ବିଜେପିକୁ ହଟେଇବା ପାଇଁ କଂଗ୍ରେସରେ ଯୋଗ ଦେବେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା! ଜାଣନ୍ତୁ କହିଲେ କ’ଣ?
ଗାନ୍ଧିନଗର: କଂଗ୍ରେସ ଛାଡିବାର ପାଖାପାଖି ୧ ଦଶନ୍ଧୀ ପରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା ପୁଣି ଦଳକୁ ଫେରିବା ପାଇଁ ପାର୍ଟି ନେତୃତ୍ୱଙ୍କ ସହ ଆଲୋଚନା ଚଳାଇଥିବା ଜଣାପଡିଛି। ବାଘେଲା କହିଛନ୍ତି ଯେ ରାଜ୍ୟ ଶାସନରୁ ବିଜେପି ସରକାରଙ୍କୁ ହଟାଇବା ପାଇଁ ମୁଁ କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ। ଇଣ୍ଡିଆନ ଏକ୍ସପ୍ରେସ୍ ସହ ଏକ ଆଲୋଚନାରେ ବାଘେଲା କହିଛନ୍ତି ଯେ ସେ ଗୁଜରାଟ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ରଣଦୀପସିଂହ ସୁରଜେୱାଲା, ଗୁଜରାଟ କଂଗ୍ରେସ ସଭାତି ଅମିତ ଚାୱଡା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତ ସିଂହ ସୋଲଙ୍କୀଙ୍କ ସହ ଚର୍ଚ୍ଚା କରିଛନ୍ତି, ତେବେ ପାର୍ଟିକୁ ତାଙ୍କର ପ୍ରତ୍ୟାବର୍ତ୍ତନ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ପରେ ହେବ।
ଏହି ଘଟଣାକ୍ରମ ଆଗାମୀ ମାସରେ ହେବାକୁ ଥିବା ଗାନ୍ଧିନଗର କର୍ପୋରେସନ ନିର୍ବାଚନ ଓ ଆଗାମୀ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ସାମ୍ନାକୁ ଆସିଛି। ୮୬ ବର୍ଷ ବୟଷ୍କ ବାଘେଲା ଯିଏ ୨୦୧୭ ମସିହାରେ କଂଗ୍ରେସ ଛାଡିଥିଲେ କହିଛନ୍ତି ଯେ ମୁଁ ପାର୍ଟିଠାରୁ କିଛି ଚାହୁଁ ନଥିବା ନେତୃତ୍ୱଙ୍କୁ କହିଛି। ବାଘେଲା ଯିଏ ୨୦୨୭ ନିର୍ବାଚନରେ ନିଜର ରାଜନୈତିକ ପ୍ରଭାବ ପକାଇବାକୁ ନିଜର ଶେଷ ସୁଯୋଗ ବୋଲି କହୁଛନ୍ତି, ତାଙ୍କ ନିଜ ପାର୍ଟି ପ୍ରଜାଶକ୍ତି ଡେମୋକ୍ରାଟିକ୍ ପାର୍ଟି (ପିଏସଡିପି) ଲାଗି ଅକ୍ଟୋବର ୨ ତାରିଖରୁ ଏକ ଆକ୍ରମକ ଅଭିଯାନ ଘୋଷଣା କରିଛନ୍ତି।
ତେବେ ବାଘେଲାଙ୍କ ଯୋଗଦାନ କୁ ନେଇ ପ୍ରଦେଶ କଂଗ୍ରେସରେ ମତପାର୍ଥକ୍ୟ ରହିଛି। ଚାୱଡା ସାମ୍ବାଦିକଙ୍କୁ କହିଛନ୍ତି ଯେ ପାର୍ଟି ୨୦୨୭ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଗାମୀ କିଛି ଦିନରେ ଦଳର ଅସନ୍ତୁଷ୍ଟ ନେତା କଂଗ୍ରେସ ସହ ଗୋଟିଏ ମଞ୍ଚରେ ଏକତ୍ର ହେବେ ଓ ଗୁଜରାଟରେ ପରିବର୍ତ୍ତନ ଆଣିବା ପାଇଁ ଏକଜୁଟ ହୋଇ କାମ କରିବେ। ତେବେ ପାର୍ଟି ନେତୃତ୍ୱର ଗୋଟିଏ ବର୍ଗ ବାଘେଲାଙ୍କୁ ନେଇ ଏବେବି ଆଶଙ୍କାରେ ଅଛନ୍ତି। ଏହାର ମୁଖ୍ୟ କାରଣ ୨୦୧୭ ମସିହାରେ ପାର୍ଟିରୁ ତାଙ୍କ ଇସ୍ତଫାର କାରଣ। ବାଘେଲା ତାଙ୍କ ୭୭ତମ ଜନ୍ମଦିନରେ କଂଗ୍ରେସରୁ ତାଙ୍କର ଇସ୍ତଫା ଘୋଷଣା କରିଥିଲେ। ସେ ଏହି ଇସ୍ତଫା ରାଜ୍ୟସଭାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନର କିଛି ସପ୍ତାହ ପୂର୍ବରୁ କରିଥିଲେ।
