Voice of Eastern India

ପାସପୋର୍ଟ ସେବା ମହଙ୍ଗା: ନୂଆ ପାଇଁ ୨,୫୦୦ ଓ ତତ୍କାଳ ପାଇଁ ୫,୦୦୦ ଟଙ୍କା, ଜୁଲାଇ ୧ରୁ ନୂଆ ନିୟମ


ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ପାସପୋର୍ଟ (Passport) ପ୍ରସ୍ତୁତି ଏବଂ ଏହାର ନବୀକରଣ ଫି’ରେ ବଡ଼ ଧରଣର ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ‘ପାସପୋର୍ଟ ନିୟମାବଳୀ, ୧୯୮୦’ ରେ ସଂଶୋଧନ କରି ନୂତନ ପାସପୋର୍ଟ ଏବଂ ଜରୁରୀକାଳୀନ ସେବା ତଥା ‘ତତ୍କାଳ’ ଦେୟରେ ପରିବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ନୂଆ ଦର ଆସନ୍ତା ଜୁଲାଇ ୧, ୨୦୨୬ ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ।

ସଂଶୋଧିତ ନିୟମ ଅନୁସାରେ ପୃଷ୍ଠା ଏବଂ ଆବେଦନର ପ୍ରକାର ହିସାବରେ ଦର ସ୍ଥିର କରାଯାଇଛି । ନୂତନ କିମ୍ବା ପୁନର୍ବାର ଜାରି ହେବାକୁ ଥିବା ୩୬ ପୃଷ୍ଠାର ପାସପୋର୍ଟ ପାଇଁ ଫି’ ୧,୫୦୦ ଟଙ୍କାରୁ ବୃଦ୍ଧି ପାଇ ୨,୫୦୦ ଟଙ୍କା ହୋଇଛି। ଜରୁରୀକାଳୀନ ଭିତ୍ତିରେ ତତ୍କାଳ ମାଧ୍ୟମରେ ଏହି ପାସପୋର୍ଟ ପାଇଁ ପୂର୍ବରୁ ୩୦୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ୫୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଯେଉଁମାନେ ଅଧିକ ପୃଷ୍ଠା ବିଶିଷ୍ଟ ଅର୍ଥାତ୍ ୬୦ ପୃଷ୍ଠାର ପାସପୋର୍ଟ ଆବେଦନ କରିବେ, ସେମାନଙ୍କୁ ପୂର୍ବର ୨,୦୦୦ ଟଙ୍କା ବଦଳରେ ଏବେ ୩,୫୦୦ ଟଙ୍କା ଦେବାକୁ ହେବ। ୬୦ ପୃଷ୍ଠାର ତତ୍କାଳ ପାସପୋର୍ଟ ସେବା ପାଇଁ ଆବେଦନକାରୀଙ୍କୁ ପୂର୍ବର ୪,୦୦୦ ଟଙ୍କା ବଦଳରେ ଏବେ ୬,୦୦୦ ଟଙ୍କା ପୈଠ କରିବାକୁ ପଡ଼ିବ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ‘ପାସପୋର୍ଟ ଅଧିନିୟମ, ୧୯୬୭ ର ଧାରା ୨୪ ର ପ୍ରଦତ୍ତ କ୍ଷମତା ଆଧାରରେ କେନ୍ଦ୍ର ସରକାର ‘ପାସପୋର୍ଟ ନିୟମାବଳୀ, ୧୯୮୦’ ରେ ସଂଶୋଧନ କରିଛନ୍ତି। ଏହି ନୂତନ ନିୟମକୁ ‘ପାସପୋର୍ଟ (ସଂଶୋଧନ) ନିୟମାବଳୀ, ୨୦୨୬’ ବୋଲି କୁହାଯିବ ଏବଂ ଏହା ୧ ଜୁଲାଇ ୨୦୨୬ ରୁ ଲାଗୁ ହେବ।’

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବିଦେଶ ଯାତ୍ରା କରୁଥିବା ପର୍ଯ୍ୟଟକ, ଉଚ୍ଚଶିକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀ ଏବଂ ପ୍ରବାସୀ ଭାରତୀୟମାନଙ୍କ ପକେଟ୍ ଉପରେ ସିଧାସଳଖ ଆର୍ଥିକ ବୋଝ ପଡ଼ିବ। ବିଶେଷ କରି ଜରୁରୀ ପରିସ୍ଥିତିରେ ତତ୍କାଳ ସେବା ବ୍ୟବହାର କରୁଥିବା ଲୋକଙ୍କୁ ଏବେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ।

Source link



Source link

Leave A Reply

Your email address will not be published.