ନୂଆଦିଲ୍ଲୀ: ମିଆଁମାର ଗଣତନ୍ତ୍ରର ସ୍ୱର କୁହାଯାଉଥିବା ନୋବେଲ ବିଜେତା ଅଙ୍ଗ ସାନ ସୁ କି (Aung San Suu Kyi) କେଉଁଠି ଅଛନ୍ତି ଏବଂ କେଉଁ ଅବସ୍ଥାରେ ଅଛନ୍ତି, ତାହାକୁ ନେଇ ସାରା ବିଶ୍ୱରେ ସସପେନ୍ସ ବଢ଼ିବାରେ ଲାଗିଛି। ୨୦୨୨ ମସିହାର ଶେଷ ଆଡ଼କୁ ମିଲିଟାରୀ ଟ୍ରାଏଲ ସମୟରେ ଶେଷ ଥର ପାଇଁ ଅଦାଲତରେ ଏହି ୮୧ ବର୍ଷୀୟ ନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ତାଙ୍କର କୌଣସି ପତ୍ତା ମିଳୁନଥିବା ଚର୍ଚ୍ଚା ହେଉଛି।
‘ପ୍ରୁଫ୍ ଅଫ୍ ଲାଇଫ୍’ ବା ଜୀବିତ ଥିବାର ପ୍ରମାଣ ମାଗିଲେ ପୁଅ
ସୁ କିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୁଅ କିମ୍ ଆରିସ୍ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମିଆଁମାରର ସେନା ସରକାର (ଜୁଣ୍ଟା) ତାଙ୍କ ମାଆଙ୍କୁ ଜୀବିତ ରଖିଛନ୍ତି କି ନାହିଁ ? ତାହାର ସ୍ପଷ୍ଟ ପ୍ରମାଣ ଦେବାକୁ ସେ ବିଶ୍ୱ ସମୁଦାୟ ଆଗରେ ଦାବି କରିଛନ୍ତି। ଏପରିକି ସୁ କିଙ୍କ ଓକିଲମାନଙ୍କୁ ମଧ୍ୟ ତାଙ୍କ ସହ ଦେଖା କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ସେନା ପାଖରେ ଦେଶର ଶାସନ କ୍ଷମତା ଥିବା ବେଳେ, ସେନା ପକ୍ଷରୁ କୁହାଯାଇଛି ଯେ, ଅତ୍ୟଧିକ ଗରମ ଯୋଗୁଁ ସୁ କିଙ୍କୁ ଜେଲ୍ରୁ ସ୍ଥାନାନ୍ତର କରାଯାଇ ଗୃହବନ୍ଦୀ (House Arrest) କରି ରଖାଯାଇଛି।ଏମିତିକି ଆନୁଷ୍ଠାନିକ ଭାବରେ ଏକ ଫଟୋ ଜାରି କରାଯାଇଥିଲା। ଯେଉଁଥିରେ ସୁ ଜଣେ ସେନା ଅଧିକାରୀଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। କିନ୍ତୁ ଏହି ଫଟୋର ସତ୍ୟତାକୁ ନେଇ ଅନ୍ତର୍ଜାତୀୟ ବିଶେଷଜ୍ଞ ଓ ତାଙ୍କ ପରିବାର ସନ୍ଦେହ ପ୍ରକଟ କରିଛନ୍ତି। ୟାଙ୍ଗୁନରେ ଥିବା ତାଙ୍କର ପୈତୃକ ବାସଭବନ କିମ୍ବା ନେପିଡ଼ର ପୁରୁଣା ସରକାରୀ ଘର, କେଉଁଠି ବି ସେ ନାହାନ୍ତି। ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ସମ୍ପୂର୍ଣ୍ଣ ଏକାକୀ କରି ରଖାଯାଇଥିବା ଅନୁମାନ କରାଯାଉଛି।
Also Read: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଗୁଇନ୍ଦା ସଂସ୍ଥା ପ୍ରତିଷ୍ଠା କରିବାକୁ ଯାଉଛି ଜାପାନ, ପରାମର୍ଶ ଦେବ ଆମେରିକା
ଆନ୍ତର୍ଜାତୀୟ ସ୍ତରରେ ବଢୁଛି ଚାପ
ମିଆଁମାରର ଏହି ସ୍ଥିତି ଉପରେ ଜାତିସଂଘ (UN) ଏବଂ ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକର ସଂଗଠନ ‘ଆସିଆନ୍’ (ASEAN) ନଜର ରଖିଛନ୍ତି। ନିକଟରେ ନୂଆଦିଲ୍ଲୀ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମିଆଁମାରର ମୁଖ୍ୟ ଜେନେରାଲ୍ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ ସୁ କିଙ୍କ ବିଷୟରେ ଆଲୋଚନା କରିଥିଲେ। ସେପଟେ ଚର୍ଚ୍ଚା ହେଉଛି, ଯେତେବେଳେ ବି କୌଣସି ଆନ୍ତର୍ଜାତୀୟ ମଞ୍ଚରେ ଅଙ୍ଗ ସାନ ସୁ କିଙ୍କ ନାମ ଉଠୁଛି, ସେତେବେଳେ ମିଆଁମାର ସେନା ମୁଖ୍ୟ ଉତ୍ତ୍ୟକ୍ତ ହୋଇପଡ଼ୁଛନ୍ତି।
ସୂଚନାଥାଉକି, ୨୦୨୧ରେ ସାମରିକ ଅଭ୍ୟୁତ୍ଥାନ ପରେ ସୁ କିଙ୍କ ଉପରେ ଦୁର୍ନୀତି ଓ ନିର୍ବାଚନ ଜାଲିଆତି ଭଳି ଅନେକ ମିଥ୍ୟା ମାମଲା ଲଦି ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କୁ ୨୭ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି।
ମିଆଁମାରର କାହିଁକି ଏଭଳି ଗୋପନୀୟତା?
ନେପିଡ଼ ସହରଟିକୁ ଏପରି ଭାବେ ନିର୍ମାଣ କରାଯାଇଛି ଯେ ସେଠାକାର ସାମରିକ ରହସ୍ୟ ବାହାରକୁ ଆସିବା ଅସମ୍ଭବ। ବିଶେଷଜ୍ଞଙ୍କ ମତରେ ଯଦି ସୁ କିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥାଏ କିମ୍ବା ସେନା ତାଙ୍କ ସହ କୌଣସି ଅମାନୁଷିକ ବ୍ୟବହାର କରିଥାଏ। ତେବେ ସେହି ଭୟରେ ଜୁଣ୍ଟା ସରକାର କାହାକୁ ତାଙ୍କ ସହ ଦେଖା କରିବାକୁ ଦେଉନାହାନ୍ତି। ବିଶ୍ୱ ସମୁଦାୟର ସମସ୍ତ ଅନୁରୋଧ ସତ୍ତ୍ୱେ ମିଆଁମାର ପ୍ରଶାସନର ଏହି ନୀରବତା ଏକ ବଡ଼ ଅଘଟଣର ଆଶଙ୍କା ସୃଷ୍ଟି କରୁଛି।