ଏହି ନିର୍ବାଚନରେ ଦିବଙ୍ଗତ ଅହମଦ ପଟେଲ ଯିଏ ସେ ସମୟରେ କଂଗ୍ରେସ ସଂସଦୀୟ ଦଳ (ସିପିପି)ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ଥିଲେ ସ୍ୱଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ସମୟରେ ଗୁଜରାଟ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ବାଘେଲା। ସେହି ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ କଥିତ ରୂପେ ପାର୍ଟିର ଅନୁନ୍ୟ ୮ ଜଣ ବିଧାୟକ କ୍ରୋସ ଭୋଟିଂ କରିଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ୪ ଦିନ ପରେ ବାଘେଲା ପାର୍ଟିରୁ ଇସ୍ତଫା ଦେଇଥିଲେ। ସେହି ନିର୍ବାଚନରେ ରାମନାଥ କୋବିନ୍ଦ ଦୁଇ ତୃତିୟାଂଶ ବହୁମତରେ ବିଜୟୀ ହୋଇ ରାଷ୍ଟ୍ରପତି ହୋଇଥିଲେ।
୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୁଜରାଟରେ ନିଜର ସବୁଠୁ ମଜଭୁତ ପ୍ରଦର୍ଶନ କରିଥିଲା। ୧୯୯୫ ମସିହାରେ ରାଜ୍ୟ ଶାସନ ବିଜେପି ହାତକୁ ଯିବା ପରେ ପ୍ରଥମ ଥର କଂଗ୍ରେସ ୧୮୨ ଆସନରୁ ୭୭ଟି ଆସନ ହାତେଇ ପାରିଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଗୁଜରାଟରେ କଂଗ୍ରେସର ପ୍ରଦର୍ଶନରେ ହ୍ରାସ ଦେଖା ଯାଇଛି। ୧୮୨ ସଦସୀୟ ବିଧାନସଭାରେ ଏବେ କଂଗ୍ରେସର ମାତ୍ର ୧୨ଜଣ ବିଧାୟକ ଅଛନ୍ତି। ବିଧାନସଭାରେ କଂଗ୍ରେସ ଏବେ ମୁଖ୍ୟ ବିରୋଧୀ ଦଳ ହେବାକୁ ବି ଯୋଗ୍ୟ ନାହିଁ।
କଂଗ୍ରେସ ସହ ବାଘେଲାଙ୍କ ସମ୍ପର୍କ ୧୯୯୦ ଦଶକରେ ହୋଇଥିଲା। ୧୯୯୬ ମସିହାରେ ବିଜେପିରୁ ପୃଥକ ହେବା ପରେ ସେ ରାଷ୍ଟ୍ରୀୟ ଜନତା ପାର୍ଟି (ଆରଜେପି) ସ୍ଥାପନା କରିଥିଲେ ଓ କଂଗ୍ରେସ ସମର୍ଥିତ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ କଂଗ୍ରେସରେ ଆରଜେପିକୁ ବିଲୟ କରିଦେଇଥିଲେ। ଗୋଧରା ଦଙ୍ଗା ପରେ ହୋଇଥିବା ୨୦୦୨ ବିଧାନସଭା ନିର୍ବାଚନ ପୂର୍ବରୁ ବାଘେଲାଙ୍କୁ ଗୁଜରାଟ କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଥିଲା। ପରେ ସେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ପ୍ରଥମ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
