Voice of Eastern India

ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନକୁ ନେଇ ଆସିଲା ରାହୁଲ ଗାନ୍ଧିଙ୍କ ପ୍ରଥମ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?


ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ନେଇ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି, ଯେଉଁଠି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ କଂଗ୍ରେସ ମେଣ୍ଟର ସରକାର ରହିଛି। ରାହୁଲ ଗାନ୍ଧି ଗୁରୁବାର କହିଛନ୍ତି ଯେ ସରକାରମାନେ ଛାତ୍ରଙ୍କ କଥା ଶୁଣିବା ଆବଶ୍ୟକ ଓ ଶିକ୍ଷା ପ୍ରଣାଳୀରେ ସଂଶୋଧନ ପାଇଁ କାର୍ଯ୍ୟାନୁଷ୍ଠାନ କରିବା ଉଚିତ। ଇଂଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଂ’ ଅଧିବେଶନ କାଳରେ ରାହୁଲ ଗାନ୍ଧିଙ୍କୁ ଝାଡ଼ଖଣ୍ଡରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କୁ ସମର୍ଥନ କରିବାକୁ କୁହାଯାଇଥିଲା। ତେବେ ରାହୁଲ କଣ କହିଛନ୍ତି ଆସନ୍ତୁ ଜାଣିବା।

ଲୋକସଭାରେ ବିରୋଧୀ ଦଳ ନେତା ଇଂଷ୍ଟାଗ୍ରାମରେ ଛାତ୍ରଙ୍କୁ ଜବାବ ଦେଇ କହିଛନ୍ତି ଯେ ‘ଦେଶରେ ହେଉଥିବା ଛାତ୍ର ବିରୋଧ ପ୍ରଦର୍ଶନ ଶିକ୍ଷା ବ୍ୟବସ୍ଥା ବିରୋଧରେ ହେଉଛି। ଏ କଥା ମୁଁ କୋଟା ଓ ଡେରାଡୁନରେ ସ୍ପଷ୍ଟ ଭାବେ କହିଛି ଓ ଆଗକୁ ଏଲହାବାଦରେ ମଧ୍ୟ ଏହା କହିବି ଆମର ଶିକ୍ଷା ବ୍ୟବସ୍ଥା ଧୂଳିସାତ ହୋଇସାରିଛି; ଏହା ଅସହନୀୟ ଓ ଦମନକାରୀ ଅଟେ’। ସେ କହିଛନ୍ତି ଯେ କେନ୍ଦ୍ର ସରକାର ହୁଅନ୍ତୁ ଅଥବା ଝାଡ଼ଖଣ୍ଡ ରାଜ୍ୟ ସରକାର ଅଥବା କଂଗ୍ରେସ ସରକାର, ସବୁ ସରକାରଙ୍କୁ ଛାତ୍ରଙ୍କ କଥା ଶୁଣିବା ଆବଶ୍ୟକ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି କାର୍ଯ୍ୟାନୁଷ୍ଠାନ କରିବା ଉଚିତ।

ରାୟବରେଲୀ ସାଂସଦ ଦିଲ୍ଲୀରେ ନିଟ୍ ୟୁଜୀ ପରୀକ୍ଷା ପେପର ଲିକ୍ ବିରୋଧରେ ହୋଇଥିବା ପ୍ରଦର୍ଶନକୁ ଖୋଲାଖୋଲି ସମର୍ଥନ କରିଥିଲେ। ହେଲେ ଝାଡ଼ଖଣ୍ଡ ବିରୋଧ ପ୍ରଦର୍ଶନକୁ ନେଇ ଚୁପ୍ ରହିଥିଲେ। ଏଣୁ ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ କାହିଁକି ଚୁପ ରହିଛନ୍ତି ସେ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଏଥି ମଧ୍ୟରେ ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷା ଅନିୟମିତତାକୁ ନେଇ ବିରୋଧ ପ୍ରଦର୍ଶନ ଗୁରୁବାର ତ୍ରୟୋଦଶ ଦିବସକୁ ପ୍ରବେଶ କରିଛି। ଏଥିରେ ୬ ଜଣ ପ୍ରଦର୍ଶନକାରୀ ଆମରଣ ଅନଶନରେ ଅଛନ୍ତି। ଆନ୍ଦୋଳନକାରୀ ଛାତ୍ର ଓ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଗତିରୋଧ ଦୂର କରିବା ପାଇଁ ସରକାରଙ୍କ ସହ ଆଲୋଚନା ଲାଗି ୧୧ ସଦସୀୟ ପ୍ରତିନିଧି ମଣ୍ଡଳି ଗଠନ କରିଛନ୍ତି।

Source link



Source link

Leave A Reply

Your email address will not be published.