Voice of Eastern India

ମା’ ଭଟ୍ଟାରିକାଙ୍କ ଗମ୍ଭୀରାରେ ପଶିଲା ବନ୍ୟାଜଳ: ରତ୍ନଗିରି ପାହାଡ଼ ଅସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତର ଚଳନ୍ତି ପ୍ରତିମା


ଆଠଗଡ଼: ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ କଟକ ଜିଲ୍ଲା ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ କ୍ରମାଗତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଥିବାରୁ ମହାନଦୀ ଫୁଲିବାରେ ଲାଗିଛି। ଏହାର ପ୍ରଭାବରେ ମା’ ଭଟ୍ଟାରିକାଙ୍କ ମୁଖ୍ୟ ମନ୍ଦିରର ଗମ୍ଭୀରା (ଗର୍ଭଗୃହ) ଭିତରେ ବନ୍ୟାଜଳ ପ୍ରବେଶ କରିଛି।

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ମା’

ମନ୍ଦିର ବେଢ଼ା ଓ ଗମ୍ଭୀରା ଭିତରେ ବନ୍ୟାଜଳ ପଶିବା ପରେ ନୀତିକାନ୍ତି ବାଧାପ୍ରାପ୍ତ ହେବା ଆଶଙ୍କାରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପରମ୍ପରା ଅନୁଯାୟୀ, ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ମନ୍ଦିର ନିକଟସ୍ଥ ରତ୍ନଗିରି ପର୍ବତ ଉପରେ ଥିବା ଅସ୍ଥାୟୀ ଗମ୍ଭୀରା (ଫ୍ଲଡ୍‌ ଶେଲ୍ଟର)କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି। ସେଠାରେ ନିୟମିତ ପୂଜାର୍ଚ୍ଚନା ଓ ନୀତିକାନ୍ତି ଜାରି ରହିବ।

ପ୍ରଶାସନ ଓ ସେବାୟତ ସଜାଗ

ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ମନ୍ଦିର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗ ସ୍ଥିତି ଉପରେ ନଜର ରଖିଛନ୍ତି। ନଦୀ କୂଳକୁ ନଯିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଉଛି।

Source link



Source link

Leave A Reply

Your email address will not be published.