Voice of Eastern India

ରାଜଧାନୀରେ ପାରମ୍ପରିକ ଲୋକ କଳାର ଅପୂର୍ବ ସମନ୍ୱୟ, ମୁଗ୍ଧ କଲା ଓଡ଼ିଶାର ପ୍ରସିଦ୍ଧ ଓ ପ୍ରାଚୀନ ଗଣପର୍ବ ‘ଦଣ୍ଡ ନାଟ’


ଭୁବନେଶ୍ବର: ରାଜଧାନୀରେ ପାରମ୍ପରିକ ଲୋକ କଳାର ଅପୂର୍ବ ସମନ୍ୱୟ। ଭାରତୀୟ ବିଦ୍ୟା ଭବନ ଏବଂ ଇନ୍ଫୋସିସ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା। ଯେଉଁଠି ଦର୍ଶକଙ୍କୁ ବିମୋହିତ କରିଛି ଓଡ଼ିଶାର ପ୍ରସିଦ୍ଧ ଓ ପ୍ରାଚୀନ ଗଣପର୍ବ ‘ଦଣ୍ଡ ନାଟ’। ଗଞ୍ଜାମର ନେହରୁ ମହିଳା ସମିତିର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଏହି ଆଧ୍ୟାତ୍ମିକ ନୃତ୍ୟ କେମିତି ଥିଲା ସମସ୍ତଙ୍କୁ ମୁଗ୍ଧ କରିଥିଲା ।

ସାଧାରଣତଃ ପୁରୁଷ ପ୍ରଧାନ କୁହାଯାଉଥିବା ଏହି କଠିନ ଦଣ୍ଡ ନାଟକୁ କଳାକାରମାନେ ଯେଉଁ ନିପୁଣତା ଓ ଭକ୍ତିଭାବ ସହ ମଞ୍ଚରେ ଉପସ୍ଥାପନ କଲେ, ତାହା ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାଳୀ ନୃତ୍ୟଠାରୁ ଆରମ୍ଭ କରି ପ୍ରଭା ନୃତ୍ୟ ପର୍ଯ୍ୟନ୍ତ ସବୁଥିରେ ଥିଲା ଆଧ୍ୟାତ୍ମିକତାର ଅପୂର୍ବ ସ୍ପର୍ଶ। ଭାରତୀୟ ବିଦ୍ୟା ଭବନରେ ଏହା ଥିଲା ୧୯୬ ଏପିସୋଡ୍ । ତେବେ ସୋମବାର ଏହି ମଞ୍ଚରେ ପରିବେଷିତ ହୋଇଥିଲା ଗଞ୍ଜାମ ପ୍ରସିଦ୍ଧ ଅଗ୍ନିଦଣ୍ଡ । ଯେଉଁଥିରେ ବନ୍ଦନା , ଚଢେୟା, ମଙ୍ଗଳା କୋଠି କଳସ ଆଦି ଦଣ୍ଡ ନାଟ ପରିବେଷଣ କରାଯାଇଥିଲା।

ମା’ ମଙ୍ଗଳା ଏବଂ ପ୍ରଭୁ ଶିବଙ୍କ ଆରାଧନା ଉପରେ ଆଧାରିତ ଏହି ପାରମ୍ପରିକ ନୃତ୍ୟର ପ୍ରତିଟି ମୁଦ୍ରା ଓ ପାଦଥାପିରେ ଓଡ଼ିଆ ମାଟିର ବାସ୍ନା ବାରି ହୋଇପଡ଼ୁଥିଲା। ବିଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବା ସହ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଭାରତୀୟ ବିଦ୍ୟା ଭବନ ଓ ଇନ୍ଫୋସିସ ଫାଉଣ୍ଡେସନର ଏହି ପ୍ରୟାସକୁ କଳାପ୍ରେମୀମାନେ ବେଶ୍ ପ୍ରଶଂସା କରିଛନ୍ତି। ଭାରତୀୟ ବିଦ୍ୟା ଭବନ ଓ ଇନ୍ଫୋସିସ ଫାଉଣ୍ଡେସନକୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ନେହେରୁ ମହିଳା ସମିତି ସମ୍ପାଦିକା ଟି ବବିତା କୁମାରୀ ପରିଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ମହିଳା ଶିଳ୍ପୀଙ୍କୁ ଉଚ୍ଚ ପ୍ରଶଂସା କରାଯିବା ସହ ସମ୍ମାନିତ କରାଯାଇଥିଲା। ଦୀର୍ଘଦିନ ହେବ ଏମିତି ଦଣ୍ଡ ନାଟ ପରିବେଷଣ କରି ବେଶ୍ ଖୁସି ରହିଥିବା କହିଛନ୍ତି କଳାକାରମାନେ ।

ଏହି ସାଂସ୍କୃତିକ ସନ୍ଧ୍ୟା କେବଳ ମନୋରଞ୍ଜନର ମାଧ୍ୟମ ନଥିଲା, ବରଂ ଓଡ଼ିଶାର ଗୌରବମୟ ଲୋକ ସଂସ୍କୃତିର ସୁରକ୍ଷା ଦିଗରେ ଏକ ଦୃଢ଼ ପଦକ୍ଷେପ ଥିଲା। ନିଶ୍ଚିତ ଭାବେ, ଏଭଳି ପ୍ରୟାସ ଆମର ଲୋକ କଳା ଓ କଳାକାରମାନଙ୍କୁ ଏକ ନୂଆ ପରିଚୟ ଦେବାରେ ସହାୟକ ହେବ।

 

Source link



Source link

Leave A Reply

Your email address will not be published.