ଫୁଲବାଣୀ ୨୯।୦୮ : ଜଙ୍ଗଲରୁ ମାଓ ଡମ୍ପ ଠାବ । ଗତ ମାର୍ଚ୍ଚ ୩୧ ତାରିଖରୁ କନ୍ଧମାଳ ଜିଲ୍ଲାରୁ ମାଓମୁକ୍ତ ଘୋଷଣା କରାଯାଇଛି । ଏବେବି ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ସହିତ ମାଓ ସାମଗ୍ରୀ ଜବତ ହେଉଛି ।
ଖବର ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ରାଇକିଆ, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଏବଂ କୋଟଗଡ଼ ଥାନା ଅଧୀନରେ ଥିବା ବାବୁଟି, ଜିମାବାରି, କରାହାପାଙ୍ଗା, ଗରରମାହା, ଜିମାରହା, ତେଲସି, ସିଦୁପଦର, ପଦଳମାଳା, ମାଟାବାରି, ତେରାଣିପାଙ୍ଗା, ଝାଝିବରି, ଟୁକୁବାରି, ସଟାରି ଶାଳକିଙ୍ଗିଆ, ମଣ୍ଡଲଝିରିଙ୍ଗା, ପାରିଗଡ, ପେନାମାଳ ଆଦି ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ। ଏହି ଅପରେସନରେ ଦାରିଙ୍ଗବାଡ଼ି ମାତାବାଡ଼ି ଅଞ୍ଚଳରେ ପୋଲିସକୁ ଏକ ମାଓ ଡମ୍ପ ମିଳିଛି । ମାଟାବାରି ଜଙ୍ଗଲରେ ଠାବ ହୋଇଥିବା ଏହି ଡମ୍ପରୁ ଗୋଟିଏ ୧୨ ବୋର ରାଇଫଲ , ଗୋଟିଏ ସିଙ୍ଗଲ ସର୍ଟ ରାଇଫଲ, ଗୋଟିଏ ଏସବିଏଲ ଗ୍ରେନେଟ, ଇଲେକ୍ଟ୍ରିକ ଡେଟନେଟର ୧୯ଟି, କୋରଡେକ୍ସ ଗୋଟିଏ ବଣ୍ଡଲ, ୩୦୩ ଆମିନେସନ ୧୩ଟି, ସିଙ୍ଗଲ ସର୍ଟ ଆମିନେସନ, ଜେଲେଟିନ ଷ୍ଟିକ ୨ଟି ଡିଟୋନେଟର, ଆଇଇଡି ଯୁକ୍ତ ଟିଫିନ ବକ୍ସ, ବିଦ୍ୟୁତ ତାର, ମେଡିସିନ କିଟ୍, ଜିଲୋଟିନ ଷ୍ଟିକ୍, ଗୁଳି, ସୋଲାର ପ୍ୟାନେଲ ସମେତ ଅନେକ ଜିନିଷ ଜବତ କରାଯାଇଛି।
Also Read:-‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’.. ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
ସେହିପରି ଘଟଣାସ୍ଥଳରୁ କୌଣସି ମାଓବାଦୀଙ୍କୁ ଠାବ କରାଯାଇନାହିଁ । ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟ୍ରେ ଏହି ସୂଚନା ଦେଇଛନ୍ତି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି । ତେବେ ପୋଲିସ ପକ୍ଷରୁ ଚାଲିଥିବା ଏହି ଅପରେସନରେ ୫ଟି ଏସଓଜି ଟିମ୍, ୧୦୮ ବାଟାଲିୟନ ବିଏସ୍ଏଫର ୩ଟି ୟୁନିଟ, ଡିଭିଏଫର ଗୋଟିଏ ଟିମ୍ ସାମିଲ ଥିଲେ। ଗୋଟିଏ ପଟେ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିବା ବେଳେ ଏତେ ପରିମାଣର ମାଓ ସାମଗ୍ରୀ ମିଳିଛି । ତେଣୁ ଆଗାମୀ ଦିନରେ ଅପରେସନକୁ ଜୋରଦାର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
