Voice of Eastern India

ଦୁର୍ନୀତିରେ ବୁଡ଼ିଛି ତାଳରୁ ତଳିପା: ସାଂସଦଙ୍କ ଘରୁ ୧୪୬ କୋଟି ଟଙ୍କାର ସୁନା ସହ ୨୭୦୦ କୋଟିର ନଗଦ ଟଙ୍କା ଜବତ


ନୂଆଦିଲ୍ଲୀ: ଇରାକରେ ଚାଲିଛି ଦୁର୍ନୀତି ବିରୋଧୀ ଅଭିଯାନ। ଚଢାଉ ବେଳେ ଜଣେ ସାଂସଦଙ୍କ ଘରୁ ଯାହା ଜବତ କରାଯାଇଛି, ତାହା ଦେଖି ଇରାକ ସରକାରଙ୍କ ସମେତ ପୂରା ଦେଶର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଇରାକର ସାଂସଦ ଆଲିଆ ନାସିଫଙ୍କ ବାସଭବନରୁ ୨୦ ବିଲିୟନରୁ ଅଧିକ ଇରାକି ଦିନାର (ପ୍ରାୟ ୧୫.୫ ମିଲିଅନ ଡଲାର ବା ୧୪୬ କୋଟି ଟଙ୍କା) ଏବଂ ପ୍ରଚୁର ପରିମାଣର ସୁନା ଜବତ କରାଯାଇଛି। ଏହି ମାମଲାରେ ଆଲିଆ ନାସିଫ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଛି।

ଇରାକୀ ଗଣମାଧ୍ୟମ ଏବଂ ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନାସିଫ ପୂର୍ବରୁ ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ୍ ସୁଦାନୀଙ୍କ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ଭାବରେ କାର୍ଯ୍ୟ କରିସାରିଛନ୍ତି। ତେଣୁ କ୍ଷମତାର ଅପବ୍ୟବହାର କରି ସେ ଏହି ବେଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି।

ଇରାକରେ ସରକାର ବଦଳିବା ପରେ ମେ ମାସରେ ଅଲି ଅଲ୍ ଜୈଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦେଶରୁ ଦୁର୍ନୀତି ନେଟୱାର୍କକୁ ସମୂଳେ ନାଶ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ଦେଶର ବରିଷ୍ଠ ରାଜନେତା, ସାଂସଦ ଏବଂ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରି ଏହି ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି।

ରବିବାର ଭୋର ସମୟରେ ଇରାକର କାଉଣ୍ଟର ଟେରରିଜିମ୍ ସର୍ଭିସର ଏଲିଟ୍ ୟୁନିଟ୍ ଦ୍ୱାରା ବାଗଦାଦର ଗ୍ରୀନ୍ ଜୋନରେ ଏହି ଅପରେସନ୍ କରାଯାଇଥିଲା। ଚଢ଼ାଉ ବେଳର ଏକ ଭିଡିଓରେ ଆଲିଆଙ୍କ ଘରର ଏକ କୋଠରୀରେ ନୋଟର ପାହାଡ଼ ଦେଖିବାକୁ ମିଳିଥିଲା। ପୂରା ସର୍ଚ୍ଚ ଅପରେସନରେ ୮୫ ମିଲିଅନ ଡଲାର (୮୦୫ କୋଟି ଟଙ୍କା) ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହା ବ୍ୟତୀତ, ଅଭିଯୁକ୍ତ ଏବଂ ସେମାନଙ୍କ ସହଯୋଗୀଙ୍କ ଘର ଏବଂ ଗୁପ୍ତ ସ୍ଥାନରୁ ପ୍ରଚୁର ପରିମାଣର ଇରାକି ଦିନାର, ବିଦେଶୀ ମୁଦ୍ରା ଏବଂ ସୁନା ମଧ୍ୟ ଜବତ କରାଯାଇଛି। ଦୁର୍ନୀତି ଅଭିଯୋଗରେ ପୂର୍ବରୁ ନାସିଫଙ୍କ ବିରୁଦ୍ଧରେ ବିଚାର ବିଭାଗୀୟ ଗିରଫ ପରୱାନା ଜାରି କରାଯାଇ ସାରିଛି।

ଇରାକୀ ସରକାରୀ ଗଣମାଧ୍ୟମ ଅନୁଯାୟୀ, ମେ ମାସ ଶେଷରେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ତୈଳ ମନ୍ତ୍ରୀ (ରିଫାଇନିଂ ବ୍ୟାପାର) ଅଦନାନ୍ ଅଲ୍ ଜୁମାଇଲିଙ୍କ ବୟାନ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ତଦନ୍ତରୁ ଅନେକ ସାଂସଦ ଏବଂ ସରକାରୀ ଅଧିକାରୀଙ୍କ ନାମ ସାମ୍ନାକୁ ଆସିଛି, ଯେଉଁମାନଙ୍କୁ ଏହି ଅଭିଯାନରେ ଗିରଫ କରାଯାଇଛି।

ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ଅନେକ ଅଭିଯୁକ୍ତ ଫେରାର ହୋଇଯିବାରୁ ଗ୍ରୀନ୍ ଜୋନର ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଥିଲା ଏବଂ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହା ପୂର୍ବରୁ, ଇରାକୀ କର୍ତ୍ତୃପକ୍ଷ ୧୦୭ ନିୟୁତ ଡଲାର (୧,୦୦୦ କୋଟି ଟଙ୍କାରୁ ଅଧିକ) ର ହଡ଼ପ ହୋଇଥିବା ସରକାରୀ ପାଣ୍ଠି ଉଦ୍ଧାର କରିଥିଲେ। ସୁପ୍ରିମ ଜୁଡିସିଆଲ୍ କାଉନଲିଲ୍ ଅନୁଯାୟୀ, ଘର ଭିତରୁ ୯୮ ବିଲିୟନରୁ ଅଧିକ ଇରାକି ଦିନାର (୭୪ ନିୟୁତ ଡଲାର ବା ୭୦୭ କୋଟି ଟଙ୍କା) ଏବଂ ୧୧ ନିୟୁତ ଡଲାର (୧୦୪ କୋଟି ଟଙ୍କା) ନଗଦ ମିଳିଛି।

ଇରାକୀ ଟଙ୍କାକୁ କେତେକ ସ୍ଥାନରେ ଏତେ ଗଭୀରରେ ପୋତାଯାଇଥିଲା ଯେ ତାହା ଉଦ୍ଧାର କରିବା ପାଇଁ ଭାରୀ ଯନ୍ତ୍ରପାତିର ବ୍ୟବହାର କରିବାକୁ ପଡିଥିଲା। ଏହା ସହିତ ପ୍ରଚୁର ପରିମାଣର ସୁନା ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

Source link



Source link

Leave A Reply

Your email address will not be published.