଲା। ଏହା ସହିତ ତୁର୍କୀର ସାମରିକ ପରିବହନ ବିମାନ ମଧ୍ୟ ଏହି ଚଳାଚଳରେ ସାମିଲ ଥିବା ଦାବି କରାଯାଇଛି।
ମିଡିଆ ରିପୋର୍ଟରେ ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁସାରେ ଚୀନର ସାମରିକ ବିମାନ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଏୟାରବେସରେ ଅବତରଣ କରିଥିବା ନଜରକୁ ଆସିଛି। ଏହି ଚଳାଚଳ ପଛରେ ସାମରିକ ଉପକରଣ ପରିବହନ ଏକ ସମ୍ଭାବ୍ୟ କାରଣ ହୋଇପାରେ ବୋଲି ସୁରକ୍ଷା ମହଲରେ ଆଶଙ୍କା ପ୍ରକାଶ ପାଇଛି।
