Voice of Eastern India

୨୦୦୦ ବର୍ଷ ପରେ ମିଳିଛି ଏପରି ଚମତ୍କାରୀ ଗଛର ରହସ୍ୟ, ଯାହାର ମୂଲ୍ୟ ଥିଲା ସୁନାଠୁ ଉପରେ…


ରୋମ: ହଜାର ହଜାର ବର୍ଷ ପୁରୁଣା ଇତିହାସର ଏକ ରହସ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ତୁର୍କୀରେ ଏକ ବିରଳ ଉଦ୍ଭିଦ ପୁଣିଥରେ ଠାବ ହୋଇଥିବା ଦାବି କରାଯାଇଛି। ପ୍ରାୟ ୨,୦୦୦ ବର୍ଷ ପୂର୍ବରୁ ଏହି ଉଦ୍ଭିଦ ବିଲୁପ୍ତ ହୋଇଯାଇଥିବା ବିଶ୍ୱାସ କରାଯାଉଥିଲା। ଏମିତି ଏକ ଉଦ୍ଭିଦ, ଯାହାକୁ ପ୍ରାଚୀନ ଗ୍ରୀକ୍, ରୋମାନ୍ ଏବଂ ମିଶରୀୟ ସଭ୍ୟତାରେ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ଉଦ୍ଭିଦ ଭାବେ ବିବେଚନା କରାଯାଉଥିଲା। ପ୍ରାୟ ୨,୦୦୦ ବର୍ଷ ପରେ ପୁଣି ଚିହ୍ନଟ କରାଯାଇଛି। ଏହି ଗଛକୁ ନେଇ ଆଜି ବି ବୈଜ୍ଞାନିକ ଓ ଇତିହାସବିଦଙ୍କ ମଧ୍ୟରେ ଗବେଷଣା ଚାଲିଛି।

ସୂଚନା ଅନୁସାରେ, ତୁର୍କୀରେ ଜଣେ ପ୍ରଫେସର ଦୁଇଟି ଭିନ୍ନ ସ୍ଥାନରେ ସିଲ୍ଫିୟମ୍ ସହ ସାମଞ୍ଜସ୍ୟ ଥିବା ଏହି ଉଦ୍ଭିଦକୁ ଠାବ କରିଛନ୍ତି। ଏହି ଆବିଷ୍କାର ପରେ ଇତିହାସ ଓ ଉଦ୍ଭିଦ ବିଜ୍ଞାନ ମହଲରେ ନୂଆ ଆଗ୍ରହ ସୃଷ୍ଟି ହୋଇଛି। ପ୍ରାଚୀନ ସମୟରେ ସିଲ୍ଫିୟମର ଚାହିଦା ଏତେ ଅଧିକ ଥିଲା ଯେ ଏହାର ବ୍ୟବସାୟ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଅତ୍ୟଧିକ ବ୍ୟବହାର ଏବଂ ଚାହିଦା ଯୋଗୁଁ ଏହି ଉଦ୍ଭିଦ ଧୀରେ ଧୀରେ ଅଦୃଶ୍ୟ ହୋଇଯାଇଥିବା ଐତିହାସିକ ବର୍ଣ୍ଣନାରୁ ଜଣାପଡ଼େ। ତେବେ ତୁର୍କୀରେ ଏହାର ସମ୍ଭାବ୍ୟ ପୁନଃଆବିଷ୍କାର ବୈଜ୍ଞାନିକ ଓ ଇତିହାସବିଦଙ୍କ ମଧ୍ୟରେ ଉତ୍ସୁକତା ବଢ଼ାଇଛି। ତେବେ ଠାବ ହୋଇଥିବା ଉଦ୍ଭିଦଟି ପ୍ରକୃତରେ ପ୍ରାଚୀନ ସିଲ୍ଫିୟମ୍ ଉଦ୍ଭିଦ ନା ଏହାର କୌଣସି ନିକଟ ସମ୍ପର୍କୀୟ ପ୍ରଜାତି ତାହା ଜାଣିବା ପାଇଁ ଅଧିକ ବୈଜ୍ଞାନିକ ଗବେଷଣା ଆବଶ୍ୟକ।

କ’ଣ ଏହି ‘ସିଲ୍ଫିୟମ୍’ ଗଛ ?

ତୁର୍କୀରେ ଏକ ବିରଳ ଉଦ୍ଭିଦ ଯାହାର ନାମ ‘ସିଲ୍ଫିୟମ୍’ । ପ୍ରାଚୀନ ଗ୍ରୀକ୍, ରୋମାନ୍ ଏବଂ ମିଶରୀୟ ସଭ୍ୟତାରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ଉଦ୍ଭିଦ ବ୍ୟବହାର କରାଯାଉଥିଲା। ସୁନେଲି ରଙ୍ଗର ଫୁଲ ଥିବା ଏହି ଉଦ୍ଭିଦ ହଜାର ହଜାର ବର୍ଷ ପୂର୍ବେ ଭୂ-ମଧ୍ୟସାଗରୀୟ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲା। ଐତିହାସିକ ବର୍ଣ୍ଣନା ଅନୁସାରେ, ବିଭିନ୍ନ ରୋଗର ଚିକିତ୍ସା ସହିତ ଗର୍ଭନିରୋଧ ପାଇଁ ମଧ୍ୟ ଏହାର ବ୍ୟବହାର ହେଉଥିଲା।

କିପରି ହେଲା ବିଲୁପ୍ତ ?

