କଟକ: ବଜାରରେ ମିଳୁଛି ବିଷ ପନିର । ପନିରରେ ମିଶୁଛି ମଇଦା। କଟକରୁ ଜବତ ହୋଇଛି କ୍ବିଣ୍ଟାଲରୁ ଅଧିକ ଏଭଳି ଅପମିଶ୍ରିତ ପନିର । ମର୍କତ ନଗର ଅଞ୍ଚଳକୁ ଆସିଥିବା ପନିର ବୋଝେଇ ଗାଡିକୁ ଠାବ କଲାପରେ ଅପମିଶ୍ରିତ ବୋଲି ଜଣା ପଡିଥିଲା । ଚିନ୍ତାର କଥା ହେଲା ପନିରରେ କିଛି ବ୍ୟବସାୟୀ ଅଖାଦ୍ୟ ମିଶାଉଥିବା ଅଭିଯୋଗ ହୋଇଛି। ଏସବୁ ପନିର ପରୀକ୍ଷା କଲେ ଜଣାପଡ଼ିଛି ଏସବୁ ଅପମିଶ୍ରିତ। ଦୈନିକ କଟକ ସହରକୁ ୫୦ ରୁ ୬୦ ଟି ଗାଡ଼ିରେ ପନିର ଆସୁଛି। ତେଣୁ ସାଧାରଣ ଲୋକ ମାନେ ଖାଦ୍ୟ ନାଁରେ ଖାଉଛନ୍ତି ବିଷ । ଆଉ ଏହାକୁ ଖାଇଲେ କିଭଳି କିଡନି ସମସ୍ୟା ଓ କ୍ୟାନସର ଭଲି ମାରାତ୍କ ରୋଗର ଶିକାର ହେବାକୁ ପଡେ ତାର ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ଖାଦ୍ୟ ନାଁର ବିଷ… ବଜାରରେ ମିଳୁଛି ବିଷ ପନିର… ପନିରରେ ମିଶୁଛି ମଇଦା। କଟକରୁ ଜବତ ହୋଇଛି ଏଭଳି ଅପମିଶ୍ରିତ ପନିର। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ପନିର ପ୍ରସ୍ତୁତପାଇଁ ବ୍ୟବହୃତ ହେଉଛି ମାତ୍ର ୪୦ ପ୍ରତିଶତ କ୍ଷୀର। କେବଳ ମଇଦା ନୁହେଁ, କ୍ଷୀରକୁ ଗାଢ଼ା କରିବା ଏବଂ ଉତ୍ପାଦନ ଦର ହ୍ରାସ କରାଇବା ଲାଗି ମିଶାଯାଉଛି ପାରସ ପାଉଡର। ଏଭଳି ଅପମିଶ୍ରିତ ପନିର ପାଇଁ ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି ଉପଯୁକ୍ତ ବଜାର। କଟକ ସହରକୁ ବିକ୍ରୀ ହେବାଲାଗି ଆସିଥିବା ପ୍ରାୟ୧ କ୍ବିଣ୍ଟାଲ ଅପମିଶ୍ରିତ ପନିରକୁ ଗତକାଲି କଟକ ମ୍ୟୁନିସିପାଲିଟି କମିସନ ର ସ୍ବାସ୍ଥ୍ୟ ବିଭାଗ ଜବତ କରିଛି । କେମିକାଲ ଟେଷ୍ଟିଙ୍ଗରେ ଅପମିଶ୍ରତ ପନରିର ସତ ଆସିଛି ସାମ୍ନାକୁ।
କଟକ ଓ ଭୁବନେଶ୍ବର ପାଇଁ ଯେତିକି ଦୁଗ୍ଧଜାତ ସାମଗ୍ରୀର ଆବଶ୍ୟକତା ରହୁଛି, ତାର ଏକ ସିଂହ ଭାଗ ଆମଦାନୀ ହେଉଛି ନିଆଳୀ ଅଞ୍ଚଳରୁ। କଟକ ଲିଙ୍କ ରୋଡ଼ ନିକଟରେ ଜିଲ୍ଲା ଦୁଗ୍ଧ ଚାଷୀ ସଂଘ ଏନେଇ ଏକ ମଣ୍ଡି ମଧ୍ୟ ସ୍ଥାପନ କରିଛି। କିନ୍ତୁ ଏଠାକୁ ଆସି ବେପାର କରିବା ପରିବର୍ତ୍ତେ, କିଛି ଅସାଧୁ ଦୁଗ୍ଧ ଚାଷୀ ଏବଂ ପନିର ବ୍ୟବସାୟୀ ନିଜସ୍ବ ବ୍ୟବସ୍ଥାରେ ବେପାର କରି ବିଭିନ୍ନ ଦୋକାନ, ହୋଟେଲ୍ , ରେଷ୍ଟୁରାଣ୍ଟ ଆଦିକୁ ଯୋଗାଉଛନ୍ତି । ଯେଉଁମାନେ ପନିର ଅପମିଶ୍ରଣ ସିଣ୍ଡିକେଟର ଜଣେ ଜଣେ କାର୍ପଟଦାର। ଯେଉଁ ମାନଙ୍କୁ ରୋକିବା ଲାଗି ସରକାରୀ କଳ ପାଖରେ ସେଭଳି ସାଧନ ନାହିଁ । ତେଣୁ ପାରସ ପାଉଡର ଏବଂ ମଇଦା ମିଶା ପନିର ଏବେ ଯେମିତି ଖାଦ୍ୟ ବଜାରରେ ଛାଇ ଯାଇଛି ।
