ମୁମ୍ବାଇ,୧୫|୦୬:ଗୋଟେ ସମୟ ଥିଲା ଯେତେବେଳେ ବଲିଉଡ୍ ଅଭିନେତ୍ରୀ ଗ୍ରେସି ସିଂଙ୍କୁ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଉଥିଲା। ଏଭରଗ୍ରୀନ ଫିଲ୍ମ ‘ଲଗାନ’କୁ ନେଇ ସେ ଲାଇମଲାଇଟକୁ ଆସିଥିଲେ । ଏହି ଫିଲ୍ମ ତାଙ୍କ ଭାଗ୍ୟ ବଦଳାଇଦେଇଥିଲା | ରାତାରାତି ଷ୍ଟାର ପାଲଟିଯାଇଥିଲେ ଗ୍ରେସି । ପରବର୍ତ୍ତୀ ସମୟରେ, ସେ ଆମିର ଖାନ, ଅଜୟ ଦେବଗନ, ସଞ୍ଜୟ ଦତ୍ତ ଏବଂ ଅମିତାଭ ବଚ୍ଚନଙ୍କ ପରି ପ୍ରମୁଖ ତାରକାଙ୍କ ସହ କାମ କରିଥିଲେ। କିନ୍ତୁ ତା’ପରେ, ହଠାତ୍, ସେ ଚଳଚ୍ଚିତ୍ର ଶିଳ୍ପରୁ କୁଆଡେ ଉଭାନ ହୋଇଯାଇଥିଲେ । କିନ୍ତୁ ଏବେ ଏକ ଫିଲ୍ମ ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳିଛି ।
ବଲିଉଡ ଏଭରଗ୍ରୀନ ଫିଲ୍ମ ‘ଲଗାନ’କୁ ପୂରିଛି ୨୫ ବର୍ଷ । ଆଉ ନିଜ ଫିଲ୍ମର ୨୫ ବର୍ଷ ପୂର୍ତ୍ତି ଅବସରରେ ଗ୍ରେସିଙ୍କ ସ୍ମୃତି ମଧ୍ୟ ପୁନର୍ବାର ଜାଗ୍ରତ ହୋଇଛି। ଗ୍ରେସି ଜଣେ ନୃତ୍ୟଶିଳ୍ପୀ ଭାବରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ସେ ‘ଦି ପ୍ଲାନେଟ୍ସ’ ନାମକ ଏକ ଡ୍ୟାନ୍ସ ଗ୍ରୁପରେ ନୃତ୍ୟ ପରିବେଷଣ କରୁଥିଲେ। ପରେ ୧୯୯୭ ମସିହାରେ, ସେ ଏକ ଟିଭି ଶୋ ’ଅମାନତ’ ମାଧ୍ୟମରେ ଅଭିନୟ ଜଗତରେ ପାଦ ଥାପିଥିଲେ । କିନ୍ତୁ ୨୦୦୧ ମସିହାରେ ’ଲଗାନ’ ରିଲିଜ୍ ହେବାପରେ ସେ ପ୍ରକୃତ ପରିଚୟ ପାଇଥିଲେ। ଫିଲ୍ମରେ ତାଙ୍କର ସରଳତା ଏବଂ ଭଲ ଅଭିନୟ ପାଇଁ ସେ ଅନେକ ଦର୍ଶକଙ୍କ ହୃଦୟ ଜିତିଥିଲେ ।
“ଲଗାନ” ପରେ, ଗ୍ରେସି “ମୁନ୍ନା ଭାଇ ଏମ.ବି.ବି.ଏସ.” ଏବଂ “ଗଙ୍ଗାଜଲ” ଭଳି ସୁପରହିଟ୍ ଫିଲ୍ମରେ କାମ କରି ଖୁବ ନାମ ଅର୍ଜନ କରିଥିଲେ । ଦୁଇଟି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଏବଂ ସେ ଦର୍ଶକଙ୍କ ପ୍ରିୟ ହୋଇଯାଇଥିଲେ। କିନ୍ତୁ ସଫଳତାର ଏହି ପର୍ଯ୍ୟାୟ ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ। ଗ୍ରେସି ଅନିଲ କପୁର