ଅଯୋଧ୍ୟା: ରାମ ମନ୍ଦିର ଦାନ ଚୋରି ମାମଲାର ତଦନ୍ତ କରୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (ଏସଆଇଟି)କୁ ଏକ ଅନ୍ୟ ସନ୍ଦିଗ୍ଧର ସନ୍ଧାନ ମିଳିଛି,ଯିଏ ମନ୍ଦିର ନିର୍ମାଣରେ ସାମିଲ କମ୍ପାନୀ ଲାର୍ସନ ଆଣ୍ଡ ଟୁର୍ବୋ (ଏଲଆଣ୍ଡଟି)ର କର୍ମଚାରୀ। ଏହି ବ୍ୟକ୍ତିକୁ ବସ୍ତି ଜିଲ୍ଲାର ମହେଶ କୁମାର ନାମରେ ଚିହ୍ନଟ କରାଯାଇଥିବା ବେଳେ ସେ ଦାନ ଚୋରି ଅଭିଯୁକ୍ତ ଟିନ୍ନୁ ଯାଦବ ଘରେ ଭଡ଼ାରେ ରହୁଥିଲା। ଟିନ୍ନୁଙ୍କ ସହିତ ମହେଶର ସମ୍ପର୍କ ଭଲ ଥିଲା ଓ ସେମାନଙ୍କୁ ପ୍ରାୟତଃ ମନ୍ଦିର ପରିସରରେ ଏକତ୍ର ଦେଖା ଯାଉଥିଲା। ଯଦିଓ ମହେଶ ଆକାଉଣ୍ଟ ଓ ଅଡିଟ ରୁମ୍ ଡ୍ୟୁଟିରେ ନଥିଲା ତଥାପି ସେ ଅଡିଟ ସମ୍ପର୍କିତ କାର୍ଯ୍ୟ ତୁଲାଉଥିଲା ଓ ଟେଲିସିଟ୍ ତିଆରି କରୁଥିଲା। ତଦନ୍ତକାରୀମାନେ ଦେଖିବାକୁ ପାଇଛନ୍ତି ଯେ ଗତ ଏକ ବର୍ଷ ହେଲା ମହେଶର ସମ୍ପତ୍ତିରେ ଅଚାନକ ବୃଦ୍ଧି ହୋଇଛି।
ମହେଶ କୁମାରର ସମ୍ପତ୍ତି ଓ ତା ଭୂମିକା ଯାଞ୍ଚ ଲାଗି ଏସଆଇଟି ସଦସ୍ୟ ଲକ୍ଷ୍ନୌ ଜୋନ ଆଇଜି କିରଣ ଏସ୍. ଓ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ସକ୍ଷମ ଅଧିକାରୀଙ୍କ ନିକଟରେ ଅଭିଯୋଗ ରୁଜୁ ହୋଇଛି। ମହେଶଙ୍କ ଗାଁର ଜନୈକ ବ୍ୟକ୍ତି ଆଇଜି ଙ୍କ ପିଆରଓ ମୁକୁଲ ପ୍ରକାଶ ବର୍ମାଙ୍କୁ ମହେଶର ଅଚଳ ସମ୍ପତ୍ତି କ୍ରୟ ସମ୍ପର୍କିତ ପ୍ରମାଣ ସହିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅଭିଯୋଗକାରୀ ଏସଆଇଟିଙ୍କୁ ତାଙ୍କ ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି। ଅଭିଯୋଗ ଅନୁସାରେ ମହେଶ କୁମାର ଯିଏ ନିଜକୁ ଏଲଆଣ୍ଡଟିର ଜଣେ କର୍ମଚାରୀ ବୋଲି ଦାବି କରୁଛି ରାମ ମନ୍ଦିର ଦାନ ଚୋରି ଘଟଣା ପ୍ରଘଟ ହେବା ପରେ ପରେ ଜୁନ ୧୨ ତାରିଖରେ ପଡୋଶୀ ଗ୍ରାମ ଗଢାହାରାଜାରେ ୯୦ ଲକ୍ଷ ଟଙ୍କାରେ ୬ ବିଘା ଜମି କିଣିଛି।
