ନୂଆଦିଲ୍ଲୀ: ‘ଡାକ୍ତର ଡେଥ୍’ ଭାବରେ ପରିଚିତ ଜର୍ମାନୀର ପ୍ରସିଦ୍ଧ ଶରୀରବିଜ୍ଞାନୀ ଗୁନ୍ଥର ଭନ୍ ହାଗେନ୍ସ (Gunther von Hagens)ଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜୁଲାଇ ୨୪ ରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଏବଂ ‘ଇନଷ୍ଟିଚ୍ୟୁଟ୍ ଫର୍ ପ୍ଲାଷ୍ଟିନେସନ୍’ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଶେଷ ଇଚ୍ଛା ଅନୁସାରେ, ତାଙ୍କ ନିଜ ମୃତଦେହକୁ ମଧ୍ୟ ସେହି ଚର୍ଚ୍ଚିତ ‘ପ୍ଲାଷ୍ଟିନେସନ୍’ (Plastination) ପ୍ରକ୍ରିୟାରେ ରଖାଯିବ।
କ’ଣ ଏହି ‘ପ୍ଲାଷ୍ଟିନେସନ୍’ ପ୍ରକ୍ରିୟା?
ଗୁନ୍ଥର ଭନ୍ ହାଗେନ୍ସ ୧୯୭୦ ଦଶକରେ ଏହି ବିଶେଷ ପ୍ରକ୍ରିୟା ଉଦ୍ଭାବନ କରିଥିଲେ । ଏଥିରେ ମୃତଦେହରୁ ରକ୍ତ, ପାଣି ଓ ଅନ୍ୟାନ୍ୟ ତରଳ ପଦାର୍ଥକୁ ବାହାର କରି ସେହି ସ୍ଥାନରେ ତରଳ ପ୍ଲାଷ୍ଟିକ୍ ଭରାଯାଏ, ଫଳରେ ମୃତଦେହ ଟାଣ ହୋଇଯାଏ। ଏହି ପ୍ରକ୍ରିୟା ଦ୍ୱାରା ମାନବ ଶରୀର ଏବଂ ଏହାର ଅଙ୍ଗପ୍ରତ୍ୟଙ୍ଗ ବହୁ ବର୍ଷ ଧରି ନଷ୍ଟ ନହୋଇ ସୁରକ୍ଷିତ ରହିଥାଏ।
ଫନ୍ ହାଗେନ୍ସ ନିଜର ବିଶ୍ୱପ୍ରସିଦ୍ଧ “ବଡି ୱାର୍ଲ୍ଡସ” (Body Worlds) ପ୍ରଦର୍ଶନୀ ମାଧ୍ୟମରେ ଏହି ସଂରକ୍ଷିତ ମୃତଦେହଗୁଡ଼ିକୁ ସାରା ବିଶ୍ୱରେ ପ୍ରଦର୍ଶିତ କରୁଥିଲେ। ଜର୍ମାନୀର ହାଇଡେଲବର୍ଗସ୍ଥିତ ଏକ କ୍ଲିନିକରେ ମସ୍ତିଷ୍କଘାତ ହେତୁ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ପରିବାର ପକ୍ଷରୁ କୁହାଯାଇଛି ଯେ, ନିଜ ମୃତଦେହକୁ ପ୍ଲାଷ୍ଟିନେସନ୍ କରିବା ହାଗେନ୍ସଙ୍କ ନିଜର ଶେଷ ଇଚ୍ଛା ଥିଲା ଏବଂ ପରିବାର ଲୋକେ ଏହି ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ମୃତଦେହକୁ ଏହି ପ୍ରକ୍ରିୟା ପାଇଁ ହସ୍ତାନ୍ତର କରିସାରିଛନ୍ତି। ହାଗେନ୍ସଙ୍କ ଏହି କାର୍ଯ୍ୟ ସାରା ବିଶ୍ୱରେ ପ୍ରଶଂସା ପାଇଥିଲେ ବି ପ୍ରଚଣ୍ଡ ବିରୋଧର ସାମ୍ନା କରିଥିଲା । ୨୦୦୨ ମସିହାରେ ଲଣ୍ଡନର ‘ବଡି ୱାର୍ଲ୍ଡସ’ ଶୋ’ ସମୟରେ ସେ ସରକାରଙ୍କ ବାରଣ ସତ୍ତ୍ୱେ ୧୭୦ ବର୍ଷ ମଧ୍ୟରେ ବ୍ରିଟେନର ପ୍ରଥମ ସାର୍ବଜନୀନ ଶବ ବ୍ୟବଚ୍ଛେଦ କରିଥିଲେ, ଯାହାକୁ ଦେଖିବାକୁ ଶହ ଶହ ଲୋକ ଜମା ହୋଇଥିଲେ।
ତାଙ୍କ ପ୍ରଦର୍ଶନୀରେ ପ୍ଲାଷ୍ଟିନେସନ୍ କରାଯାଇଥିବା ଘୋଡ଼ା ଉପରେ ବସିଥିବା ମଣିଷର ଶବ ଏବଂ ଗର୍ଭବତୀ ମହିଳାଙ୍କ ମୃତଦେହ ଆଦି ପ୍ରଦର୍ଶିତ ହୋଇଥିଲା। ବର୍ଲିନ କାଥୋଲିକ ଏକାଡେମୀର ରେକ୍ଟର ଏର୍ନଷ୍ଟ ପୁଲସଫୋର୍ଟ କହିଥିଲେ ଯେ, ‘ସେ ମୃତଦେହଗୁଡ଼ିକ ସହ ଜଣେ ଶିଶୁ କଣ୍ଢେଇ ସହ ଖେଳିଲା ଭଳି ଖେଳୁଛନ୍ତି।’ତେବେ ଭନ୍ ହାଗେନ୍ସ ନିଜ କାର୍ଯ୍ୟର ସଫେଇ ଦେଇ ସବୁବେଳେ କହୁଥିଲେ ଯେ, ସେ କେବଳ ସେହିମାନଙ୍କ ମୃତଦେହ ବ୍ୟବହାର କରୁଥିଲେ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ନିଜ ଶରୀର ଦାନ କରୁଥିଲେ। ମାନବ ଶରୀର କିପରି କାର୍ଯ୍ୟ କରେ, ତାହା ସାଧାରଣ ଲୋକଙ୍କୁ ବୁଝାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