ଏବଂ ଅମିତାଭ ବଚ୍ଚନଙ୍କ ସହ ‘ଅର୍ମାନ’ ଫିଲ୍ମରେ କାମ କରିଥିଲେ, କିନ୍ତୁ ଏହା ବକ୍ସ-ଅଫିସରେ ଫ୍ଲପ୍ ହୋଇଥିଲା। ଏହାପରେ ତାଙ୍କର ଅନେକ ଚଳଚ୍ଚିତ୍ର – ଯେପରିକି ‘ଚଞ୍ଚଳ’, ‘ଦେଶଦ୍ରୋହୀ’, ଏବଂ ‘ଦେଖ ଭାଇ ଦେଖ’ – ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିଲା। ଏକାଧିକ ଫ୍ଲପ୍ ତାଙ୍କ କ୍ୟାରିଅରକୁ ମନ୍ଥର କରିଦେଇଥିଲା, ଯାହା ତାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ନିଜର ଭାଗ୍ୟ ଚେଷ୍ଟା କରିବାକୁ ପ୍ରେରଣା ଦେଇଥିଲା, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ନିରାଶାର ସମ୍ମୁଖୀନ ହେବାକୁ ପଡିଥିଲା।
ଗ୍ରେସି ସିଂ ସବୁବେଳେ ଖୋଲାଖୋଲି ଭାବରେ କହିଛନ୍ତି ଯେ ଅଭିନୟ ତାଙ୍କର ଶେଷ ଲକ୍ଷ୍ୟ ନୁହେଁ। ସେ କେବେ ବଲିଉଡର ବଡ ଷ୍ଟାର ହେବା ଦୌଡ଼ରେ ନଥିଲେ। ହୁଏତ ଏହି କାରଣରୁ ସେ ସଫଳତା ଏବଂ ବିଫଳତା ଉଭୟକୁ ଗ୍ରହଣ କରିଥିଲେ। ୨୦୧୫ ମସିହାରେ, ଗ୍ରେସି “ସନ୍ତୋଷୀ ମା” ନାମକ ଏକ ଲୋକପ୍ରିୟ ଶୋ’ରେ ଦେବୀ ସନ୍ତୋଷୀ ଭୂମିକାରେ ଅଭିନୟ କରି ଟେଲିଭିଜନ ଦୁନିଆକୁ ଫେରିଥିଲେ। ଏହି ଭୂମିକା ମାଧ୍ୟମରେ ସେ ନୂତନ ପିଢ଼ିର ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ସେ ଅନେକ ଆଧ୍ୟାତ୍ମିକ ଶୋ’ରେ କାମ କରି ଜଣେ ଟେଲିଭିଜନ ଷ୍ଟାର ହୋଇଗଲେ।
ଗ୍ରେସିଙ୍କୁ ଏବେ ୪୪ ବର୍ଷ କିନ୍ତୁ ଅବିବାହିତ ଅଛନ୍ତି। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ସେ ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମା କୁମାରୀ ସହିତ ଜଡିତ ଅଛନ୍ତି । ସେ କହିଛନ୍ତି ଯେ ପ୍ରକୃତ ଖୁସି ,ଫିଲ୍ମ କିମ୍ବା ପ୍ରସିଦ୍ଧିରେ ନଥାଏ ବରଂ ଆଧ୍ୟାତ୍ମିକତା ଏବଂ ଆନ୍ତରିକ ଶାନ୍ତିରେ ମିଳେ । ଯଦିଓ ଗ୍ରେସି ବର୍ତ୍ତମାନ ଚଳଚ୍ଚିତ୍ରରୁ ଦୂରରେ ଅଛନ୍ତି, ତଥାପି ଦର୍ଶକମାନେ ତାଙ୍କୁ ଆଜି ବି ‘ଲଗାନ’ର ଗୌରୀ ଭାବରେ ମନେ ରଖିଛନ୍ତି ।
