ପୁଣେ: ଫେବୃଆରୀରେ ନିର୍ବନ୍ଧ ସରିଥିଲା, ନଭେମ୍ବରରେ ହୋଇଥାନ୍ତା ବିବାହ । ପ୍ରାଇଭେଟ୍ ଜେଟ୍ ବୁକ୍ ସରିଥିଲା, ରାଜସ୍ଥାନର ଜୟପୁରରେ ପ୍ରାସାଦ ପାଇଁ ଆଡଭାନ୍ସ ଦେଇସାରିଥିଲେ ପରିବାର । କିନ୍ତୁ ପ୍ରେମିକ ପାଇଁ ଭାବି ସ୍ବାମୀକୁ ହତ୍ୟା କରିଦେଲା ଭାବି ସ୍ତ୍ରୀ । ପୁଣେରେ ଘଟିଥିବା ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ପ୍ରେମିକ ସହ ମିଶି ଭାବି ସ୍ବାମୀକୁ ଐତିହାସକ ଲୋହାଗଡ଼ ଦୁର୍ଗରୁ ଠେଲି ଜୀବନ ନେଇଯାଇଛି ଭାବି ପତ୍ନୀ ।
ଜୁନ୍ ୧୮ରେ ଏହି ଘଟଣା ଘଟିଥିବା ବେଳେ, ଏହା ଉପରୁ ଆଜି ପୋଲିସ ପରଦା ହଟାଇଛି । ଏକ ଅପମୃତ୍ୟୁ ମାମଲା ଏବେ ହତ୍ୟା ବୋଲି ପ୍ରମାଣିତ ହୋଇଛି । କିଭଳି ଜଣେ ଭାବି ପତ୍ନୀ ରକ୍ତର ହୋଲି ଖେଳିପାରେ ଏବଂ ଅପରାଧକୁ ଘୋଡ଼ାଇବାକୁ କୁମ୍ଭୀର କାନ୍ଦଣା କାନ୍ଦିପାରେ ତା ବି ସ୍ପଷ୍ଟ ହୋଇଯାଇଛି । ଜନ୍ମଦିନ ପାଳନ କରିବା ବାହାନରେ ଭାବି ସ୍ବାମୀକୁ ହତ୍ୟା କଲା, ପରେ ପୋଷ୍ଟ କରି କହିଲା- ମୋ ମନ କହୁଛି, ତୁ ଏଇଠି ଅଛୁ ଫେରିଆ । ଲୋକେ ଭାବିଲେ, ସତରେ ବିବାହ ପୂର୍ବରୁ ଭାବି ସ୍ବାମୀକୁ ହରାଇ ବିଚାରି ଝିଅଟି ଭାଙ୍ଗିପଡ଼ିଛି । କିନ୍ତୁ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟିଯିବା ପରେ, ‘ବିଶ୍ବାସ’ ଶବ୍ଦ ଉପରୁ ବି ଉଠିଯାଇପାରେ ଭରସା ।
ହତ୍ୟାର ଶିକାର କେତନ ବିଶାଲ ଅଗ୍ରଓ୍ବାଲଙ୍କ ଭୁଲ କଣ ଥିଲା ? ତାଙ୍କୁ ହତ୍ୟା କରି କଣ ଲାଭ ପାଇଲା ଭାବି ସ୍ତ୍ରୀ ସିୟା ଗୋଏଲ ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ । ଏକଥା ବି ସତ, ପ୍ରେମ ପାଇଁ ଭାବି ସ୍ବାମୀର ଜୀବନ ନେଇଛି ସିୟା । ପ୍ରେମିତ ଚେତନ ଚୌଧୁରୀ ସହ ମିଶି କେତନଙ୍କୁ ରାସ୍ତାରୁ ହଟାଇ ଦେଇଛି ସିୟା । ଜୁନ୍ ୧୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। କେତନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ, ସିୟା ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଏବଂ ଶୋକ ପ୍ରକାଶ କରିବା ବାହାନାରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପୂର୍ଣ୍ଣ ଷ୍ଟୋରି ସେୟାର କରିଥିଲା। ସେହି ପୋଷ୍ଟରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଅନେକ ପ୍ରଶ୍ନ ପଚାରିଥିଲା ।
ସିୟା ତାପୋଷ୍ଟରେ ଲେଖିଥିଲା, ‘ତୁମେ ମୋ ଜନ୍ମଦିନରେ ହିଁ ମୋତେ ଛାଡ଼ି ଚାଲିଗଲ। ଆମେ ବିବାହର ଏତେ ନିକଟତର ହୋଇଥିବା ବେଳେ ତୁମେ ଏମିତି କଲ। ମୁଁ ଏବେ ବି ବୁଝିପାରୁନି ତୁମେ ମୋ ସହ ଏମିତି କାହିଁକି କଲ? ମୋର ଅନେକ ସ୍ୱପ୍ନ ଥିଲା, ଅନେକ ପ୍ରଶ୍ନ ଅଛି ଯାହାର ଉତ୍ତର ମୋତେ କେବେ ମିଳିବ ନାହିଁ। ମୁଁ ତୁମକୁ ଏତେ ଭଲ ପାଉଥିବା ବେଳେ ତୁମେ ମୋତେ କାହିଁକି ଏକା କରିଦେଲ ? ଈଶ୍ୱର ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ।’ ଏହି ଷ୍ଟୋରିରେ ସେ ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଥିଲା । ଯେଉଁଥିରେ କେତନ ଗାଡ଼ିର ସାମ୍ନା ସିଟ୍ରେ ବସି ପଛକୁ ଚାହିଁ କାହା ସହ କଥା ହେଉଥିଲେ ଏବଂ ପରେ ଦୁହେଁ ଏକ ରୋମାଣ୍ଟିକ ଗୀତରେ ନାଚୁଥିବାର ଦୃଶ୍ୟ ଥିଲା। ଏହା ସହିତ ସେ ହିନ୍ଦୀରେ ଲେଖିଥିଲେ– “ମେରେ ଦିଲ୍ କୋ ପତା ହୈ କି ତୁ ୟହିଁ ହୈ, ୱାପସ ଆଜା” (ମୋ ହୃଦୟ ଜାଣିଛି ତୁମେ ଏଇଠି ଅଛ, ଫେରିଆସ)।
ମହାରାଷ୍ଟ୍ରର ପୁଣେ ଜିଲ୍ଲା ଗହୁଞ୍ଜେ ଅଞ୍ଚଳର ବାସିନ୍ଦା ୨୬ ବର୍ଷୀୟ କେତନ, ନିଜ ପରିବାରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟର ନିର୍ଦ୍ଦେଶକ ଥିଲେ। ଲୋହାଗଡ଼ ଦୁର୍ଗକୁ ବୁଲିବାକୁ ଯାଇଥିବା ସମୟରେ ପ୍ରାୟ ୪୦୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମୟରେ, ଭାବି ପତ୍ନୀ ସିୟା ଲୋନାଭାଲା ଗ୍ରାମୀଣ ପୋଲିସକୁ କହିଥିଲେ ଯେ, ପ୍ରବଳ ପବନ ଯୋଗୁଁ କେତନଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ତଳକୁ ପଡ଼ିଯାଇଥିଲେ। ପ୍ରଥମେ ପୋଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ଭାବେ ରୁଜୁ କରିଥିଲା। ମାତ୍ର ପରବର୍ତ୍ତୀ ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ସିୟା ଏବଂ ତାଙ୍କ ପ୍ରେମିକ ଚେତନକୁ ପୋଲିସ ଗିରଫ କରିଛି ।
