ଭୁବନେଶ୍ୱର : ରାତିରେ ଗଭୀର ନିଦରେ ଶୋଇଥିବାବେଳେ ଆଲାର୍ମର ଶବ୍ଦ ଆମକୁ ନିଦରୁ ଉଠାଇ ଦିଏ। କିନ୍ତୁ ସେହି ସମୟରେ କୌଣସି ସୁଗନ୍ଧ କିମ୍ବା ସୁସ୍ୱାଦୁ ଖାଦ୍ୟର ବାସ୍ନା ଆମ ନାକ ବାରିପାରେ ନାହିଁ । ତେବେ ଶୋଇବା ସମୟରେ ଆମେ ତାହାକୁ କାହିଁକି ଅନୁଭବ କରିପାରୁନାହୁଁ ? ଶବ୍ଦ ଓ ଗନ୍ଧ ମଧ୍ୟରେ ଏହି ତଫାତ କାହିଁକି ? ନିଦରେ ଆମ ମସ୍ତିଷ୍କ କେଉଁ ସଙ୍କେତକୁ ଗୁରୁତ୍ୱ ଦିଏ ଏବଂ କେଉଁଗୁଡ଼ିକୁ ଅଣଦେଖା କରେ ? ନିଦ୍ରାରେ କାହିଁକି କାନ ସକ୍ରିୟ ରହେ, କିନ୍ତୁ ନାକ ପ୍ରାୟ ନିଷ୍କ୍ରିୟ ହୋଇଯାଏ ? ଆସନ୍ତୁ ଏହା ପଛର ବୈଜ୍ଞାନିକ କାରଣ ବିଷୟରେ ଜାଣିବା ।
ଆମେ ଯେତେବେଳେ ନିଦରେ ଥାଉ, ସେତେବେଳେ ଆମର ମସ୍ତିଷ୍କ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ନାହିଁ। ବରଂ ଏହା ଶରୀରକୁ ବିଶ୍ରାମ ଦେବା ସହିତ ଜରୁରୀ ସଙ୍କେତ ଉପରେ ନଜର ରଖିଥାଏ।ସେଥିପାଇଁ ମୋବାଇଲ୍ର ଆଲାର୍ମ, ଶିଶୁର କାନ୍ଦିବା ଶବ୍ଦ କିମ୍ବା କୌଣସି ବିପଦ ସଙ୍କେତ ଆମ କାନ ମାଧ୍ୟମରେ ମସ୍ତିଷ୍କକୁ ପହଞ୍ଚିଯାଏ। ମସ୍ତିଷ୍କ ଏହି ଶବ୍ଦକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିହ୍ନଟ କଲେ ଆମର ନିଦ ଭାଙ୍ଗିଯାଏ। କିନ୍ତୁ ସୁଗନ୍ଧର କ୍ଷେତ୍ରରେ ପରିସ୍ଥିତି ଅଲଗା। ନିଦ ସମୟରେ ଘ୍ରାଣ ସମ୍ବନ୍ଧୀୟ ସଙ୍କେତକୁ ମସ୍ତିଷ୍କ ବହୁତ କମ୍ ପ୍ରକ୍ରିୟାକରଣ କରେ। ଏହି କାରଣରୁ ଫୁଲର ସୁଗନ୍ଧ କିମ୍ବା ଖାଦ୍ୟର ବାସ୍ନା ସହଜରେ ଆମକୁ ଉଠାଇ ପାରେନାହିଁ।
ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ନିଦ ବେଳେ ମସ୍ତିଷ୍କ ବାହ୍ୟ ଉତ୍ତେଜନାକୁ ଫିଲ୍ଟର କରିଥାଏ। ଶବ୍ଦକୁ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଥିବା ବେଳେ, ସୁଗନ୍ଧକୁ ସେତେଟା ପ୍ରାଥମିକତା ଦିଏ ନାହିଁ। ତେବେ ଧୂଆଁ କିମ୍ବା ଗ୍ୟାସ୍ ଲିକ୍ ପରି ତୀବ୍ର ଗନ୍ଧ କେବେ କେବେ ଶରୀରରେ ଅନ୍ୟ ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରି ନିଦ ଭାଙ୍ଗିପାରେ। ତଥାପି ସାଧାରଣ ସୁଗନ୍ଧ ତୁଳନାରେ ଆଲାର୍ମର ଶବ୍ଦ ଆମକୁ ଅଧିକ ସହଜରେ ଜଗାଇଥାଏ। ତେଣୁ ପରବର୍ତ୍ତୀ ଥର ଆଲାର୍ମ ଶୁଣି ଉଠିବା ବେଳେ ମନେ ରଖନ୍ତୁ ଏହା କେବଳ କାନର କାମ ନୁହେଁ, ବରଂ ମସ୍ତିଷ୍କର ଏକ ଚମତ୍କାର ବୈଜ୍ଞାନିକ ପ୍ରକ୍ରିୟା।