ଏହା ଛଡା ପାଖା ଗାଁ ବେନିପୁରରେ ପ୍ଲଟ ନମ୍ବର ୧୯୨ରୁ ୦.୨୫୪୦ ହେକ୍ଟର ଓ ପ୍ଲଟ ନମ୍ବର ୧୫୯ରୁ ୦.୩୭୬୦ ହେକ୍ଟର ପ୍ରତି ବିଘା ୧୨ ଲକ୍ଷ ଟଙ୍କା ଦରରେ କିଣିଛି। ମହେଶ ଏହି ସବୁ ଜମି ଜମା ନିଜ ଭାଇ ରମେଶ କୁମାର, ନିଜ ପତ୍ନୀ, ଭାଇଙ୍କ ପତ୍ନୀ, ଭିଣୋଇ ଓ ଭଣଜାଙ୍କ ନାମରେ କିଣିଛି। ରମେଶ କୁମାର ଜଣେ ବାକାରୀ ହୋଇଥିବା ବେଳେ ମହେଶ କୁମାର ମାସିକ ୧୫-୧୮ ହଜାର ଟଙ୍କା ଆୟ କରନ୍ତି। ଅଭିଯୋଗ ଅନୁସାରେ ମହେଶ କୁମାର ଯିଏ ଗାଁରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ ବୋଲି ଦାବି କରେ ଗୋଟିଏ ବର୍ଷ ମଧ୍ୟରେ ଅଯୋଧ୍ୟାର ଦର୍ଶନ ନଗର, ଲକ୍ଷ୍ନୌର ବସ୍ତି ଓ ପ୍ରୟାଗରାଜରେ ପାଖାପାଖି ୨୦ଟି ଅଚଳ ସମ୍ପତ୍ତି କ୍ରୟ କରିଛି। ଏ ସମ୍ପର୍କିତ କାଗଜପତ୍ର ମଧ୍ୟ ଏସଆଇଟିକୁ ମିଳିଛି।
ସୂଚନା ଅନୁସାରେ ଏସଆଇଟିର ଜନୈକ ସଦସ୍ୟ ମହେଶ କୁମାରକୁ ଲକ୍ଷ୍ନୌସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ ଓ କିଛି ପଚରା ଉଚରା କରିଥିବାର ଜଣାପଡିଛି। ସେପଟେ ଏଲଆଣ୍ଡଟି ପ୍ରକଳ୍ପ ନିର୍ଦ୍ଦେଶକ ବିନୋଦ କୁମାର ମେହେଟ୍ଟା କହିଛନ୍ତି ଯେ ତାଙ୍କ କମ୍ପାନୀ ମହେଶ ନାମଧାରୀ ଓ ଠିକଣାର କୌଣସି ବ୍ୟକ୍ତିଙ୍କୁ ଚାକିରୀରେ ରଖି ନାହିଁ। ଏଣୁ ଅନୁମାନ କରାଯାଉଛି ମହେଶ କୁମାର ଏଲଆଣ୍ଡଟିର ସହାୟକ କମ୍ପାନୀ ଏଲଆଣ୍ଡଟି ଜିଓ ଷ୍ଟ୍ରକ୍ଚରର କର୍ମଚାରୀ ଥାଇ ପାରନ୍ତି, ଯିଏ ମନ୍ଦିରର ନିଅଁ କାମ ବେଳେ ପାଇଲିଂ ପାଇଁ ମାଟି ଖୋଳା କାମ କରିଥିଲା।
ତେବେ ରାମମନ୍ଦିର ଦାନ ଚୋରି ମାମଲାରେ ଏସଆଇଟିର ଯାଞ୍ଚ ପାଖାପାଖି ସରିଆସିଲାଣି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅର୍ଥାତ ଜୁଲାଇ ୧୫ ତାରିଖ ସୁଦ୍ଧା ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାର ଥିଲା, ହେଲେ ଏଥିରେ ଏବେ ୨/୩ ଦିନ ବିଳମ୍ବ ହୋଇପାରେ। ଏବେ ଯାଞ୍ଚ ଦଳର ସଦସ୍ୟ ଅଯୋଧ୍ୟା ପହଞ୍ଚି ଟ୍ରଷ୍ଟର ପୂର୍ବତନ ଓ ବର୍ତ୍ତମାନର ପଦାଧିକାରୀଙ୍କ ବୟାନ ରେକର୍ଡ କରିବେ। ଏହା ପରେ ଚୂଡ଼ାନ୍ତ ଯାଞ୍ଚ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ। ଏହି ରିପୋର୍ଟରେ କିଛି ଅନ୍ୟ ଅଭିଯୁକ୍ତଙ୍କ ନାମ ମଧ୍ୟ ସାମିଲ ହୋଇପାରେ। ଏଥିରେ ବ୍ୟାଙ୍କ, ଟ୍ରଷ୍ଟ ଓ ମନ୍ଦିର ସମ୍ପର୍କିତ ଲୋକେ ତଥା ସୁରକ୍ଷା ଓ ଦାନ ଗଣନା ସାମିଲ ଲୋକେ ମଧ୍ୟ ରହିପାରନ୍ତି।
