Voice of Eastern India

ସୌମ୍ୟରଞ୍ଜନ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆକ୍ସନ ନିର୍ଦ୍ଦେଶ, ଡିଜିପିଙ୍କୁ ମଗାଗଲା ଚାର୍ଜସିଟ୍


ଭୁବନେଶ୍ୱର: ଆରପିଏଫ କନଷ୍ଟେବଲ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସ ପ୍ରଶାସନରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ଆକ୍ସନ ପାଇଁ ସବୁଜ ସଙ୍କେତ ମିଳିବା ପରେ ପୋଲିସ ମହାନିର୍ଦ୍ଦେଶକ (DGP) ଙ୍କୁ ତୁରନ୍ତ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସୌମ୍ୟରଞ୍ଜନ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ

ମିଳିଥିବା ସୂଚନା ଅନୁଯାୟୀ, ଆରପିଏଫ କନଷ୍ଟେବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ଭୂମିକା ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାରେ କାର୍ଯ୍ୟକ୍ଷେତ୍ରରେ ଅବହେଳା, ନିୟମର ଉଲ୍ଲଂଘନ ଏବଂ ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଅଭିଯୋଗକୁ ଭିତ୍ତି କରି ସରକାର ଏହି କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଡିଜିପିଙ୍କୁ ପତ୍ର ଲେଖି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଡ୍ରାଫ୍ଟ ଚାର୍ଜସିଟ୍ ପ୍ରସ୍ତୁତ କରି ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଆଇପିଏସ୍ ଦୟାଲ ଗଙ୍ଗୱାର ମୃତ କନଷ୍ଟେବଲ ସୌମ୍ୟରଞ୍ଜନଙ୍କୁ ନିଜର ବ୍ୟକ୍ତିଗତ ଏବଂ ଘରୋଇ କାମରେ ବେଆଇନ ଭାବେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଜଣେ ସୁରକ୍ଷା କର୍ମୀଙ୍କୁ ଦେଶ ସେବା ବଦଳରେ ନିଜ ଘରର ବ୍ୟକ୍ତିଗତ କାର୍ଯ୍ୟରେ ଖଟାଇବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେବା ଘଟଣାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହି ମାମଲାରେ ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ (DGP) ଙ୍କୁ ତୁରନ୍ତ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆରୋପନାମା ବା ଡ୍ରାଫ୍ଟ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମ୍ବେଦନଶୀଳ ଘଟଣାରେ ସୌମ୍ୟରଞ୍ଜନଙ୍କ ମାଆ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଗଣମାଧ୍ୟମ ଓ ପ୍ରଶାସନ ସାମ୍ନାରେ ଅତି ସଙ୍ଗୀନ ଅଭିଯୋଗ ଆଣିଥିଲେ। ସୌମ୍ୟଙ୍କ ମାଆଙ୍କ କହିବା ଅନୁଯାୟୀ, ତାଙ୍କ ପୁଅକୁ ଜଣେ ଆରପିଏଫ କନଷ୍ଟେବଲ ଭାବେ ନୁହେଁ, ବରଂ ଆଇପିଏସ୍ ଅଧିକାରୀଙ୍କ ବାସଭବନରେ ଜଣେ ଘରୋଇ ଚାକର ଭଳି ବ୍ୟବହାର କରାଯାଉଥିଲା ଏବଂ ଅଫିସିଆଲ୍ ଡ୍ୟୁଟି ବାହାରେ ତାଙ୍କୁ ସବୁ ପ୍ରକାର ଘରକାମ କରିବାକୁ ବାଧ୍ୟ କରାଯାଉଥିଲା।

Source link



Source link

Leave A Reply

Your email address will not be published.