Voice of Eastern India

ଲଗାଣ ବର୍ଷାରେ ବେହାଲ ଉତ୍ତର ଓଡ଼ିଶା, ସବୁ ନଦୀର ଜଳସ୍ତର ଉପରମୁହାଁ, ତଳିଆ ଅଞ୍ଚଳରେ ପଶିଲାଣି ପାଣି


ଭୁବନେଶ୍ୱର ୨୯।୦୭ : ଉତ୍ତର ଓଡ଼ିଶା ଉବୁଟୁବୁ । ଉଛୁଳୁଛି ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଅନେକ ଅଞ୍ଚଳ ଜଳମଗ୍ନ । ରାସ୍ତାରେ ପାଣି ଚାଲୁଛି । ଯେଉଁଭଳି ପ୍ରଖର ବେଗରେ ବୈତରଣୀ ମାଡ଼ୁଛି, ବୁଧବାର ସକାଳ ସୁଦ୍ଧା ଯାଜପୁର, ଭଦ୍ରକର ଅନେକ ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଯାଇଥିବ।

ତେବେ ଆଶଙ୍କା କରାଯାଉଛି କି , ବୈତରଣୀ ଏଥର ମଧ୍ୟମ କିମ୍ବା ବଡ଼ ଧରଣର ବନ୍ୟା ସ୍ଥିତି ଆଣିପାରେ । ଘନଘନ ସମୀକ୍ଷା ଚଳାଇଛନ୍ତି ସରକାର । ପ୍ରଭାବିତ ଅଞ୍ଚଳକୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ପଠାଯାଇଛି । ବନ୍ୟା ସ୍ଥିତି ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲ୍ଲାକୁ ପଠାଯାଇଛି । ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଓ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ୱତନ୍ତ୍ର ଭାବେ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ୮ ଜିଲ୍ଲାରେ ବୁଧବାର ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।

Also Read:-ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ସାପ ଉଦ୍ଧାର, ସହର ବାହାରେ ଛାଡି଼ଲେ ସ୍ନେକ୍ ହେଲ୍ପ ଲାଇନ୍ ଟିମ୍

ସେହିପରି ପ୍ରବଳ ବର୍ଷା ଭିତରେ କେନ୍ଦୁଝର ଆନନ୍ଦପୁର ରେମାଳ ଡ୍ୟାମ ଗେଟ ଖୋଲିଥିବାବେଳେ ଗାଧୋଇବାକୁ ଯାଇଥିବା ଜଣେ ଯୁବତୀ ଭାସି ଯାଇଥିବା ସୂଚନା ମିଳିଛି । ହରିଚନ୍ଦନପୁରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସରଫାଣ୍ଡି ଅନ୍ତର୍ଗତ ଆମ୍ୱଘାଟ ଗ୍ରାମରେ କାନ୍ଥ ପଡ଼ି ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବ୍ଲକରେ କାନ୍ଥପଡ଼ିବାରୁ ମା’-ଝିଅ ଗୁରୁତର ହୋଇଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ-ବୁଧବାର ସକାଳ ସୁଦ୍ଧା ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବେଶି ବର୍ଷିବ ପଶ୍ଚିମ ଓଡ଼ିଶାରେ । ଗୁରୁବାରଠାରୁ ବର୍ଷା ପରିମାଣ କମିପାରେ । ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ୧ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

 

Source link



Source link

Leave A Reply

Your email address will not be published.