ବାରିପଦା, ୧୬|୦୭: ମହାବଳ ଗର୍ଜନରେ କମ୍ପୁଛି ଶିମିଳିପାଳର ଘଞ୍ଚ ଜଙ୍ଗଲ । ଜାତୀୟ ଉଦ୍ୟାନରେ କ୍ରମାଗତ ଭାବେ ଜାତୀୟ ପଶୁର ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଶିମିଳିପାଳରେ ମୋଟ ୩୫ଟି ମହାବଳ ଅଛନ୍ତି। ମଧ୍ୟ- ଭାରତୀୟ ଲ୍ୟାଣ୍ଡସ୍କେପ୍ରୁ ଆଉ ଏକ ପୁରୁଷ ଓ ଏକ ମାଈ ବାଘ ଆଣିବାକୁ ପ୍ରସ୍ତାବ ରହିଛି। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ପିସିସିଏଫ୍ ( ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏହି ସୂଚନା ଦେଇଛନ୍ତି।
ଶ୍ରୀ ଝାଙ୍କ କହିବା ମୁତାବକ, ଶିମିଳିପାଳରୁ ବାଘ ବଂଶ ଲୋପ ପାଇଯିବା ଭଳି ଆଶଙ୍କାରେ ପ୍ରାୟତଃ ରୋକ୍ ଲାଗିଛି। କାହିଁକି ନା, ସର୍ବ ଭାରତୀୟ ବ୍ୟାଘ୍ର ଗଣନା(ଏଆଇଟିଇ)-୨୦୨୨ରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲେ। ରାଜ୍ୟସ୍ତରୀୟ ବାଘ ଗଣନା-୨୦୨୪ ତଥ୍ୟ ଅନୁଯାୟୀ, ବାଘ ସଂଖ୍ୟା ୨୭କୁ ବଢ଼ିଥିଲା । ସେଥିରୁ ୧୪ଟି ମାଈ ୧୩ଟି ଅଣ୍ଡିରା ମହାବଳ ଥିଲେ।
ଗତବର୍ଷ ଡିସେମ୍ବରରୁ ୬ ମାସ ଧରି ଶିମିଳିପାଳ ଦକ୍ଷିଣ ଓ ଉତ୍ତରରେ ବାଘ ଗଣନା ଚାଲିଥିଲା। କ୍ୟାମେରା ଟ୍ରାପ୍ ପରିସଂଖ୍ୟାନ ଅନୁସାରେ, ଶିମିଳିପାଳରେ ୩୫ଟି ବାଘର ଗତିବିଧିର ଦୃଶ୍ୟ କଏଦ୍ ହୋଇଛି। ସେଥି ମଧ୍ୟରୁ ୧୭ଟି ପୁରୁଷ ଓ ୧୮ଟି ମାଈ ବୋଲି ଚିହ୍ନଟ ହୋଇଛି। ୧୯ଟି ମହାବଳ ହେଉଛନ୍ତି ମେଲେନାଷ୍ଟିକ୍ ପ୍ରଜାତିର। ୨୦୨୪ରେ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତର ୪ ଶାବକକୁ ମିଶାଇଲେ, ଶିମିଳିପାଳରେ ଶାବକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଯାହାକି, ବନ୍ୟଜନ୍ତୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏକ ଶୁଭ ଖବର। ଏସବୁ ତଥ୍ୟ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନକୁ ପଠାଇ ଦିଆଯାଇ ।
Also Read :-ବିକାଶର ବିକଳ ଚିତ୍ର : ରାସ୍ତା ନାହିଁ, ରସ ହଣ୍ଡାରେ ଶିଶୁକୁ ହସ୍ପିଟାଲ ନେଲେ ପରିବାର ଲୋକେ, ବଢ଼ି ପାଣିରେ ପାର୍ କଲେ ନଦୀ
ବରିଷ୍ଠ ବୈଜ୍ଞାନିକ ଡ. ବିଭାସ ପାଣ୍ଡବ କହିଛନ୍ତି, ପୂର୍ବରୁ ଦକ୍ଷିଣ ଶିମିଳିପାଳ ବାଘଙ୍କ ବସା ଥିଲା। ସମୟକ୍ରମେ ଉତ୍ତର ଶିମିଳିପାଳ ଆଡ଼େ ମାଡ଼ିଗଲେଣି ମହାବଳ। ସେଠାକାର ତଳବନ୍ଧ, ଚହଲା ଓ ଗୁଡୁ ଗୁଡ଼ିଆ ରେଞ୍ଜକୁ ଟେରିଟୋରି ଭାବେ ବାଛିଲେଣି। ଏହି ଜାତୀୟ ଉଦ୍ୟାନରେ ପାଖାପାଖି ହଜାରେ କ୍ୟାମେରା ଟ୍ରାପ୍ ଖଞ୍ଜାଯାଇଛି। ଠିକ୍ ବାଘଙ୍କ ସଂଖ୍ୟା ଜାଣିବାକୁ କ୍ୟାମେରା ଫୁଟେଜ୍ ଓ ଫଟୋର ତର୍ଜମା ଚାଲିଛି। ଗୋଟିଏ ବାଘ ଏକାଧିକ ଥର କ୍ୟାମେରା ଲେନ୍ସରେ କଏଦ୍ ହୋଇଥିଲେ ତା’ର ଗତିବିଧିର ଅନୁପାତକୁ ଅନୁଧ୍ୟାନ କରିବାକୁ ପଡ଼େ। ସବିଶେଷ ତର୍ଜମା ପରେ ମହାବଳ ସଂଖ୍ୟା ୩୫ ଟପିପାରେ ବୋଲି ଆଶା ରଖିଛୁ। ଆସନ୍ତା ବର୍ଷ ବାଘ ଗଣନା ରିପୋର୍ଟ ପ୍ରକାଶିତ ହେବ ବୋଲି ସେ କହିଛନ୍ତି ।
