ମୁମ୍ବାଇ: ବର୍ଦ୍ଧିତ ମୋବାଇଲ୍ ରିଚାର୍ଜ ଖର୍ଚ୍ଚ ଏଡ଼ାଇବାକୁ ଚାହୁଥିବା ଗ୍ରାହକଙ୍କୁ ଜିଓ ପ୍ରାଇମ୍ ‘ଏକ ବର୍ଷର ମୂଲ୍ୟ ଗ୍ୟାରେଣ୍ଟି’ ପ୍ରଦାନ କରିବାକୁ ଆଗେଇ ଆସିଛି। ୩୦୦ ଟଙ୍କାର ଏକକାଳୀନ ସବସ୍କ୍ରିପସନ୍ ଫି ଦେଇ, ଗ୍ରାହକମାନେ ୨୦୨୭ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସେମାନଙ୍କର ଏବେ ରହିଥିବା ଜିଓ ପ୍ଲାନର ବର୍ତ୍ତମାନର ମୂଲ୍ୟକୁ ଲକ୍ କରିପାରିବେ। ଏହାର ଅର୍ଥ ପ୍ରାଇମ୍ ସଦସ୍ୟମାନେ ସବସ୍କ୍ରିପସନ୍ ଅବଧି ମଧ୍ୟରେ ବର୍ତ୍ତମାନର ପ୍ଲାନ ଦରରେ ହିଁ ସେମାନଙ୍କର ପ୍ଲାନଗୁଡ଼ିକୁ ରିଚାର୍ଜ କରିପାରିବେ।
ଏହାର ଏକ ପ୍ରମୁଖ ଲାଭ ହେଉଛି ଯେ, ପ୍ରାଇମ୍ ସବସ୍କ୍ରିପସନ୍ ପରେ ଗ୍ରାହକମାନେ କୌଣସି ଗୋଟିଏ ପ୍ଲାନରେ ଲକ୍ ହେବେ ନାହିଁ, ସେମାନେ ପ୍ରାଇମ୍ ସଦସ୍ୟତାର ଲାଭ ଉପଭୋଗ କରିବା ସମୟରେ ଅନ୍ୟ ଜିଓ ପ୍ଲାନକୁ ମଧ୍ୟ ସ୍ୱିଚ୍ କରିପାରିବେ। ଜିଓ ପ୍ରାଇମ୍ ଚଳିତ ଅଗଷ୍ଟ ୨୦ ତାରିଖରୁ ଉପଲବ୍ଧ ହେବ। ଗ୍ରାହକମାନେ ମାଇଁ ଜିଓ ଆପ୍, ଜିଓ ୱେବସାଇଟ ଜିଓ ଡଟ କମ, ଜିଓ ଷ୍ଟୋର କିମ୍ବା ଅଧିକୃତ ଜିଓ ପାର୍ଟନର ଷ୍ଟୋର ମାଧ୍ୟମରେ ସବସ୍କ୍ରାଇବ କରିପାରିବେ। ପ୍ରାଇମ୍, ପୂର୍ବରୁ ଥିବା ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କ ସହ ନୂତନ ଜିଓ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ । ଅନ୍ୟ ନେଟୱାର୍କର ଗ୍ରାହକମାନେ ସେମାନଙ୍କର ନମ୍ବର ପୋର୍ଟ କରି କିମ୍ବା ଏକ ନୂତନ ଜିଓ ସଂଯୋଗ ସହିତ ଏଥିରେ ଯୋଗ ଦେଇପାରିବେ।
Also Read: LPG ଉପଭୋକ୍ତାଙ୍କୁ ଆଶ୍ୱସ୍ତି, ବଢିଲା E-KYC ସମୟ ସୀମା, ଜାଣନ୍ତୁ ଶେଷ ତାରିଖ କେବେ?
ପ୍ରାଇମ୍ କୌଣସି ବାଧ୍ୟତାମୂଳକ ନୂତନ ରିଚାର୍ଜ ପ୍ଲାନ ନୁହେଁ। ପ୍ରାଇମ ସଦସ୍ୟତା ବା ସବସ୍କ୍ରିପସନ୍ ସହିତ ମୋଟ ୬୦୦ ଟଙ୍କା ମୂଲ୍ୟର ଦୁଇଟି କ୍ୟାସବ୍ୟାକ୍ ଭାଉଚର ମଧ୍ୟ ଉପଲବ୍ଧ ହେଉଛି। ଯାହା ମଧ୍ୟରେ ରହିଛି ଗୋଟିଏ ୩୦୦ ଟଙ୍କା ମୂଲ୍ୟର କ୍ୟାସବ୍ୟାକ ଭାଉଚର ଯାହା ଏକ ନୂତନ ଜିଓ ହୋମ କିମ୍ବା ଜିଓ ପିସି ସଂଯୋଗ କିଣିବା ସମୟରେ ରିଡିମ୍ କରାଯାଇପାରିବ ଏବଂ ଅନ୍ୟ ଏକ ୩୦୦ ଟଙ୍କା ମୂଲ୍ୟର ଭାଉଚର ଯାହା ପରିବାରର ସଦସ୍ୟ କିମ୍ବା ବନ୍ଧୁଙ୍କ ପାଇଁ ଏକ ନୂତନ ଜିଓ ସିମ ନେବା ସମୟରେ ଉପଯୋଗ କରାଯାଇପାରିବ। ପ୍ରାଇମ ସଦସ୍ୟମାନଙ୍କୁ ନୂତନ ଜିଓ ଉତ୍ପାଦ ଓ ସେବାଗୁଡ଼ିକର ଆଗୁଆ ଆକ୍ସେସ ଏବଂ ଏକ ସମର୍ପିତ ଚ୍ୟାନେଲ୍ ମାଧ୍ୟମରେ ପ୍ରାଥମିକତା ସହିତ ଗ୍ରାହକ ସହାୟତା ମଧ୍ୟ ମିଳିବ।