ସିଲ୍ଫିଅମ୍ ପ୍ରାଚୀନ ଲିବିଆର ‘ସାଇରେନାଇକା’ ଅଞ୍ଚଳରେ ବଢ଼ୁଥିବା ବୋଲି ଇତିହାସିକ ସୂତ୍ରରେ ଉଲ୍ଲେଖ ରହିଛି। ଏହାର ଅତ୍ୟଧିକ ଚାହିଦା ଏବଂ ବ୍ୟାପକ ବ୍ୟବହାର ଯୋଗୁଁ ଏହାର ସଂଖ୍ୟା ଧୀରେ ଧୀରେ କମିଥିବା ବୋଲି ଧାରଣା କରାଯାଏ। ପ୍ରାଚୀନ ଲେଖାରେ ମଧ୍ୟ ସିଲ୍ଫିୟମର ଦୁର୍ଲଭ ହୋଇଯିବା ଏବଂ ଶେଷରେ ଏହା ଆଉ ମିଳୁନଥିବା ବିଷୟରେ ଉଲ୍ଲେଖ ରହିଛି । ଐତିହାସିକ ଅଭିଲେଖରୁ ଜଣାପଡିଛି ଯେ, ଜୁଲିୟସ୍ ସିଜରଙ୍କ ଶାସନକାଳରେ ସିଲ୍ଫିୟମର ମୂଲ୍ୟ ରୂପା ସହ ସମାନ ଥିଲା। ଏହି ଦୁର୍ଲଭ ଉଦ୍ଭିଦକୁ ରୋମରେ କେତେ ଗୁରୁତ୍ୱ ଦିଆଯାଉଥିଲା, ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ତଥ୍ୟ ଅନୁସାରେ, ସିଜରଙ୍କ କର୍ମଚାରୀମାନେ ରାଜକୋଷରେ ସୁନା ସହିତ ୧,୦୦୦ କିଲୋଗ୍ରାମରୁ ଅଧିକ ସିଲ୍ଫିୟମ୍ ମଧ୍ୟ ସଞ୍ଚୟ କରି ରଖିଥିଲେ।

ହେଲେ ବର୍ତ୍ତମାନ ତୁର୍କୀରେ ଗବେଷକମାନେ ଏକ ଉଦ୍ଭିଦକୁ ଚିହ୍ନଟ କରିଛନ୍ତି, ଯାହାର କିଛି ବୈଶିଷ୍ଟ୍ୟ ପ୍ରାଚୀନ ସିଲ୍ଫିୟମର ବର୍ଣ୍ଣନା ସହ ମେଳ ଖାଉଥିବା ଦାବି କରାଯାଇଛି। ଏହି ଉଦ୍ଭିଦକୁ ନେଇ ଗବେଷଣା ଚାଲିଛି ଏବଂ ଏହା ପ୍ରକୃତରେ ପ୍ରାଚୀନ ସିଲ୍ଫିଅମ୍ ନା ତାହାର ଏକ ପ୍ରଜାତି ସେନେଇ ବୈଜ୍ଞାନିକମାନେ ଅଧିକ ଅଧ୍ୟୟନ କରୁଛନ୍ତି । ସିଲ୍ଫିୟମର କାହାଣୀ କେବଳ ଏକ ବିଲୁପ୍ତ ଉଦ୍ଭିଦର କାହାଣୀ ନୁହେଁ। ଏହା ପ୍ରାଚୀନ ସଭ୍ୟତାର ପ୍ରକୃତି ଉପରେ ନିର୍ଭରଶୀଳତା ଏବଂ ଅତ୍ୟଧିକ ବ୍ୟବହାର କିପରି କୌଣସି ପ୍ରଜାତିକୁ ବିଲୁପ୍ତି ଆଡ଼କୁ ନେଇପାରେ, ତାହାର ଏକ ବଡ଼ ଉଦାହରଣ । ୨,୦୦୦ ବର୍ଷ ଧରି ଇତିହାସର ପୃଷ୍ଠାରେ ହଜିଯାଇଥିବା ‘ସିଲ୍ଫିଅମ୍’ ଆଜି ପୁଣି ବୈଜ୍ଞାନିକ ଜଗତର ଗବେଷଣାର କେନ୍ଦ୍ର ପାଲଟିଛି।

Source link



Source link

Leave A Reply

Your email address will not be published.