ଏଠି ପ୍ରଶ୍ନ ଉଠୁଛି ୧ କେଜି ପନିର ପ୍ରସ୍ତୁତ ପାଇଁ ୫ ଲିଟର କ୍ଷୀର ଆବଶ୍ୟକ ହେଉଥିବା ବେଳେ ହୋଲସେଲ ମାର୍କେଟରେ ପନିର କିଲୋ ଅଢେଇ ଶହ ଟଙ୍କାରେ ବିକ୍ରି ହେଉଛି କିପରି ? ଏଥିରୁ ସ୍ପଷ୍ଟ ଯେ କମେ ଦାମ୍ରେ ଯେଉଁ ପନିର ମିଳୁଛି ତାହା ଅପମିଶ୍ରିତ ହୋଇଥାଇପାରେ । ଏହାକୁ ନେଇ ଖୁବ ପ୍ରତିକ୍ରିୟାଶୀଳ ହୋଇଛି ରାଜ୍ୟ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦକ ସଂଘ। ସରକାର ଏହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ ।
ଏଭଳି ଅପମିଶ୍ରିତ ପନିରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କହିଛନ୍ତି ଅପମିଶ୍ରିତ ପନିର ଖାଇଲେ କିଡନି ଖରାପ ହେବା ସହ, କ୍ୟାନସର ଭଳି ମାରାତ୍ମକ ରୋଗର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅପମିଶ୍ରିତ ପନିର ଚିହ୍ନିବେ କେମିତ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କ୍ଷୀରରୁ ତିଆରି ହୋଇଥିବା ପନିର ସାମାନ୍ୟ ଧଳା ଦେଖାଯାଇଥାଏ । ହେଲେ ରାସାୟାନିକ ପଦାର୍ଥ ମିଶାଇ ତିଆରି ହୋଇଥିବା ପନିର ଅଧିକ ଧଳା ବା ତୋଫା ଦେଖାଯାଏ । କାରଣ ଏଥିରେ ୟୁରିଆ ମିଶାଯାଇଥିବାରୁ ଏହା ଅଧିକ ଧଳା ଦେଖାଯାଏ । ରାସାୟନିକ ମିଶା ପନିର ବା ଆନାଲଗ୍ ପନିର ଭାଙ୍ଗିକି ଦେଖିଲେ କିମ୍ବା ହାତରେ ଧରିଲେ ଏହା ଟାଣ ଥାଏ ଏବଂ ରବର ଭଳି ଅନୁଭୁତ ହୁଏ । ଅପମିଶ୍ରିତ ପନିରରେ କ୍ଷୀରର ବାସ୍ନା ବହୁତ କମ୍ ଥାଏ ଏଥିରୁ ସାମାନ୍ୟ କେମିକାଲ୍ ବାସ୍ନା ହୁଏ । ଯଦି ଏହି ଅପମିଶ୍ରିତ ପନିରରେ ଦୁଇ ଠୋପା ଆୟୋଡିନ ପକାଯାଏ ତେବେ ଏହାର ରଙ୍ଗ ବଦଳି ନୀଳ ହୋଇ ଯାଏ ବୋଲି କହିଛନ୍ତି ବେଷେଷଜ୍ଞ ।
ସେପଟେ ଗୁଜରାଟର ସୁରତ ସହରର ଏକ ରେଷ୍ଟୁରାଣ୍ଟରୁ ଅର୍ଡର କରାଯାଇଥିବା କାଜୁ-ପନିର୍ ଖାଇ ଜଣେ ୫ ବର୍ଷୀୟା ଶିଶୁ କନ୍ୟାର ଦୁଃଖଦ ମୃତ୍ୟୁ ଘଟିଛି। ପରିବାରର ଅନ୍ୟ ୪ ଜଣ ସଦସ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖାଦ୍ୟ ଖାଇବାର କିଛି ସମୟ ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହି ଘଟଣା ପରେ ସୁରତ ମ୍ୟୁନିସିପାଲ କର୍ପୋରେସନର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଏକ ଟିମ୍ ରେଷ୍ଟୁରାଣ୍ଟରେ ଚଢ଼ାଉ କରି ରେଷ୍ଟୁରାଣ୍ଟକୁ ସିଲ୍ କରିଛି।
