କୋଲକାତା: କ୍ୟାମାକ୍ ଷ୍ଟ୍ରିଟ୍ କାର୍ଯ୍ୟାଳୟରୁ ତୃଣମୂଳ କଂଗ୍ରେସ (TMC) ର ବିଲ୍ବୋର୍ଡ ହଟାଇବାକୁ ନେଇ କୋଲକାତା ପୁଲିସ୍ ଏବଂ କୋଲକାତା ମ୍ୟୁନିସିପାଲ କୋର୍ପୋରେସନ (KMC) ଅଧିକାରୀଙ୍କୁ ପାଣି ପଆଇଲେ ଅଭିଷେକ ବାନାର୍ଜୀ । ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏହା ପରେ ପୁଲିସ ଏବଂ କେଏମସି ଅଧିକାରୀ ସ୍ଥାନ ଛାଡ଼ି ପଳାଇଥିଲେ ।
ପୁଲିସ ଓ କେଏମସିର ଅଧିକାରୀମାନେ ବିଲବୋର୍ଡ ହଟାଇବାକୁ ଆସିବା ପରେ ଅଭିଷେକ ବାନାର୍ଜୀ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ସରକାରୀ ନିର୍ଦ୍ଦେଶନାମା କିମ୍ବା ଲିଖିତ ଅଭିଯୋଗ ଅଛି କି ନାହିଁ ଦେଖାଇବାକୁ ସେ ଦାବି କରିଥିଲେ। ଅଧିକାରୀମାନେ କୌଣସି ବୈଧ ନିର୍ଦ୍ଦେଶନାମା ଦେଖାଇବାରେ ବିଫଳ ହେବାରୁ ସେଠାରୁ ସେମାନଙ୍କୁ ଫେରିବାକୁ ପଡ଼ିଥିଲା। ପୁଲିସ୍ ଅଧିକାରୀମାନେ ବେଆଇନ ଭାବରେ କାର୍ଯ୍ୟାଳୟ ପରିସରକୁ ପଶିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଷେକ ଅଭିଯୋଗ ଆଣିଛନ୍ତି।
ଏହି ଘଟଣାରେ ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ ସେ ହାଇକୋର୍ଟରେ ମାମଲା ଦାୟର କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ସମାଲୋଚନା କରିଛନ୍ତି ଅଭିଷେକ । ଘଟଣା ପରେ ଅଭିଷେକ ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ।
Also Read: Video: ଅଭିଷେକ ବାନାର୍ଜୀଙ୍କୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକେ, ହେଲମେଟ୍ ପିନ୍ଧି ଦୌଡ଼ିଲେ ଟିଏମସି ସାଂସଦ
ପୁଲିସ୍ ଓ କେଏମସି ଅଧିକାରୀମାନେ ଭୁଲିଯାଉଛନ୍ତି ଯେ, ସେମାନଙ୍କୁ କରଦାତାଙ୍କ ଅର୍ଥରୁ ଦରମା ମିଳୁଛି, ବିଜେପି ପାଣ୍ଠିରୁ ନୁହେଁ। କେଉଁ ରାଜନୈତିକ ଦଳ କେତୋଟି ବିଲ୍ବୋର୍ଡ ଲଗାଇବ, ତାହା ସ୍ଥିର କରିବାର ସେମାନଙ୍କର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଶୁଭେନ୍ଦୁ ଅଧିକାରୀଙ୍କ ସରକାର ଏବଂ ବିଜେପି, କୋଲକାତା ପୁଲିସ୍ ଓ କେଏମସି ଅଧିକାରୀଙ୍କୁ ବିରୋଧୀଙ୍କୁ ଦମନ କରିବା ଲାଗି ବ୍ୟବହାର କରୁଛନ୍ତି ।
