ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଗ୍ରାମୀଣ ବିକାଶକୁ ନେଇ କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଆଲୋଚନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସହ ଓଡ଼ିଶାର ୧୩ ବିଜେପି ସାଂସଦମାନେ। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ଗ୍ରାମୀଣ ଆବାସ ସହ ରୋଜଗାର, ରାସ୍ତାଘାଟ, ଭିତ୍ତିଭୂମି ବିକାଶ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଓଡ଼ିଶାର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନାଗୁଡ଼ିକର ଠିକ୍ ରୂପାୟଣ ଏବଂ ଅଧିକ ଅନୁଦାନ ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।
୩୭ ଲକ୍ଷ ୫୦ ହଜାର ପରିବାରର ସର୍ଭେ
ଏନେଇ ମନ୍ତ୍ରୀ ରବି ନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଓଡ଼ିଶାରେ ବଡ଼ ଧରଣର ସର୍ଭେ କରାଯାଇଛି। ରାଜ୍ୟରେ ପ୍ରାୟ ୩୭ ଲକ୍ଷ ୫୦ ହଜାର ପରିବାରଙ୍କ ସର୍ଭେ ସରିଛି। ପୂର୍ବରୁ ତାଲିକାରେ ସାମିଲ ହୋଇନପାରି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ। ଏବେ ସର୍ଭେ ତାଲିକାର ଫିଜିକାଲ ଯାଞ୍ଚ ବା ସ୍କ୍ରୁଟିନି ଚାଲିଛି। ଅଧିକାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଆସନ୍ତା ଅଗଷ୍ଟ ୨୭ ସୁଦ୍ଧା ଏହି ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରହିଛି।
ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କ ଅଧିକୃତ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଯିବ। ଏହାପରେ ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ହେବାର ଆଶା ରହିଛି। ରାଜ୍ୟର ଆବଶ୍ୟକତା ଅନୁସାରେ ଅଧିକ ସଂଖ୍ୟକ ପକ୍କା ଘର ମଞ୍ଜୁର କରିବାକୁ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଦାବି ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି।
ଗ୍ରାମୀଣ ରୋଜଗାର ଓ ରାସ୍ତାଘାଟ ବିକାଶ ଉପରେ ଜୋର
ବୈଠକରେ ଗ୍ରାମୀଣ ରୋଜଗାର ଏବଂ ଭିତ୍ତିଭୂମି ବିକାଶକୁ ନେଇ ମଧ୍ୟ ଆଲୋଚନା ହୋଇଛି। ‘ଜି-ରାମ-ଜି’ ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟ ରହିଥିବା କୁହାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ମାଧ୍ୟମରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି। ‘ଲକ୍ଷପତି ଦିଦି’ ଏବଂ ଜୀବିକା ମିଶନ ମାଧ୍ୟମରେ ମହିଳାଙ୍କ ରୋଜଗାର ଓ ଆର୍ଥିକ ସଶକ୍ତିକରଣକୁ ଆହୁରି ମଜଭୁତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।
ଓଡ଼ିଶା ଆସିବେ ଶିବରାଜ ସିଂହ ଚୌହାନ!
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଓଡ଼ିଶା ଗସ୍ତ କରି ରାଜ୍ୟର ଗ୍ରାମୀଣ ବିକାଶର ସ୍ଥିତି ସମୀକ୍ଷା କରିବାକୁ ନିମନ୍ତ୍ରଣ ଦିଆଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଆବାସ, ରୋଜଗାର ଓ ଭିତ୍ତିଭୂମି ବିକାଶକୁ ନେଇ ଆଗାମୀ ଦିନରେ କେନ୍ଦ୍ର-ରାଜ୍ୟ ସମନ୍ୱୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ସବୁକିଛି ଠିକ୍ ରହିଲେ, ଆବାସ ତାଲିକାର ଯାଞ୍ଚ ପରେ ଖୁବଶୀଘ୍ର ଓଡ଼ିଶାର ହଜାର ହଜାର ଗରିବ ପରିବାରଙ୍କ ମୁଣ୍ଡ ଉପରେ ନିଜସ୍ୱ ପକ୍କା ଛାତ ଦେଖିବାକୁ ମିଳିବ।
